ଯବାନଙ୍କ ଗୁଳିରେ ଟଳିଲା ଆତଙ୍କୀ ସମୀର ଟାଇଗର

କାଶ୍ମୀର: ଲଢେଇ ପାଇଁ ଯବାନଙ୍କୁ ଆହ୍ବାନ ଦେଲା ଆତଙ୍କୀ । ଆଉ ଏହି ବାହାଦୁରି ମାରିବାର ମାତ୍ର କିଛି ଘଣ୍ଟା ଭିତରେ ଆତଙ୍କୀର ମୁଣ୍ଡ ଗଡିଲା, ତାପୁଣି ସେହି ଯବାନଙ୍କ ଗୁଳିରେ । ଏ ହେଉଛି ଜମ୍ମୁ କାଶ୍ମୀର ପୁଲୱାମା ଏନକାଉଣ୍ଟରର କାହାଣୀ । ଆତଙ୍କୀ ସମୀର ଟାଇଗରକୁ ଭୋଗିବାକୁ ପଡିଛି ବାହାଦୁରିର ଫଳ ।
ଭାରି ପଡିଲା ଲଲକାର୍ । ନିଜ ପାଇଁ ନିଜେ ଡାକି ଆଣିଲା ମୃତ୍ୟୁ । ବୋଧହୁଏ ବର୍ତ୍ତି ଯାଇଥାନ୍ତା ହେଲେ ବିଛା ମନ୍ତ୍ର ନଜାଣି ସାପଗାତରେ ହାତ ପୁରାଇଥିଲା ହିଜବୁଲ ମୁଜାହିଡିନ୍ ଆତଙ୍କୀ । ଆଉ ତାର ଫଳ ଭୋଗିବାକୁ ପଡିଛି । ମେଜର ରୋହିତ ଶୁକ୍ଳାଙ୍କୁ ସୋସିଆଲ ମିଡିଆରେ ଖୋଲାଖୋଲି ଚେତାବନୀ ଦେଇଥିଲା ସମୀର ଅହମଦ ଭଟ୍ଟ ଉର୍ଫ ସମୀର ଟାଇଗର । ଆଉ ଶେଷରେ ମେଜର ରୋହିତ ଶୁକ୍ଳାଙ୍କ ଗୁଳିରେ ହିଁ ସମୀର ଟାଇଗରର ମୁଣ୍ଡ ଗଡିଛି । ପୁଲୱାମା ଏନକାଉଣ୍ଟର ଦ୍ଖିବା ଆଗରୁ ଦେଖିବା କେମିତି ସେହି ଆତଙ୍କୀ ସୋସିଆଲ୍ ମିଡିଆରେ ବାହାଦୁରି ମାରିଥିଲା । ପୁଲୱାମା ଏନକାଉଣ୍ଟରର ୨୪ଘଣ୍ଟା ଆଗରୁ ଭାଇରାଲ ହୋଇଥିଲା ଏହି ଭିଡିଓ । ସମୀର ଟାଇଗର ଗୁଇନ୍ଦା ଭାବରେ ଜଣଙ୍କୁ ଧରିଛି ଆଉ ତାକୁ ବିଭିନ୍ନ ପ୍ରଶ୍ନ ପଚାରିବାରେ ଲାଗିଛି । ଭିଡିଓର ଶେଷ ଆଡକୁ ସମୀର ଟାଇଗର କହୁଛି- ସିଂହ ଶିକାର ଛାଡିଦେଇଛି ବୋଲି ଜଙ୍ଗଲକୁ ନିଜର ବୋଲି ନଭାବୁ । ଶୁକ୍ଳାକୁ କହିଦେ ଯଦି ମାଆ କ୍ଷୀର ପିଇଥିବ ତେବେ ଆମ ସାମ୍ନାକୁ ଆସୁ । ଏହି ବାହାଦୁରିକୁ ମାତ୍ର ଘଣ୍ଟା ଯାଇନି, ଓଲଟି ଯାଇଥିଲା ପାଲି ।
୪୪ରାଷ୍ଟ୍ରୀୟ ରାଇଫଲସ୍ ର ମେଜର ରୋହିତ ଶୁକ୍ଳାଙ୍କୁ ମିଳିଥିଲା ସୁରାଗ । ପୁଲୱାମା ଡ୍ରାବଗାମ୍‌ ଗାଁର ଗୋଟିଏ ଘରେ ଲୁଚି ରହିଥିଲେ ସମୀର ଟାଇଗର ଏବଂ ତାଙ୍କ ସାଥୀ । ମେଜର ଶୁକ୍ଳାଙ୍କ ନେତୃତ୍ବରେ ଯବାନ ଘେରି ଯାଇଥିଲେ ସେହି ଘରକୁ । ଆତଙ୍କୀଙ୍କ ସମର୍ଥନରେ କିଛି ଲୋକ ଯବାନଙ୍କ ଉପରକୁ ପଥର ମାଡ କରିଥିଲେ । ଏସବୁକୁ ଖାତିର ନକରି ସୁରକ୍ଷା ବାହିନୀ ସେହି ଘର ଉପରକୁ ଗୁଳି ବର୍ଷା କରିଥିଲେ, ବିସ୍ଫୋରଣ ବି କରିଥିଲେ । ଯବାନଙ୍କ ପ୍ରଥମ ଶିକାର ହୋଇଥିଲା ଆତଙ୍କୀ ମୁସ୍ତାକ ଆଉ ଏହା ପରେ ସମୀର ଟାଇଗରଙ୍କ ମୁଣ୍ଡ ଗଡିଥିଲା । ଆତଙ୍କୀଙ୍କ ଗୁଳିରେ ମେଜର ଶୁକ୍ଳା ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ତେବେ ଆତଙ୍କୀଙ୍କ ଆହ୍ବାନକୁ ସାମ୍ନା କରି ସାହସ ଦେଖାଇଛନ୍ତି ମେଜର ରୋହିତ ଶୁକ୍ଳା ।
ଏପ୍ରିଲ ୩୦ତାରିଖ ପୁଲୱାମା ଏନକାଉଣ୍ଟର ପରେ ଆଜି କାଶ୍ମୀରର ସୋପିଆନରେ ମଧ୍ୟ ଆତଙ୍କୀଙ୍କୁ ମିଳିଛି କଡା ଜବାବ । ୫ଆତଙ୍କୀଙ୍କ ମୁଣ୍ଡ ଗଡିଛି । ଆତଙ୍କୀ ବୁରହାନ୍ ୱାନି ପରେ ଏବେ ତା ପୂରା ଗ୍ୟାଙ୍ଗ ସଫା ହୋଇ ଯାଇଛି । ଯବାନଙ୍କ ଅପରେସନରେ ଆତଙ୍କୀ ମହମ୍ମହଦ ରଫି ଭଟ୍ଟ ଏବଂ ଟପ୍ ହିଜବୁଲ ମୁଜାହିଡିନ୍ ଆତଙ୍କୀ ସଦ୍ଦାମ ପାଦର୍ ପ୍ରାଣ ହରାଇଛି ।

Leave A Reply

Your email address will not be published.