ନୂଆଦିଲ୍ଲୀ : ଫେସ୍ବୁକରେ ଯୁବତୀଙ୍କ ଫଟୋ ଦେଖି ମେଜର୍ ନିଖିଲ୍ ରାୟ ହଣ୍ଡା ହୋଇଥିଲେ ଦିୱାନା । ମେଜର ହଣ୍ଡାଙ୍କ ଏହି ଦିୱାନପନ୍ ହିଁ ତାଙ୍କୁ ଶେଷରେ ବନାଇ ଦେଇଛି ହତ୍ୟାକାରୀ । ମେଜର୍ ଅମିତ ଦ୍ୱିବେଦୀଙ୍କ ମଡେଲ୍ ପତ୍ନୀ ଶୈଲଜାଙ୍କ ହତ୍ୟା ଘଟଣାରେ ଗିରଫ ହୋଇଥିବା ମେଜର୍ ହଣ୍ଡାଙ୍କ ସମ୍ପର୍କରେ ପ୍ରତିଦିନ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୫ରେ ପ୍ରଥମେ ମେଜର୍ ହଣ୍ଡା ଶୈଲଜାଙ୍କ ଫଟୋ ତାଙ୍କର ଜଣେ ବନ୍ଧୁଙ୍କ ଟାଇମଲାଇନ୍ରେ ଦେଖିବାକୁ ପାଇଥିଲେ । ପ୍ରଥମ ଦେଖାରେ ହିଁ ସେ ଶୈଲଜାଙ୍କୁ ଭଲ ପାଇ ବସିଥିଲେ । ଭଲ ପାଇବାକୁ ବାସ୍ତବ ରୂପ ଦେବା ପାଇଁ ମେଜର୍ ହଣ୍ଡା ଖୋଜିବାରେ ଲାଗିଥିଲେ ଶୈଲଜାଙ୍କୁ । ଏହି ଖୋଜାଖୋଜି ଭିତରେ ସେ ଜାଣିବାକୁ ପାଇଲେ ଯେ ଶୈଲଜା ହେଉଛନ୍ତି ମେଜର୍ ଅମିତ ଦ୍ୱିବେଦୀଙ୍କ ଧର୍ମପତ୍ନୀ । ଏହାପରେ ହଣ୍ଡା ଫେସବୁକ୍ରେ ଅମିତଙ୍କୁ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ୍ ପଠାଇଥିଲେ । ଅମିତ ଏହାକୁ ଗ୍ରହଣ କରିବା ପରେ ମାତ୍ର କିଛିଦିନ ମଧ୍ୟରେ ମେଜର୍ ହଣ୍ଡା ଓ ମେଜର୍ ଅମିତଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଘନିଷ୍ଠତା । ଶୈଲଜାଙ୍କୁ ଦେଖିବାକୁ ଏବଂ ତାଙ୍କର ନିକଟତର ହେବାକୁ ମେଜର୍ ହଣ୍ଡା ବାରମ୍ବାର ନାଗାଲାଣ୍ଡସ୍ଥିତ ଅମିତଙ୍କ ଘରକୁ ଯାଆନ୍ତି । ପରେ ସେ ଫେସବୁକ୍ରେ ଶୈଲଜାଙ୍କୁ ବନ୍ଧୁତା ପାଇଁ ଆମନ୍ତ୍ରଣ କରନ୍ତି । ମେଜର ହଣ୍ଡା ମେଜର୍ ଅମିତଙ୍କ ଘରକୁ ଯିବା ଆସିବା କରିବା ବେଳେ ଶୈଲଜାଙ୍କ ନିକଟତର ହୋଇଥିଲେ । ଭଲ ପାଇବା ବଢ଼ିବା ପରେ ମେଜର୍ ହଣ୍ଡା ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ ଶୈଲଜା ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । ଦୀର୍ଘ ୨ ବର୍ଷ କାଳ ମେଜର୍ ହଣ୍ଡା ଛାଡ଼ପତ୍ର ଦେଇ ଶୈଲଜାଙ୍କୁ ବାହା ହେବାକୁ ପ୍ରସ୍ତାବ ଦେଇ ଚାଲିଥିଲେ । ଏଇ ମାସରେ ଶୈଲଜା ଦିଲ୍ଲୀ ଆସି ସ୍ୱାମୀଙ୍କ ପାଖରେ ରହିବା ସହ ନିଜର ଫିଜିଓଥେରାପି ଚିକିତ୍ସା କରାଉଥିଲେ । ଗତ ଶନିବାର ଦିନ ମେଜର୍ ହଣ୍ଡା ଶୈଲଜାଙ୍କୁ ଭେଟିବାକୁ ଡାକିଥିଲେ । କାର୍ରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏପରି କି ହଣ୍ଡା ନିଜର ପତ୍ନୀଙ୍କୁ ଫୋନ୍ କରି ଯୁକ୍ତିତର୍କ କଥା ଶୁଣାଇଥିଲେ । ତଥାପି ଶୈଲଜା ଏଥିରେ ରାଜି ନ ହେବାରୁ ହଣ୍ଡା ଛୁରିରେ ତାଙ୍କ ତଣ୍ଟି କାଟି ଦେଇଥିଲେ ।
