ଗୁଣ୍ଡିଚା ମନ୍ଦିରରେ ନବମୀ ଦର୍ଶନ ବେଳେ ପୋଲିସର ଅସଦାଚରଣ:ପୋଲିସକୁ ଚାପୁଡା କଷିଲେ ମହିଳା,ସୋସିଆଲ ମିଡିଆରେ ଭିଜୁଆଲ ଭାଇରାଲ ପରେ ପୋଲିସର ତନାଘନା
ପୁରୀ:ବାହୁଡା ଯାତ୍ରା ପୂର୍ବରୁ ଅସଦାଚରଣ । ତାହାପୁଣି ଜଗନ୍ନାଥଙ୍କ ଆଗରେ । ଗତକାଲି ଶ୍ରୀଜିଉଙ୍କ ସାନ୍ଧ୍ୟ ଦର୍ଶନ ବେଳେ ଶରଧାବାଲିରେ ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ତାହା ପୁଣି ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ଥିବା ଜଣେ ପୋଲିସ୍ କର୍ମଚାରୀଙ୍କ ଦ୍ୱାରା । ମହିଳା ଜଣେ ଡାକ୍ତରୀ ଛାତ୍ର ହୋଇଥିବା ବେଳେ ଦର୍ଶନ ଲାଗି ସେ ଧାଡ଼ିରେ ଛିଡ଼ା ହୋଇଥିଲେ । ଏହି ସମୟରେ ଜଣେ ପୋଲିସ୍ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ କହିଛନ୍ତି । କେବଳ ତାଙ୍କୁ ନୁହେଁ ଧାଡ଼ିରେ ଦର୍ଶନ ପାଇଁ ଠିଆ ହୋଇଥିବା ଆଉ କିଛି ମହିଳାଙ୍କ ପ୍ରତି ମଧ୍ୟ ଅସଦାଚରଣ କରାଯାଇଛି । ତେବେ ଡାକ୍ତରୀ ଛାତ୍ର ଜଣକ ସାହାସ ଜୁଟାଇଥିଲେ । ପ୍ରତିବାଦ କରିଥିଲେ । ଏପରିକି ସଂପୃକ୍ତ ପୋଲିସ୍ କର୍ମଚାରୀଙ୍କ ଗାଲରେ ଚାପୁଡ଼ା ମଧ୍ୟ କଷିଛନ୍ତି । ପରେ ସେ ଏନେଇ ସୋସିଆଲ ମିଡିଆରେ ଭିଜୁଆଲ ଭାଇରାଲ କରିଥିବା ବେଳେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଛି । ଘଟଣାକୁ ନେଇ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ମୁଣ୍ଡ ଖରାପ ହୋଇଗଲାଣି । ଅତିରିକ୍ତ ଡିଜି ସତ୍ୟଜିତ ମହାନ୍ତି କହିଛନ୍ତି ଯେ, ଫେସବୁକ ପୋଷ୍ଟ ସଂପର୍କରେ ଖବର ଅଛି । ଏନେଇ ତଦନ୍ତ ଆରମ୍ଭ ହୋଇଛି । ସେପଟେ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ତଥ୍ୟକୁ ଆଧାର କରି ତଦନ୍ତ କରାଯିବ । ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୋସିଆଲ୍ ସାଇଟରେ ମହଳା ଜଣଙ୍କ ସାଂଘାତିକ ତଥ୍ୟ ରଖିଛନ୍ତି । ଅସଦାଚରଣ ଚରମ ସୀମାରେ ପହଞ୍ଚିଥିବା କହିଛନ୍ତି ମହିଳା । ଶାନ୍ତି ଶୃଙ୍ଖଳାରେ ଥିବା ପୋଲିସ୍ କର୍ମଚାରୀ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁ ଅସଦାଚରଣ କରିଥିବା ସେ କହିଛନ୍ତି । ଯାହା ତାଙ୍କୁ ଲଜ୍ଜିତ କରିଛି । ଯେଉଁଥି ପାଇଁ ମୁଁ ଧୈର୍ଯ୍ୟ ହରାଇ ସେ ତିନିଟି ଚାପୁଡ଼ା କଷି ଦେଇଥିବା କହିଛନ୍ତି । ପୁରୀ ଏସପିଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ପୁରୀରେ ନିୟମିତ ଘଟୁଛି ବୋଲି ଫେସବୁକରେ ଲେଖିଛନ୍ତି ମହିଳା ।
