ଭୁବନେଶ୍ବର : କଟକରେ ପହରଦିନ ମୋଦି ବଜାଇବେ ବାଜା । ଦେଶବାସୀଙ୍କ ଆଗରେ ବଖାଣିବେ ନିଜ ସରକାରର ୪ ବର୍ଷର ସଫଳତା । ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦିନରାତି ଏକ୍ କରି ଦେଇଛି ରାଜ୍ୟ ବିଜେପି । ଏଥି ସହିତ ଶକ୍ତି ପ୍ରଦର୍ଶନ ପାଇଁ ରଣନୀତି କରିଛି ଦଳ । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତପୂର୍ବରୁ ଗତକାଲି କଂଗ୍ରେସ କଂଗ୍ରେସ ପଚାରିଥିବା ପ୍ରଶ୍ନର ଜବାବ ରଖିଛି ବିଜେପି । ସେପଟେ ବିଜେଡି କହିଛି, ଲୋକେ ସବୁ ହିସାବ ଜାଣିଛନ୍ତି, ନିର୍ବଚନ ବେଳେ ଠିକଣା ଜବାବ ଦେବେ ।
ହିସାବ ଦେବେ ପ୍ରଧାନମନ୍ତ୍ରୀ । ନିଜ ସରକାରର ୪ ବର୍ଷ ପୂର୍ତ୍ତି ଅବସରରେ କଟକ ବାଲିଯାତ୍ରା ପଡ଼ିଆରେ ଜନଜାଗରଣ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଯେଉଁଠି ଏକ ରକମ ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା କରିଛି ରାଜ୍ୟ ବିଜେପି । ପ୍ରଧାମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି କଂଗ୍ରେସ କିଛି ପ୍ରଶ୍ନ ଛାଡ଼ିଥିଲା । ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ଏବଂ ରାଜ୍ୟପାଇଁ ୧ ଲକ୍ଷ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ ବୋଲି ଦାବି ରଖିଥିଲା କଂଗ୍ରେସ । ଯାହାର ଜବାବ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି । ବୁଲାଇ ବଙ୍କେଇ ସବୁ ଦୋଷ କଂଗ୍ରେସ ଉପରେ ଲଦି ଦେଇଛନ୍ତି ଧର୍ମେନ୍ଦ୍ର ।
ଧର୍ମେନ୍ଦ୍ରଙ୍କ ଜବାବର ଉତ୍ତର ଦେଇଛି କଂଗ୍ରେସ । ୟୁପିଏ ନୁହେଁ ବରଂ ଏବେ ଓଡ଼ିଶା ଅଧିକ ଉପେକ୍ଷିତ ହେଉଥିବା କଂଗ୍ରେସ କହିଛି । ସେପଟେ ବିଜେଡିର କହିବା କଥା, ଲୋକେ ସବୁ ହିସାବ ଜାଣିଛନ୍ତି । ବିଜେପୁର ଭଳି ଉଚିତ ଜବାବ ବି ଦେଉଛନ୍ତି ।
ବିଜେପୁର ଝଟକା ପରେ ରାଜ୍ୟ ବିଜେପି ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗି ଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ମାଧ୍ୟମରେ ଦଳ ପୂର୍ବ ଜୋଶ୍ ଫେରି ପାଇବାକୁ ଆଶା ରଖିଛି । ଏଥି ସହିତ ଉପକୂଳ ଓଡ଼ିଶାରେ ନିଜ ଗଡ ମଜଭୁତ କରିବାକୁ ରଣନୀତି କରିଛି ।
