ଫିଟନେସ୍‌ ପଲିଟିକ୍ସ : ବିରୋଧୀଙ୍କ ମୋଦିଙ୍କୁ ଚାଲେଞ୍ଜ

ଭୁବନେଶ୍ବର : ଆଗରୁ ଅନେକ ଥର ମୋଦିଙ୍କ ଫିଟନେସ୍ ନେଇ ଚର୍ଚ୍ଚା ହୋଇଛି । ଦିନକୁ ୧୮ଘଣ୍ଟା କାମ କରିବା, ମାରାଥନ ପ୍ରଚାର କରିବା ହେଉ କି ଯୋଗାସନ କରିବା ହେଉ । ହେଲେ ଏଥର ବିରାଟ କୋହଲିଙ୍କ ଫିଟନେସ୍ ଚାଲେଞ୍ଜକୁ ଗ୍ରହଣ କରି ଅଡୁଆରେ ପଡି ଯାଇଛନ୍ତି ପ୍ରଧାନମନ୍ତ୍ରୀ । ରାଜନୀତି ଭିତରକୁ ପଶି ଆସିଛି ଫିଟନେସ୍‌ । ଏହାକୁ ଗଣ୍ଠି କରି ବିରୋଧୀ ଦେଇଛନ୍ତି ନୂଆ ଚାଲେଞ୍ଜ- ଫୁଏଲ୍‌ ଫିଟନେସ୍ ।

ପୁସ୍‌ ଅପ୍ ପଲିଟିକ୍ସ । ଫିଟନେସ୍‌ ଚାଲେଞ୍ଜ ରାଜନୀତି । ହମ୍‌ ଫିଟ ତୋ ଇଣ୍ଡିଆ ଫିଟ୍‌- କେନ୍ଦ୍ର କ୍ରୀଡାମନ୍ତ୍ରୀ ରାଜବର୍ଦ୍ଧନ ସିଂ ରାଠୋରଙ୍କ ଫିଟନେସ୍‌ ଚାଲେଞ୍ଜ ପରେ ଜୋର ଧରିଛି ରାଜନୀତି । ନିଜ ଅଫିସ ଭିତରେ ପୁସ୍‌ ଅପ୍‌ କରୁଥିବା ଭିଡିଓକୁ ଟୁଇଟର ଆକାଉଣ୍ଟରେ ଅପଲୋଡ କରିଥିଲେ କେନ୍ଦ୍ରମନ୍ତ୍ରୀ । ରାଠୋରଙ୍କ ଚାଲେଞ୍ଜକୁ ସ୍ବୀକାର କରି ବିରାଟ କୋହଲି ମଧ୍ୟ ନିଜର ଫିଟନେସ୍‌ ଭିଡିଓ ଅପଲୋଡ କରିଥିଲେ । ଆଉ ଚାଲେଞ୍ଜ ଦେଇଥିଲେ- ପତ୍ନୀ ଅନୁଷ୍କା, ମାହି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ । ବିରାଟଙ୍କ ଚାଲେଞ୍ଜକୁ ମୋଦି ଗ୍ରହଣ କରି ଟୁଇଟ୍ କରି ଦେଲେ- ମୁଁ ଖୁବ ଶୀଘ୍ର ମୋର ଫିଟନେସ୍‌ ଭିଡିଓ ଅପଲୋଡ୍ କରିବି ।

