ନୂଆଦିଲ୍ଲୀ:ଭୋପାଳରେ ବିଜେପି ପ୍ରାର୍ଥୀ ସାଧ୍ଵୀ ପ୍ରଜ୍ଞାଙ୍କ ଗୋଡସେ ସମ୍ବନ୍ଧିତ ବୟାନରୁ ପାର୍ଟି ନିଜକୁ ଦୂରେଇ ନେଇଛି। ବିଜେପିର ଜିଭିଏଲ ନରସିମାହ ରାଓ କହିଛନ୍ତି ଯେ, ପାର୍ଟି ସାଧ୍ଵୀ ପ୍ରଜ୍ଞାଙ୍କ ବୟାନରେ ସହମତ ନୁହେଁ। ଆମେ ଏହି ବୟାନକୁ ନିନ୍ଦା କରୁଛୁ। ପାର୍ଟି ସାଧ୍ଵୀଙ୍କୁ ସଫେଇ ଦେବାକୁ କହିବେ। ଉଲ୍ଲେଖଯୋଗ୍ୟ, ସାଧ୍ଵୀ ପ୍ରଜ୍ଞା ଗୋଟିଏ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ନାଥୁରାମ ଗୋଡ଼ସେ ଦେଶଭକ୍ତ ଥିଲେ, ଦେଶଭକ୍ତ ଅଟନ୍ତି ଓ ଦେଶଭକ୍ତ ରହିବେ।
ବିଜେପିର ଜିଭିଏଲ ନରସିମାହ ରାଓ କହିଛନ୍ତି ଯେ, ସାଧ୍ଵୀଙ୍କୁ ନିଜର ଏହି ବୟାନ ପାଇଁ ସାର୍ବଜନୀନ ରୂପେ କ୍ଷମା ମାଗିବା ଉଚିତ୍। ସାଧ୍ଵୀଙ୍କ ଏହି ବୟାନ ଠିକ୍ ଏହି ସମୟରେ ଆସିଛି, ଯେବେ କମଲ ହାସନ ଗୋଡସେଙ୍କୁ ପ୍ରଥମ ହିନ୍ଦୁ ଆତଙ୍କୀ କହିଥିଲେ। ଏହା ଉପରେ ସାଧ୍ଵୀ କହିଛନ୍ତି ଯେ, ନାଥୁରାମ ଗୋଡ଼ସେ ଦେଶଭକ୍ତ ଥିଲେ ଏବଂ ରହିବେ। ତାଙ୍କୁ ହିନ୍ଦୁ ଆତଙ୍କୀ କହୁଥିବା ଲୋକେ ପ୍ରଥମେ ନିଜକୁ ଦେଖନ୍ତୁ। ଏଥର ନିର୍ବାଚନରେ ଏମିତି ଲୋକଙ୍କୁ ଜବାବ ମିଳିବା ଉଚିତ୍। ଉଲ୍ଲେଖଯୋଗ୍ୟ, ଅଭିନେତାରୁ ନେତା ହୋଇଥିବା କମଲ ହାସନ ହିନ୍ଦୁ ଆତଙ୍କବାଦକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ତାମିଲନାଡୁରେ ନିର୍ବାଚନ ପ୍ରଚାର କରି ହାସଲ କହିଥିଲେ ଯେ, ସ୍ଵାଧୀନ ଭାରତର ପ୍ରଥମ ଆତଙ୍କବାଦୀ ଜଣେ ହିନ୍ଦୁ ଥିଲା। କମଲ ହାସନ କହିଥିଲେ ଯେ, ନାଥୁରାମ ଗୋଡ଼ସେ ସ୍ଵାଧୀନ ଭାରତର ପ୍ରଥମ ହିନ୍ଦୁ ଆତଙ୍କବାଦୀ ଥିଲେ। ମୁଁ ଏହା ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ତଳେ ଛିଡ଼ା ହୋଇ କହୁଛି।
