ମହାନଦୀ ପ୍ରସଙ୍ଗରେବିଜେଡି ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ବିଜେପି

ଭୂବନେଶ୍ୱର: ମହାନଦୀକୁ ନେଇ ଶାସକ ବିଜେଡି କେବଳ ରାଜନୀତି କରୁଛି । ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ନୁହେଁ ବରଂ ଦଳୀୟ ସ୍ୱାର୍ଥ ରକ୍ଷା ପାଇଁ ଆଗେଇ ଆସିଛନ୍ତି ଶାସକ ବିଜେଡିର ଛାମୁଆ ନେତାଗଣ । ଦୀର୍ଘ ବର୍ଷ ଶାସନ କ୍ଷମତା ପରେ ମଧ୍ୟ ମହାନଦୀ ସମେତ ରାଜ୍ୟରେ ପ୍ରବାହିତ ହେଉଥିବା ଅନ୍ୟ ନଦୀଜଳର ଟୋପାଏଟିଏ ମଧ୍ୟ ସଂରକ୍ଷଣ କରି ରଖିବାରେ ବିଫଳ ହୋଇଥିବା ବିଜୁ ଜନତା ଦଳ କ୍ରମାଗତ ଡ୍ରାମାବାଜି କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିଚାଲିଛି ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି ଅଭିଯୋଗ କରି କହିଛନ୍ତି ଯେ, ଶାସନ କ୍ଷମତାରେ ଅହଂକାରୀ ବିଜେଡିର ଯେଉଁ ନେତାମାନେ ମନ୍ତ୍ରୀପଦ ଛାଡି ସାମ୍ବାଦିକ ସମ୍ମିଳନୀ କରୁଛନ୍ତି, ସେହି ନେତାମାନେ ଅତୀତରେ ଚିଟ୍ ଫଣ୍ଡ, ପିସି କାରବାର, ବେନିୟମ ଖଣି ଖନନ ଆଦି ବିଭିନ୍ନ ଦୁର୍ନୀତିମୂଳକ କାର୍ଯ୍ୟରେ ବ୍ୟସ୍ତ ରହି ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରିଛନ୍ତି । ଆଉ ଏ ସମସ୍ତ ଘଟଣାଗୁଡିକ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ପ୍ରୋତ୍ସାହନରେ ହୋଇଛି । ଏଭଳି ଦୁର୍ନୀତିମୂଳକ କାର୍ଯ୍ୟରେ ଲିପ୍ତ ଓ ବ୍ୟସ୍ତ ଥିବା କାରଣରୁ ରାଜ୍ୟର ବିକାଶ ବାଧାପ୍ରାପ୍ତ ହେବା ସହ ବହୁ କ୍ଷତି ମଧ୍ୟ ହୋଇଛି । ୟୁପିଏ ସରକାରଙ୍କ ଅମଳରେ ନଦୀ ଜଳ ସଂରକ୍ଷଣ ଏବଂ ମହାନଦୀ ପାଣି ସୁରକ୍ଷା ନେଇ କୈାଣସି ଆଲୋଚନା ମଧ୍ୟ କରି ନଥିଲେ । “ନେଡି ଗୁଡ କହୁଣୀକୁ ବୋହି ଗଲା” ପରେ ଶାସକ ବିଜେଡି ନିଜ ଅପାରଗତାକୁ ଲୁଚାଇବା ପାଇଁ ବର୍ତମାନ ମହାନଦୀକୁ କେବଳ ରାଜନୀତି ପ୍ରସଙ୍ଗ କରି ନିଜ ଅସ୍ତିତ୍ୱକୁ ବଂଚାଇବା ପାଇଁ ହୀନ ଉଦ୍ୟମ କରୁଛି । କ୍ଷମତା ନିଶାରେ ଅହଂକାରୀ ହୋଇ ପଡିଥିବା ଶାସକ ବିଜେଡିର ବେପାରୁଆ ମନୋଭାବ କାରଣରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଅପର ପକ୍ଷରେ ରାଜ୍ୟ ସରକାର ମହାନଦୀ ପାଇଁ ଗଠିତ ଟ୍ରିବ୍ୟୁନାଲରେ ସଠିକ ଦସ୍ତାବିଜ ଦାଖଲ କରି ରାଜ୍ୟବାସୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖନ୍ତୁ । ନଚେତ ଆଗାମୀ ପୀଢି ଏହି ଅପାରଗ ସରକାରକୁ କଦାପି କ୍ଷମା ଦେବେ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.