ମୋଦି ଭାବିଥିଲେ ଖେଳରେ ଖେଳରେ କଥା ସରିଯିବ । ହେଲେ ରାଜନୀତି ପଶିଗଲା । ଫିଟନେସ୍ କୁ ଗଣ୍ଠି କରି ବିରୋଧୀ ମୋଦିଙ୍କୁ ଦେଇଦେଲେ ଚାଲେଞ୍ଜ । ହମ୍‌ ଫିଟ ତୋ ଇଣ୍ଡିଆ ଫିଟ୍‌ ବଦଳରେ ଏବେ ମୋଦିଙ୍କୁ ଇଣ୍ଡିଆ ଫିଟ୍‌ ତୋ ହମ୍‌ ଫିଟ ଚାଲେଞ୍ଜ ଦେଇଛନ୍ତି ବିରୋଧୀ । କର୍ଣ୍ଣାଟକ ମଇଦାନରେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ବିରୋଧୀ । ୨୦୧୯ ବିରୋଧୀଙ୍କ ପାଇଁ ଅଗ୍ନିପରୀକ୍ଷା । ତେଣୁ ମୋଦିଙ୍କୁ ଘେରିବାକୁ କୌଣସି ମଉକା ହାତଛଡା କରିବା ଲାଗି ପ୍ରସ୍ତୁତ ନୁହନ୍ତି ବିରୋଧୀ । ଆରଜେଡି ନେତା ତେଜସ୍ବୀ ଯାଦବ ଟୁଇଟ୍ କରି ମୋଦିଙ୍କ ଆଗରେ ରଖିଛନ୍ତି ୩ଟି ଚାଲେଞ୍ଜ- ଯୁବକଙ୍କୁ ନିଯୁକ୍ତି, ଚାଷୀଙ୍କୁ ଆଶ୍ବସ୍ତି ଆଉ ଦଳିତ ହିଂସା ଉପରେ ରୋକ । ଏହାକୁ ସ୍ବୀକାର କରିବାକୁ ଆହ୍ବାନ କରିଛନ୍ତି । ଠିକ ସେହିପରି କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ଦେଇଛନ୍ତି ୫ଟି ଚାଲେଞ୍ଜ । ଯାହା ଭିତରେ ରହିଛି- ତେଲ ଦର ହ୍ରାସ, ନିଯୁକ୍ତି ଫିଟନେସ୍, ଦେଶର ଆର୍ଥିକ ଫିଟନେସ୍, ଏମ୍‌ଏସ୍‌ପି ଫିଟନେସ୍ ଏବଂ ଦେଶକୁ ଦୁର୍ନିୀତିମୁକ୍ତ କରିବା ଚାଲେଞ୍ଜ ।

କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ଭଳି ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜଜୁ ମଧ୍ୟ ନିଜ ଅଫିସ ଭିତରେ ପୁସଅପ୍‌ କରୁଥିବା ଭିଡିଓ ଅପଲୋଡ କରିଛନ୍ତି । ସେହିପରି ହ୍ରିତିକ୍‌, ଟାଇଗର ସ୍ରଫଙ୍କଠାରୁ ଆରମ୍ଭ କରି ଆହୁରି ଅନେକ ବଲିଉଡ ସେଲିବ୍ରିଟି ଫିଟନେସ୍ ଚାଲେଞ୍ଜ ଗ୍ରହଣ କରିଛନ୍ତି । ସେପଟେ ବିରାଟଙ୍କ ଚାଲେଞ୍ଜ ଗ୍ରହଣ କରି ଅନୁଷ୍କା ମଧ୍ୟ ୱେଟ ଲିଫ୍ଟ କରିବା ଭିଡିଓ ଅପଲୋଡ କରିଛନ୍ତି । ତେବେ ମୋଦିଙ୍କ ପାଇଁ ଏହି ଚାଲେଞ୍ଜ କେବଳ ଫିଟନେସ୍ ଭିତରେ ସୀମିତ ରହିନାହିଁ । ତେଲ ଦର ବୃଦ୍ଧି ନେଇ ଚିନ୍ତା ଘାରିଥିବା ବେଳେ, ଦେଶର ଫିଟନେସ୍‌ ନେଇ ବିରୋଧୀ ଘେରିଛନ୍ତି । ତେବେ ଏହା ତ ନିଶ୍ଚିତ ସାରା ଦେଶର ଆଶା ଏବଂ ଅପେକ୍ଷା, ସମସ୍ତେ ଫିଟ୍‌ ରୁହନ୍ତୁ ଆଉ ଦେଶ ବି ଫିଟ ରହୁ।

Leave A Reply

Your email address will not be published.