ଶ୍ରୀମନ୍ଦିର ଅବ୍ୟବସ୍ଥା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ଅବ୍ୟବସ୍ଥା ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ବ୍ୟବସ୍ଥାକୁ କଟୁ ସମାଲୋଚନା କରିଛନ୍ତି । ଏହା ସହ ଶ୍ରୀମନ୍ଦିର ପ୍ରଶାସନ ବଷ୍ଣୋଦେବୀ, ତିରୁପତି ମନ୍ଦିର ପରିଚଳନାରୁ ବ୍ୟବସ୍ଥା ସଂପର୍କରେ ଶିଖିବାକୁ ନିର୍ଦ୍ଦେର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ମାମଲାରେ ସୁପ୍ରିମକୋର୍ଟରେ ମୃଣାଳିନୀ ପାଢୀ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଏହି ମାମଲାରେ ହାଇକୋର୍ଟ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିସହିତ ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥାର ଅନୁଧ୍ୟାନ ଲାଗି ଜିଲ୍ଲା କୋର୍ଟ କମିଟି ଗଠନ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । କମିଟି ଗଠନରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସବୁ ପ୍ରକାର ସହଯୋଗ କରିବାକୁ କୋର୍ଟଙ୍କ ନିର୍ଦ୍ଦେର୍ଶ ରହିଛି । ଶ୍ରୀମନ୍ଦିରରେ ଭକ୍ତଙ୍କ ଲାଗି କ’ଣ ସବୁ ସୁବିଧା ରହିଛି, କେତେ ସିସିଟିଭି ଲାଗିଛି ଓ ତାହା ଠିକ ଯାଞ୍ଚ ହେଉଛି କି ନାହିଁ ତା’ର ମଧ୍ୟ ଅନୁଧ୍ୟାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେର୍ଶ ଦେଇଛନ୍ତି । ଏହାସହ ଶ୍ରୀମନ୍ଦିରକୁ ମିଳୁଥିବା ଭକ୍ତଙ୍କ ଦାନ ମନ୍ଦିରର ଉନ୍ନତିରେ ଲାଗୁଛି କି ନାହିଁ ତା’ର ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଏଥିଲାଗି ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ରହିଛି । ପୂରା ଘଟଣାର ଅନୁଧ୍ୟାନ ଲାଗି ଗୋପାଳ ସୁବ୍ରମଣ୍ୟମଙ୍କୁ ଆମିକସ କ୍ୟୁରି ଭାବେ ନିଯୁକ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜୁନ ୩୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ବିଶେଷଜ୍ଞ ଟିମକୁ ନିର୍ଦ୍ଦେଶ ଦିଆଯାଇଛି । ମାମଲାର ଶୁଣାଣି ଜୁଲାଇ ୫ରେ ହେବ ।

Leave A Reply

Your email address will not be published.