ଭୁବନେଶ୍ୱର : କୁନ୍ଦୁଲି ଗଣଦୁର୍ଷମ ପୀଡିତାଙ୍କ ଆତ୍ମହତ୍ୟା ଘଟଣାର ବିଜେପି ପୁଣି ସରକାରଙ୍କୁ କାଠ ଗଡାକୁ ଟାଣିଛି । ଏହି ପ୍ରସଂଗରେ ଅଭିଯୋଗ ପୋଲିସ ଡିଜିଙ୍କ ବିରୋଧରେ ଥିବାରୁ କ୍ରାଇମବ୍ରଂଚ ତଦନ୍ତ ନୁହେଁ ମାମଲା ସିବିଆଇକୁ ଦେବାକୁ କହିଛି ବିଜେପି । କ୍ରାଇମବ୍ରାଂଚ ଏଡିଜି ସନ୍ତୋଷ ଉପାଧ୍ୟାୟଙ୍କୁ କୁନ୍ଦୁଲୀ ଗଣ ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ନୁହେଁ ବରଂ ପ୍ରମାଣ ନଷ୍ଟ କରି ନବୀନ ସରକାରଙ୍କୁ ସୁରକ୍ଷା ଦେବାକୁ ଦାୟିତ୍ୱ ଦିଆଯାଇଛି ବୋଲି ବିଜେପି ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ଗତ ଅକ୍ଟୋବର ୧୦ ତାରିଖରେ ଗଣ ଦୁଷ୍କର୍ମ ଓ ୧୨ତାରିଖରେ କ୍ରାଇମବ୍ରାଂଚ ତଦନ୍ତ ନିର୍ଦେଶ ପରେ ଶ୍ରୀ ଉପାଧ୍ୟାୟ କୁଆଡେ ଥିଲେ ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । କ୍ରାଇମବ୍ରାଂଚ ତଦନ୍ତ ନିର୍ଦେଶ ପରେ ଏତେ ବଡ ସମ୍ବେନଦନଶୀଳ ଘଟଣାର ତଦନ୍ତ କରି ଦାୟିତ୍ୱ ମୁଣ୍ଡକୁ ନେଇ ପୀଡିତାଙ୍କୁ ନ୍ୟାୟ ଦେବା ବଦଳରେ ପୀଡିତାକୁ ଭେଟିବା ତ ଦୂର କଥା ଥରେଟିଏ ବି କଥା ହେବାକୁ ଏଡିଜି ଉପାଧ୍ୟାୟ ମହୋଦୟ କାହିଁକି ଉଚିତ ମନେ କରି ନ ଥିଲେ ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ରାଜ୍ୟ ଫୋରେନସିକ ଲ୍ୟାବ କ୍ରାଇମବ୍ରାଂଚ ଅଧିନରେ ପରିଚାଳିତ । ଗତ ୩ ମାସ ମଧ୍ୟରେ ୩ ପ୍ରକାରର ଭିନ୍ନ ରିପୋର୍ଟ ପ୍ରଦାନ କରାଯାଇ ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରାଯିବାର ଚକ୍ରାନ୍ତ କରାଯାଉଛି । ଏପରିକି ପୀଡିତା ସହ ଦୁଷ୍କର୍ମ ହୋଇଥିବାର ପ୍ରମାଣକୁ ନଷ୍ଟ କରାଯିବାକୁ ହୀନ ଚକ୍ରାନ୍ତ କରାଯାଉଛି ବୋଲି ବିଜେପି ଅଭିଯୋଗ କରିଛି ।
