ଭୁବନେଶ୍ବର : ବିବାହର ପ୍ରଲୋଭନ ଦେଖାଇ ବିଧବାଙ୍କ ସହ ସଂପର୍କ ରଖିଥିଲେ ଯୁବକ । ହେଲେ ଗର୍ଭବତୀ ହେବା ପରେ ଗର୍ଭନଷ୍ଟ ପାଇଁ ବାଧ୍ୟ କରିବା ସହ ମହିଳାଙ୍କୁ ଦେଲେ ନିର୍ଯାତନା । ଆଉ ଏଥିରେ ଭାଙ୍ଗି ପଡି ଆତ୍ମହତ୍ୟାର ବାଟ ବାଛିନେଲେ ଯୁବତୀ । ଭୁବନେଶ୍ବର ରେଳ ଷ୍ଟେସନରେ ଷ୍ଟୋରକିପର ଭାବରେ କାମ କରୁଥିବା ମଧୁସ୍ମିତା ପ୍ରଧାନ ଆତ୍ମହତ୍ୟା କରିଛନ୍ତି । ସୁଇସାଇଡ୍ ନୋଟ୍ ଜବତ ହେବା ପରେ ଆତ୍ମହତ୍ୟାର କାରଣ ଜଣାପଡିଛି । ଗତ ଶୁକ୍ରବାର ଭୁବନେଶ୍ବର ରେଳ ଷ୍ଟେସନରେ ଟ୍ରେନ୍ ଆଗକୁ ଡେଇଁ ମଧୁସ୍ମିତା ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏଥିରେ ତାଙ୍କ ଦୁଇଟି ଯାକ ଗୋଡ କଟି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜିଆରପି ପୁଲିସ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ଶୁକ୍ରବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମଧୁସ୍ମିତାଙ୍କ ପାଖରୁ ପୋଲିସ ଗୋଟିଏ ସୁଇସାଇଡାଲ୍ ନୋଟ୍ ଜବତ କରିଛି । ବାପି ବାବୁ ନାମକ ଜଣେ ଯୁବକଙ୍କ ପାଇଁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡାଲ୍ ନୋଟ୍ ରେ ଲେଖାଅଛି । କିନ୍ତୁ ବାପି ନାମକ ଯୁବକଙ୍କୁ ପୋଲିସ ଖୋଜି ପାଇନି । ସ୍ବାମୀଙ୍କ ମୃତ୍ୟୁ ପରେ ମଧୁସ୍ମିତାଙ୍କୁ ଭୁବନେଶ୍ବର ରେଳ ଷ୍ଟେସନରେ ଚାକିରୀ ମିଳିଥିଲା । ଗତ ଦୁଇ ମାସ ତଳେ ତାଙ୍କୁ ଚାକିରୀ ମିଳିଥିଲା । ତାଙ୍କୁ ବିବାହର ପ୍ରଲୋଭନ ଦେଖାଇଥିଲେ ବାପି ନାମରେ କେହି ଯୁବକ । ସୁଇସାଇଡାଲ୍ ନୋଟ୍ ଅନୁଯାୟୀ, ବାପି ବିବାହିତ । ମଧୁସ୍ମିତାଙ୍କ ପୁଅଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି । ତେବେ ଅଭିଯୁକ୍ତର ଟେର ପାଇନି ପୋଲିସ ।
