ଭୁବନେଶ୍ବର : ହାତୀ ସ୍ଥାନାନ୍ତରକୁ ବିରୋଧ । ଶିମିଳିପାଳ ଅଭୟାରଣ୍ୟରୁ ହାତୀ ସ୍ଥାନାନ୍ତରକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ବନ ବିଭାଗ କର୍ମଚାରୀ ଆଜି ହାତୀଙ୍କୁ ସାତକୋଶିଆ ନେବା ବେଳେ ବାହାରଭଙ୍ଗା ଜଙ୍ଗଲଠାରେ ଗ୍ରାମବାସୀ ହାତୀ ଦୁଇଟିକୁ ଅଟକାଇ ଧାରଣାରେ ବସିଛନ୍ତି । ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଛି । ଦୁଇ ତାଲିମ୍ ପ୍ରାପ୍ତ ହାତୀ ମହେନ୍ଦ୍ର ଓ ରାଜକୁମାର ଶିମିଳିପାଳର ସ୍ବାଭିମାନ୍ । ତେଣୁ ସେମାନଙ୍କୁ ଏଠାରୁ ଛଡାଯିବ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଡି ବସିଛନ୍ତି । ମହେନ୍ଦ୍ର ଓ ରାଜକୁମାରକୁ ଶିମିଳିପାଳରୁ ସାତକୋଶିଆକୁ ସ୍ଥାନାନ୍ତର କରାଯାଉଥିଲା । ସେପଟେ ବାରିପଦାରେ ମଧ୍ୟ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ହାତୀ ମହେନ୍ଦ୍ର ଓ ରାଜକୁମାରଙ୍କୁ ସାତକୋଶିଆ ସ୍ଥାନାନ୍ତର ପ୍ରସଙ୍ଗରେ ବିକ୍ଷୋଭ । ଯୁବ କଂଗ୍ରେସ ଓ JMM ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିମିଳିପାଳ ଟାଇଗର ରିଜର୍ଭ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି । ସମସ୍ତ କର୍ମଚାରୀଙ୍କୁ ବାହାରକୁ ବାହାର କରିଦେଇ ତାଲା ପକାଇ ଦେଇଛନ୍ତି । ଏଥି ସହ ଆନ୍ଦୋଳନକାରୀମାନେ ମୁର୍ଗାବାଡିଠାରେ ଜାତୀୟ ରାଜପଥ ୧୮ କୁ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।
