ପୁଣି ତୃତୀୟ ସାମୁଖ୍ୟ ଚର୍ଚ୍ଚା : କେସିଆରଙ୍କ ନିମନ୍ତ୍ରଣକୁ ନବୀନଙ୍କ ନା

ଭୁବନେଶ୍ବର : ପୁଣି ତୃତୀୟ ସାମୁଖ୍ୟ ଚର୍ଚ୍ଚା । ତୃତୀୟ ସାମୁଖ୍ୟର ନେତୃତ୍ବ ନେଉଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ନବୀନ ପଟ୍ଟନାୟଙ୍କୁ ନିମନ୍ତ୍ରଣ କରିବା ପରେ ଚର୍ଚ୍ଚା ଆଗକୁ ବଢିଛି । ତେଲେଙ୍ଗାନାରେ ରୟତ ବନ୍ଧୁ ଯୋଜନା ଶୁଭାରମ୍ଭ  ଉତ୍ସବକୁ ନବୀନ ଯାଇ ନଥିଲେ ବି ଏହାକୁ ନେଇ ଜୋର ଧରିଛି ରାଜ୍ୟ ରାଜନୀତି । ଆଉ ବିରୋଧୀ ବି ଏଥିରୁ ଭିନ୍ନ ଭିନ୍ନ ଅର୍ଥ ବାହାର କରିଛନ୍ତି ।

ଅବସର ଥିଲା ରୟତ ବନ୍ଧୁ ଯୋଜନା ଶୁଭାରମ୍ଭ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋଡିଥିଲେ । କାମ ବ୍ୟସ୍ତତା ଦେଖାଇ କାର୍ଯ୍ୟକ୍ରମକୁ ଯାଇନଥିଲେ ନବୀନ । ହେଲେ ଏହି ବନ୍ଧୁ ନିମନ୍ତ୍ରଣ ସହ ତୃତୀୟ ସାମୁଖ୍ୟ ଚର୍ଚ୍ଚା ବି ଉଠିଛି । କାରଣ ତୃତୀୟ ସାମୁଖ୍ୟ ଗଢିବାକୁ ବନ୍ଧୁ ଖୋଜୁଛନ୍ତି କେସିଆର । ସେଥିପାଇଁ କାର୍ଯ୍ୟକ୍ରମକୁ ବିଭିନ୍ନ ଆଞ୍ଚଳିକ ଦଳର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ । ବିଜେପି ଓ କଂଗ୍ରେସଠୁ ସମଦୂରତା ରଖିଥୁବା ନବୀନଙ୍କୁ ତୃତୀୟ ସାମୁଖ୍ୟରେ ସାମିଲ କରିବା ନେଇ ଚର୍ଚ୍ଚା ଯୋର ଧରିଥିଲା । ହେଲେ ମାପି ଚୁପି ରାଜନୀତିର ଗୋଟି ଚଳାଉଥିବା ନବୀନ କେସିଆରଙ୍କ ନିମନ୍ତ୍ରଣକୁ ସମାନ ଢଙ୍ଗରେ ହ୍ୟାଣ୍ଡେଲ କରିଛନ୍ତି । କେସିଆରଙ୍କ ନିମନ୍ତ୍ରଣରେ ରୟତ ବନ୍ଧୁ ଯୋଜନା ଶୁଭାରମ୍ଭ  ଉତ୍ସବକୁ ନବୀନ ଯାଇନାହାନ୍ତି ।

ବିଜେପି ଓ କଂଗ୍ରେସକୁ ଛାଡି ଅନ୍ୟ ରାଜନୈତିକ ଦଳ, ଖାସ କରି ଜାତୀୟ ରାଜନୀତିରେ ଗୁରୁତ୍ବ ରଖୁଥିବା ଆଞ୍ଚଳିକ ଦଳ ଗୁଡିକୁ ଏକାଠି କରି ତୃତୀୟ ସାମୁଖ୍ୟକୁ ଆଗକୁ ବଢାଇବାକୁ ଅଣ୍ଟା ଭିଡିଛନ୍ତି କେସିଆର । ତେଣୁ ତେଲେଙ୍ଗାନାର ସରକାରୀ ଉତ୍ସବକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ଡକରା , ରାଜ୍ୟରେ ବିରୋଧୀଙ୍କୁ ଆଲୋଚନା ପାଇଁ ଖୋରାକ ଯୋଗାଇଛି । ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ବିଜେଡି କଂଗ୍ରେସ ସହ ହାତ ମିଳାଇଛି ଦଳର ନୀତି ଓ ନୈତିକତା ନାହିଁ । ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ତୃତୀୟ ସାମ୍ମୁଖ୍ୟ ହେଉଛି ବିରୋଧୀଙ୍କୁ ଦୁର୍ବଳ କରିବା ଲାଗି ମୋଦିଙ୍କ ଆଉ ଏକ ଚାଲ ।

ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆପ ମୁଖ୍ୟତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲ, ଡିଏମକେ ମୁଖ୍ୟ କରୁଣା ନିଧି ଓ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ସହ କେସିଆର ଆଲୋଚନା କରିଛନ୍ତି । ବିଜେଡି ସୁପ୍ରିମୋଙ୍କୁ ମଧ୍ୟ ସାକ୍ଷାତ କରିବା ଲାଗି ଚାହିଁଥିଲେ । ଆଉ ଏବେ ସରକାରୀ ଉତ୍ସବକୁ ନବୀନଙ୍କୁ ନିମନ୍ତ୍ରଣ ଅଧ୍ୟାୟ, ରାଜନୀତିକୁ ସରଗରମ କରିଛି ।

Leave A Reply

Your email address will not be published.