ବିଜେଡି ଛାଡିଲେ ବୈଜୟନ୍ତ : ନବୀନଙ୍କୁ ଲେଖିଲେ ୩ ଫର୍ଦ୍ଦିଆ ଚିଠି, ସାଂସଦ ପଦରୁ ବି ଦେବେ ଇସ୍ତଫା

ଭୁବନେଶ୍ୱର :  ବିଜେଡିରୁ ଇସ୍ତଫା ଦେଲେ ବୈଜୟନ୍ତ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଏକ ୩ଫର୍ଦ୍ଦିଆ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ବୈଜୟନ୍ତ ପଣ୍ଡା । ସେଥିରେ ସେ ସ୍ପଷ୍ଟଭାବେ ଲେଖିଛନ୍ତି ଯେ ଯେହେତୁ ତାଙ୍କ ବାପାଙ୍କ ଦେହାନ୍ତ ପରେ ତାଙ୍କ ଘରକୁ ସମବେଦନା ଜଣାଇବାକୁ ନବୀନ ଗଲେ ନାହିଁ ଏବଂ ଦଳୀୟ ନେତା ଓ କର୍ମୀଙ୍କୁ ବି ଯିବାକୁ ଦିଆଗଲା ନାହିଁ ସେଥିପାଇଁ ଦଳରୁ ଇସ୍ତଫା ଦେଇଥିବା ସାଂସଦ ସ୍ପଷ୍ଟଭାବେ ଲେଖିଛନ୍ତି । ଆଗରୁ ଦଳ ତାଙ୍କୁ ଦଳ ବିରୋଧି କାର୍ଯ୍ୟପାଇଁ ନିଲମ୍ବିତ କରି ସାରିଥିଲା । ଏବେ ବୈଜୟନ୍ତ କଣ ରାଜନୈତିକ ନିଷ୍ପତି ନେଉଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।….ଶେଷରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ଗତ କିଛି ମାସ ହେଲା ଦଳ ଓ ସାଂସଦଙ୍କ ଭିତରେ ଚାଲିଥିଲା ବାଦ ବିବାଦ ଓ ଛକାପଞ୍ଛା । ବିଜେଡିରେ ଗୁଣ୍ଡାଗିରି ବଢିଯାଇଛି ଏବଂ କୋର୍ସକରେକ୍ସନର ଆବଶ୍ୟକତା ଅଛି କହି କେତେବେଳେ ବୈଜୟନ୍ତ ଚର୍ଚ୍ଚାରେ ରହୁଥିଲେ ତ ଆଉ କେତେବେଳେ ସାଂସଦ ଦଳ ବିରୋଧୀ କାମରେ ଲିପ୍ତ ଥିବା ଦଳ ଅଭିଯୋଗ କରୁଥିଲା । ଗତ ଜାନୁଆରୀ ମାସରେ ଦଳ ତାଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ନିଲମ୍ବିତ କରିଥିଲା । ହେଲେ ବହିସ୍କାର କରିନଥିଲା, ଏକଘରିକିଆ କରି ରଖିଥିଲା । ବୈଜୟନ୍ତଙ୍କ ବାପା ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ବିୟୋଗରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି କେହି ଦଳୀୟ ନେତା ସମବେଦନା ଜଣାଇବାକୁ ଯାଇନଥିଲେ । ଏହା ମର୍ମାହତ କରିଥିବା କହି ଇସ୍ତଫା ନିସ୍ପତି ଦେଇଥିବା ନବୀନଙ୍କୁ ଇସ୍ତଫା ପତ୍ର ଲେଖି ଜଣାଇଛନ୍ତି ବୈଜୟନ୍ତ। ତେବେ ଏହା ଉପରେ ଦଳ ତରଫରୁ ସେଭଳି ଠୋସ୍ ପ୍ରତିକ୍ରିୟା ପ୍ରକାଶ ପାଇନି । ବିଜେଡି କହିଛି ସାଂସଦଙ୍କ ବାପାଙ୍କ ଦଶାହ କାର୍ଯ୍ୟପରେ ବିଦ୍ଧିବଧ ଭାବେ ପ୍ରତିକ୍ରିୟା ରଖାଯିବ ।

ପ୍ରଶ୍ନ ଉଠୁଛି ବୈଜୟନ୍ତଙ୍କ ଇସ୍ତଫା ପରେ କଣ ହେବ ରାଜ୍ୟ ରାଜନୀତିର ଚିତ୍ର । ଯେହେତୁ ବୈଜୟନ୍ତ ବିଜେଡିର ହାଇ ପ୍ରୋଫାଇଲ ନେତା ଥିଲେ ସେ ଇସ୍ତଫା ଦେବା ପରେ ଦଳ ଉପରେ ଏହାର ପ୍ରଭାବ ପଡିବ କି ନା ସେନେଇ ତର୍ଜମା ହେବା ସ୍ବାଭାବିକ । ଏକଥା ବି ଚର୍ଚ୍ଚା ହେଉଛି ସେ କେଉଁ ଦଳରେ ମିଶିବେ ନା ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ଏକାଠି କରି ନୂଆ ଦଳ ଗଢିବେ । ତାଙ୍କ ସାଂସଦ ପଦବୀ ଯିବାପରେ ଖାଲି ପଡିବାକୁ ଥିବା କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ୬ ମାସ ଭିତରେ ନିର୍ବାଚନ ହେବ କି ନାହିଁ । ଅବଶ୍ୟ ଇସ୍ତଫା ବିଷୟରେ ପରେ ଲୋକସଭା ବାଚସ୍ପତିଙ୍କୁ ଜଣାଇବେ ବୋଲି ବୈଜୟନ୍ତ କହିଛନ୍ତି । ହେଲେ ଦଳ ଲୋକସଭା ବାଚସ୍ପତିଙ୍କୁ ଜଣାଇବ କି ନାହିଁ ସ୍ପଷ୍ଟ ହୋଇନି । ତେବେ ବୈଜୟନ୍ତଙ୍କ ପାଇଁ ଦ୍ବାର ଖୋଲା ଥିବା ପରୋକ୍ଷରେ ସଙ୍କେତ ଦେଇଛନ୍ତି ଏପଟେ ବିଜେପି ଓ କଂଗ୍ରେସ ପକ୍ଷରୁ ଶୀର୍ଷ ନେତୃତ୍ବ । ବୈଜୟନ୍ତ ଆସିଲେ ସ୍ବାଗ ବୋଲି କୋନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ବୈଜୟନ୍ତଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ଉପରେ ସବୁଦଳର ନଜର ରହିବ । ଅନ୍ୟପଟେ ବୈଜୟନ୍ତଙ୍କ ସବୁ ବାଟ ବନ୍ଦ କରିବାକୁ ବିଜେଡି କଣ ପଦକ୍ଷେପ ନେଉଛି ତା ଉପରେ ମଧ୍ୟ ନଜର ।

Leave A Reply

Your email address will not be published.