୨୦ ଲକ୍ଷ ହିତାଧିକାରୀ ପାଇନାହାନ୍ତି ରାସନ୍ କାର୍ଡରାସନ୍ :ତାଗିଦ୍ ପରେ ପୁଣି ଥରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜ୍ୟ ଫୁଡ କମିଶନ
ଭୁବନେଶ୍ୱର : ରାଜ୍ୟ ଫୁଡ୍ କମିଶନଙ୍କ ତାଗିଦ୍ ପରେ ବି ଲୋକଙ୍କୁ ମିଳିନି ରାସନ୍ କାର୍ଡ । କମିଶନଙ୍କ ବାରମ୍ବାର ତାଗିଦକୁ ଜିଲ୍ଲାପାଳମାନେ ଖାତିର୍ କରୁ ନଥିବା ବେଳେ ୨୦ ଲକ୍ଷ ହିତାଧିକାରୀ ହତାଶ । ଏଭଳି ସ୍ଥିତିରେ ପୁଣଥରେ କ୍ଷୋଭ ଭରା ଚିଠି ଲେଖିଛନ୍ତି କମିଶନ୍ । ସେପଟେ ଏହାକୁ ନେଇ ପୁଣି ଆରମ୍ଭ ହୋଇଛି ରାଜନୀତି ।
ଏଯାଏଁ ରାଜ୍ୟରେ ୨୦ ଲକ୍ଷ ହିତାଧିକାରୀ ରାସନ୍ କାର୍ଡ ପାଇଲେନି । ଚୂଡ଼ାନ୍ତ ତାଲିକାରେ ନାଁ ଥାଇ ବି ସେମାନେ ହତାଶ । ରାଜ୍ୟର ୮ ଟି ଜିଲ୍ଲାରେ ଏଭଳି ସ୍ଥିତି । ଅନୁଗୋଳ, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଜପତି, କୋରାପୁଟ, ମାଲକାନଗିରି ଓ ସମ୍ବଲପୁର ଜିଲ୍ଲାର ଅଧିକାଂଶ ହିତାଧିକାରୀ ୩ ବର୍ଷ ହେଲା ରାସନ୍ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ସେମାନଙ୍କୁ ରାସନ କାର୍ଡ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଫୁଡ୍ କମିଶନ । ସେହିଭଳି ୬୪ ହଜାରରୁ ଅଧିକ ହିତାଧିକାରୀ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଥିଲେ ବି ସେମାନଙ୍କ ଦରଖାସ୍ତ ଏଯାଏଁ ଭେରିଫାଏ ହୋଇନି । ସରକାରୀ ବ୍ୟବସ୍ଥାରେ ଏଭଳି ଅବହେଳା, ପୁଣି ଫୁଡ୍ କମିଶନଙ୍କ ବିରକ୍ତି, ବିରୋଧୀଙ୍କୁ ମୌକା ଦେଇଛି ।
୨୦୧୫ ଜାନୁଆରୀରୁ ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହୋଇଛି । କିନ୍ତୁ ଏବେ ବି ବହୁ ଲୋକ କାର୍ଡ ପାଇ ନାହାନ୍ତି । ୨୦୧୮ ଜାନୁଆରୀରୁ ମାର୍ଚ୍ଚ ଭିତରେ ପାଖାପାଖି ୪୯ ହଜାର ହିତାଧିକାରୀ ନୂଆ କାର୍ଡ ପାଇଁ ଆବେଦନ କରିବା ଚିନ୍ତାର ବିଷୟ ପାଲଟିଛି । ମୃତ ବ୍ୟକ୍ତିଙ୍କ ନାଁକୁ ହିତାଧିକାରୀ ତାଲିକାରୁ ବାଦ୍ ଦେବା ପ୍ରକ୍ରିୟା ବି ବିଳମ୍ବ ହେଉଛି । ପାଖାପାଖି ୩ ଲକ୍ଷ ମୃତ ବ୍ୟକ୍ତିଙ୍କ ନାଁ ଏବେ ବି ତାଲିକାରେ ଗଡୁଛି । ଯାହାକୁ ଜୁନ୍ ସୁଦ୍ଧା ବାଦ୍ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଯୋଗାଣ ମନ୍ତ୍ରୀ କହିଛନ୍ତି ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯିବ ।
ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ବେଳେ ବ୍ୟାପକ ଜାଲିଆତି ଅଭିଯୋଗ ଆସିଥିଲା । ବିଜେଡିର କିଛି ନେତା ଓ କର୍ମୀ ହେରଫେର କରିଥିବା ବିରୋଧୀ ସାମ୍ନାକୁ ଆଣିଥିଲେ । ଯାହାକୁ ନେଇ ବେଶ୍ କିଛି ଦିନ ରାଜନୀତି ସରଗରମ ହେଲା । ହେଲେ ଏଯାଏଁ ବ୍ୟବସ୍ଥାରେ ସୁଧାର ଆସିଲାନି
