ଭୁବନେଶ୍ୱର: ବାତ୍ୟାରେ ବ୍ୟାଙ୍କିଙ୍ଗ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସେହିପରି ଅନେକ ସ୍ଥାନରେ ଏଟିଏମ୍ ମଧ୍ୟ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା । ଏ ନେଇ ଆଜି ରାଜ୍ୟ ଓ କେନ୍ଦ୍ର ଅର୍ଥ ମନ୍ତ୍ରାଣାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ କେରଳ ମଡେଲ ଲାଗୁ ପାଇଁ ଟାସ୍କଫୋର୍ସ ଗଠନ ହୋଇଛି । ଏ ନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯିବ । ବାତ୍ୟା ଅଞ୍ଚଳରେ କମ୍ ଦସ୍ତାବିଜରେ ବ୍ୟାଙ୍କ ଓ ବୀମା ସୁବିଧା ମିଳିବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ସଚିବ ଦେବାଶିଷ ପଣ୍ଡା ସୂଚନା ଦେଇଛନ୍ତି ।
ବ୍ୟାଙ୍କିଙ୍ଗ ସେବା ନେଇ ରାଜ୍ୟ ଅତିଥି ଭବନରେ ରାଜ୍ୟ ଓ କେନ୍ଦ୍ର ଅର୍ଥ ବିଭାଗର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଅର୍ଥ ସଚିବ ପ୍ରମୁଖ ସଚିବ ଅଶୋକ ମୀନା ଓ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ସଚିବ ଦେବାଶିଷ ପଣ୍ଡା ଉପସ୍ଥିତ ଥିଲେ । ଏହା ବ୍ୟତୀତ ବୈଠକରେ ବ୍ୟାଙ୍କ, ବୀମା, ଟେଲିକମ୍, ଆର୍ବିଆଇ, ଏସ୍ଏଲ୍ବିସି ଅଧିକାରୀମାନେ ମଧ୍ୟ ସାମିଲ ହୋଇଛନ୍ତି । ଏଥିରେ ବ୍ୟାଙ୍କିକ ସେବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ୬ଟି ଜିଲ୍ଲାରେ ୧୯୯୨ଟି ଶାଖାରୁ ୧୯୩୪ ଶାଖା କାର୍ୟ୍ୟକ୍ଷମ ହୋଇଛି । କେବଳ ସମବାୟ ଓ ଗ୍ରାମୀଣ ବ୍ୟାଙ୍କକୁ ବାଦ ଦେଲେ ୨୯୨୧ ଏଟିଏମ୍ରୁ ୨ ହଜାରରୁ ଉର୍ଦ୍ଧ୍ୱ କାର୍ୟ୍ୟ କରୁଛି । ସେହିପରି ଏମ୍ଏସ୍ଏମ୍ଇ, କୃଷି, ସମବାୟ, ବୃକ୍ତିଗତ ଋଣକୁ ଗୁରୁତ୍ୱ ଦିଆଯାଇଛି । ବୀମା କମ୍ପାନୀମାନେ ମଧ୍ୟ ଶୀଘ୍ର ପ୍ରାପ୍ୟ ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀକୁ ଛାଡ଼ି ଅନ୍ୟ ସ୍ଥାନରେ ୯୯% ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇଛି । ସଂଧ୍ୟା ସୁଦ୍ଧା ପୁରୀରେ ୪୦% ବ୍ୟାଙ୍କ କାର୍ୟ୍ୟକ୍ଷମ ହେବ ବୋଲି ସଚିବ ଅଶୋକ ମୀନା ସୂଚନା ଦେଇଛନ୍ତି ।
ସେହିପରି ବୈଠକରେ ସରକାରୀ ଉଦ୍ୟୋଗର କ୍ଷୟକ୍ଷତି ନେଇ ଆଲୋଚନା କରାଯାଇଛି । ସରକାରୀ ଉଦ୍ୟୋଗର କ୍ଷୟକ୍ଷତି ନେଇ ୧୮୦୦ରୁ ଅଧିକ ଆବେଦନ ହୋଇଛି । ରାଜ୍ୟରେ କେରଳ ମଡେଲ ଲାଗୁ ପାଇଁ ଟାସ୍କଫୋର୍ସ ଗଠନ ହୋଇଛି । ଆଜି ବୈଠକ ପରେ ଏ ନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯିବ ବୋଲି କେନ୍ଦ୍ର ଅତିରିକ୍ତ ସଚିବ କହିଛନ୍ତି । ବାତ୍ୟା ଅଞ୍ଚଳରେ କମ୍ ଦସ୍ତାବିଜରେ ବ୍ୟାଙ୍କ ଓ ବୀମା ସୁବିଧା ମିଳିବ ବୋଲି ସଚିବ ସୂଚନା ଦେଇଛନ୍ତି ।
