ବାରିପଦା : ପୋଲିସ୍ ଜାଲରେ ନକଲି ଆଇଏଏସ୍ ଅଫିସର । ଫେସବୁକରେ ଫେକ୍ ବୁକ୍ ଆଇଡି କରି ବାବୁ ଚଳାଇଥିଲେ କାରସାଦି । ନକଲି ଆଇଏଏସ୍ ଅଫିସରର ପରିଚୟ ଦେଇ ସାଦି କରିବା ଠାରୁ ଆରମ୍ଭ କରି ଅନେକ ପ୍ରକାର ଠକି ଚାଲିଥିଲେ । ତେବେ ଜଣେ ଆଇଏଏସ୍ ଅଫିସର ଜିଲ୍ଲା ଆଇବି–ରେ ନରହି, ଛତୁଆ ସେଣ୍ଟରରେ ରହିବା କାଳ ହେଲା । ହାବଭାବକୁ ଲୋକେ ସନ୍ଦେହ କଲେ, ଆଉ ମାଡ଼ି ବସିଲା ପୋଲିସ୍ ।
ଫେସବୁକରେ ବାବୁଙ୍କ ଚେହେରା ଦେଖନ୍ତୁ । ଆଉ ଇଣ୍ଟ୍ରୋରେ ଦେଖନ୍ତୁ ବାବୁ କିଏ । ବାବୁ ହେଉଛନ୍ତି କଲେକ୍ଟର୍ ଆଟ୍ ଇଣ୍ଡିଆନ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ୍, ଇଂରାଜୀରେ କାଲକାଟା ଲେଖା ହୋଇଥିବା କଥା ଛାଡ଼ନ୍ତୁ … ବାବୁ କିନ୍ତୁ ଲେଖିଛନ୍ତି, ସେ କାଲକାଟା ଯୁନିଭରସିଟିରୁ ଇଞ୍ଜିନିୟରିଂ କରିଛନ୍ତି । ଇଣ୍ଟ୍ରୋରେ ଲେଖିଛନ୍ତି ସେ କଟକରୁ କିନ୍ତୁ ରହୁଛନ୍ତି ଦିଲ୍ଲୀରେ । ଚିକଣ ଚାକଣ ଚେହେରାର ବେଶ୍ ଉପଯୋଗ କରିଛନ୍ତି ଏ ବାବୁ ଜଣକ । ନିଜକୁ ଆଇଏଏସ୍ ଅଫିସର ବୋଲି କହି ବେଶ୍ କିଛି କାରନାମା କରିଛନ୍ତି ସେ । ଅନେକ ଝିଅକୁ ସୋସିଆଲ ମିଡିଆରେ ଫସେଇ ବିବାହ କରୁଥିଲେ । ଆଉ ଏବେ ମୟୂରଭଞ୍ଜ ଖୁଣ୍ଟା ପୋଲିସ୍ ଜାଲରେ ପଡ଼ିଛନ୍ତି ଏହି ନକଲି ଆଇଏଏସ୍ ଅଫିସର ।
ଏ ନକଲି ବାବୁ ଜଣକ ହେଉଛନ୍ତି ରଜତ ପଣ୍ଡା । ଘର ଭଦ୍ରକ ତିହିଡ଼ି ଅଞ୍ଚଳରେ । କିନ୍ତୁ ଫେସବୁକ୍ ଆଇଡିରେ ବାବୁଙ୍କ ନାଁ ରହିଛି ସହେଲା ପଣ୍ଡା ଲିଙ୍ଗରାଜ । ମାଲକାନଗିରି ଉପ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନାଁରେ ଏମିକି ଫେକ୍ ଆଇଡି ଖୋଲି, ବାବୁ ଚଳାଇଥିଲେ କାରସାଦି । ନିଜକୁ ଆଇଏଏସ୍ ଅଫିସର କହି ଗତମାସ ୨୦ ତାରିଖରେ ଦାମୋଦରପୁର ଅଞ୍ଚଳର ଜଣେ ଝିଅଙ୍କୁ ଉଦଳା ତାରିଣୀ ମନ୍ଦିରରେ ବିବାହ କରିନ୍ତି ।ବାବୁଙ୍କ ମୁଖା ଖୋଲିଯିବା ପରେ ମଧ୍ୟ ତାଙ୍କ ସ୍ତ୍ରୀଙ୍କ ପକ୍ଷରୁ କୌଣସି ଅଭିଯୋଗ ଆସିନି । ତେବେ ପୋଲିସକୁ ମିଳିଥିବା ସୂଚନା ଅନୁୟାୟୀ, ସିସୋର୍ ଚିଟଫଣ୍ଡ ସଂସ୍ଥା ସହ ଜଡ଼ିତ ଏହି ଲୋକ ଜଣକ ୨୦୧୪-୧୫ ମସିହାରେ କିଛିଦିନ ପାଇଁ ଭୁବନେଶ୍ବରର ଝାରପଡ଼ା ଜେଲରେ ଥିଲେ । ଭୁବନେଶ୍ବରର ଏକ ସିକ୍ୟୁରିଟି ସଂସ୍ଥାରେ ରହି କାମ କରୁଥିଲେ । ତେବେ ଆଇଏଏସ୍ ଅଫିସରର ପରିଚୟ ରାଜ୍ୟର ବିଭିନ୍ନ ସ୍ଥାନରେ ଠକି ଚାଲିଥିଲେ । ଚାକିରି କରାଇ ଦେବାକୁ କହି ମୟୂରଭଞ୍ଜ ଖୁଣ୍ଟା ଅଞ୍ଚଳର କିଛି ଯୁବକ ଯୁବତୀଙ୍କୁ ଠକିଥିବା ଜଣାପଡ଼ିଛି । ତେବେ ବାବୁ ଜଣକ ଜିଲ୍ଲା ଆଇବିରେ ନରହି, ଖୁଣ୍ଟା ଛତୁଆ ସେଣ୍ଟରରେ ରହିବା କାଳ ହେଲା । ଛତୁଆ ସେଣ୍ଟରରେ ଆଇଏଏସ୍ ଅଫିସରଙ୍କ ହାବଭାବକୁ ଲୋକେ ସନ୍ଦେହ କରି ପୋଲିକୁ ଜଣାଇଥିଲେ ।
ନକଲି ଆଇଏଏସ୍ ଅଫିସର ରଜତ ପଣ୍ଡାଙ୍କ ନାଁରେ ମାଲକାନଗିରି ଜିଲ୍ଲାରେ ମାମଲା ରହିଛି । ଯାହା ଉପରେ ଛାନଭିନ୍ କରିବାକୁ ଖୁଣ୍ଟା ଆସୁଛି ମାଲକାନଗିରି ଜିଲ୍ଲା ପୋଲିସ୍ ।
