ଅଟକ ରଖିଥିବା ଜାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ ଛାଡିଲା ପୋଲିସ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍ କୁ ବିରୋଧ କରିବା ଘଟଣାକୁ ନେଇ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର କିଛି ଛାତ୍ରଙ୍କୁ ପୋଲିସ ଅଟକ ରଖିଥିଲା । ତେବେ ଅଟକ ରଖିଥିବା ଛାତ୍ରଙ୍କୁ ପୋଲିସ ଛାଡି ଦେଇଥିବା ଜଣାପଡିଛି ।

ପ୍ରକାଶ ଯେ, ପୋଲିସର କାର୍ଯ୍ୟକଳାପକୁ ବିରୋଧ କରି ଛାତ୍ରମାନେ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ସମ୍ମୁଖରେ ଚଳାଇ ଥିବା ମଧ୍ୟରାତ୍ରୀ ପ୍ରତିବାଦ ପ୍ରଦର୍ଶନକୁ ମଧ୍ୟ ପ୍ରତ୍ୟାହାର କରି ନେଇଛନ୍ତି। ରବିବାର ଦିନ ଦିଲ୍ଲୀର ଜାମିଆ ନଗର ଠାରେ ନାଗରିକତା ସଂଶୋଧନ ଆଇନ ବିରୋଧୀ ପ୍ରତିବାଦ ଉଗ୍ର ହେବାରୁ ଦିଲ୍ଲୀ ପୋଲିସ ଓ ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ପ୍ରାୟ ୫୦ ଜଣ ଛାତ୍ରଙ୍କୁ ପୋଲିସ ଧରି ନେଇ ପ୍ରାୟ ଛଅ ଘଣ୍ଟା ଧରି ଥାନାରେ ଅଟକ ରଖିଥିଲା।

ଦିଲ୍ଲୀ ପୋଲିସର ଜନସମ୍ପର୍କ ଅଧିକାରୀ ଏମ୍‌ଏସ୍‌ ରାନ୍ଧଓ୍ଵା କହିଛନ୍ତି, କାଲକାଜି ଏବଂ ନିୟୁ ଫ୍ରେଣ୍ଡ୍‌ସ୍‌ କଲୋନିରୁ ସମସ୍ତ ଛାତ୍ରଙ୍କୁ ଛାଡ଼ି ଦିଆଯାଇଛି। ପ୍ରତିବାଦ ଶେଷ କରିବାକୁ ଦିଲ୍ଲୀ ପୋଲିସ ପ୍ରତିବାଦକାରୀମାନଙ୍କୁ ନିବେଦନ କରିବା ସହ କହିଥିଲେ କି, ପ୍ରତିବାଦକାରୀମାନଙ୍କୁ ସେମାନଙ୍କ ରହଣି ସ୍ଥାନରେ ଛାଡ଼ି ଆସିବାକୁ ବସ୍‌ ବ୍ୟବସ୍ଥା କରାଯାଇଛି। ଏକ ବିବୃତିରେ ଦିଲ୍ଲୀ ପୋଲିସ କହିଛି: ଚିକିତ୍ସା ପରେ ଆହତ ଛାତ୍ରମାନଙ୍କୁ ମଧ୍ୟ ଛାଡ଼ି ଦିଆଯିବ।

ଜାମିଆ ମିଲିଆ ଇସ୍‌ଲାମିଆର ଛାତ୍ର କୁହାଯାଉଥିବା ପ୍ରତିବାଦକାରୀମାନେ ରବିବାର ଦିନ ତିନୋଟି ବସ୍‌ ପୋଡ଼ି ଦେଇଥିଲେ ଓ ଦମକଳ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏଥିରେ ଅନ୍ୟୂନ ୬ଜଣ ପୁଲିସ ଓ ଦୁଇ ଜଣ ଅଗ୍ନିଶମ ସେବା କର୍ମଚାରୀ ଆହତ ହୋଇଥିଲେ।

Leave A Reply

Your email address will not be published.