ନୂଆଦିଲ୍ଲୀ : ଦିଲ୍ଲୀର ବୁରାରି ଅଞ୍ଚଳରେ ଭାଟିଆ ପରିବାରର ୧୧ ଜଣ ସଦସ୍ୟଙ୍କ ସାମୂହିକ ମୃତ୍ୟୁ ଘଟଣା ଆଜି ରୋଚକ ସ୍ଥିତିରେ ପହଞ୍ଚିଛି । ଅନ୍ଧବିଶ୍ୱାସ ଯେ ଏଭଳି ଗଣଆତ୍ମହତ୍ୟାର କାରଣ ସେକଥା ଧୀରେଧୀରେ ସ୍ପଷ୍ଟ ହେଉଥିବା ବେଳେ ଏବେ ଆଉ ଗୋଟିଏ ଛାତି ଥରାଇବା ଭଳି ସୁରାକ୍ ପୁଲିସ୍ ହାତରେ ଲାଗିଛି । ଭାଟିଆ ପରିବାରର ସାନ ପୁଅ ତଥା ବ୍ୟବସାୟୀ ଲଳିତ ଭାଟିଆ ହିଁ ନିଜ ପରିବାରର ୧୦ ଜଣ ସଦସ୍ୟଙ୍କୁ ଆତ୍ମହତ୍ୟା କରିବା ପ୍ରବର୍ତ୍ତାଇ ଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି । ଲଳିତ ଧର୍ମୀୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏଭଳି ନିଜ ସହ ନିଜର ପରିବାର ଲୋକଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ । ରବିବାର ଦିବଂଗତ ଗୋପାଳ ଦାସ ଭାଟିଆଙ୍କ ପତ୍ନୀ ନାରାୟଣୀ ଦେବୀଙ୍କ ଦୁଇ ପୁଅ ଭବନେଶ ଓ ଲଳିତଙ୍କ ସମେତ ପୂରା ପରିବାର ସାମୂହିକ ଆତ୍ମହତ୍ୟା କରିଥିଲେ । ପଡ଼ୋଶୀଙ୍କ କହିବା ଅନୁଯାୟୀ ଲଳିତ ବେଶ ଧର୍ମୀୟ ଚିନ୍ତନର ବ୍ୟକ୍ତି ଥିଲେ । ସେ ମେଡିସିନ୍ ବଦଳରେ ଅନ୍ୟ ତନ୍ତ୍ରମନ୍ତ୍ରରେ ବିଶ୍ୱାସ କରୁଥିଲେ । ଲଳିତ ୧୦ ବର୍ଷ ତଳେ ଦେହାନ୍ତ ହୋଇଥିବା ତାଙ୍କ ବାପାଙ୍କ ସହ କଥା ହେଉଛନ୍ତି ବୋଲି ବାରମ୍ବାର ନୋଟ୍ପ୍ୟାଡ୍ରେ ଲେଖୁଥିଲେ । ସେ ବାପାଙ୍କ ସହ କଥା ହୋଇ ସମ୍ପତ୍ତିର ଯତ୍ନ କେମିତି ନେବ ଓ ପରିବାର ବର୍ଗଙ୍କୁ କେମିତି ଲାଳନ ପାଳନ କରିବ, ସେ ବିଷୟରେ ଶିକ୍ଷା ନେଉଥିଲେ । ପୁଲିସ୍ ମୃତଦେହ ମିଳିଥିବା ଘରକୁ ଯାଞ୍ଚ୍ କଲାବେଳେ କିଛି ହାତଲେଖା ପାଇଥିଲା । ସେଗୁଡ଼ିକ ଲଳିତ ହିଁ ଲେଖିଥିଲା ବୋଲି ଏବେ ପୁଲିସ୍ ଜାଣିବାକୁ ପାଇଛି । ଶେଷଥର ପାଇଁ ଲଳିତ ଜୁନ୍ ୨୫ରେ ନୋଟ୍ପ୍ୟାଡ୍ରେ ଲେଖିଥିଲେ । ଲଳିତ ସର୍ବଦା ଦୁଇଟି ରେଜିଷ୍ଟର୍ ବ୍ୟବହାର କରୁଥିଲେ । ଏଥିରେ ମୋକ୍ଷ ପାଇବା ପାଇଁ ବିଭିନ୍ନ ଉପାୟ ଲେଖାଯାଇଛି । ଏହାବାଦ୍ ବର ଗଛକୁ ପୂଜା କରିବାକୁ ନିର୍ଦ୍ଦେଶ ରହିଛି । ବରଗଛର ଦୁଇଟି ଓହଳକୁ ପୂଜା କଲେ ସୁଫଳ ମିଳିବ । ବରଗଛର ଓହଳ ଯେଉଁଭଳି ଭାବେ ରହିଛି, ଠିକ୍ ଅନୁରୂପ ଭାବେ ନିଜକୁ ଲୁହା ଗ୍ରୀଲ୍ରେ ଝୁଲାଇ ରଖିଲେ ମୋକ୍ଷ ମିଳିବ ବୋଲି ଉଲ୍ଲେଖ ରହିଛି । ଏଥିରେ ଲେଖା ହୋଇଛି ଚିନ୍ତନ କର, କେବେ ହେଲେ ଚିନ୍ତା କରନାହିଁ । ଲଳିତଙ୍କ ଫର୍ଣ୍ଣିଚର ଦୋକାନରେ କାର୍ଯ୍ୟ କରୁଥିବା ଅହମ୍ମଦ ଅଲ୍ଲୀ କହିଛନ୍ତି ଲଳିତ ଦୀର୍ଘ ୩ ମାସ ହେଲା ବେକ ଓ ପିଠି ଯନ୍ତ୍ରଣା ଅନୁଭବ କରୁଥିଲେ । ସେ ସର୍ବଦା ବିଶ୍ରାମ ନେଉଥିଲେ ଏବଂ ମୁଁ ଏସବୁର ଦେଖାଶୁଣା କରୁଥିଲି । ପରିବାର ବହୁତ ଧାର୍ମିକ ଥିଲେ । କିନ୍ତୁ ସେମାନଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଅନୁଭୂତ ହେଉ ନଥିଲା ।
ଭାବିଥିଲେ ରକ୍ଷା କରିବେ ଭଗବାନ
ଭାଟିଆ ପରିବାର ଏତେ ମାତ୍ରାରେ ଧର୍ମୀୟ ଅନ୍ଧବିଶ୍ୱାସରେ ବୁଡ଼ି ଯାଇଥିଲେ ଯେ, ସେମାନେ ଭାବିଥିଲେ ଏଭଳି କଲେ ସେମାନେ କେବେହେଲେ ପ୍ରାଣ ହରାଇବେ ନାହିଁ, ବରଂ ଭଗବାନ ସେମାନଙ୍କୁ ରକ୍ଷା କରିବେ । ଭାଟିଆ ପରିବାରରୁ ମିଳିଥିବା ଡାଇରୀରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏପରି ଝୁଲନ୍ତା ଅବସ୍ଥାରେ ରହିଲେ ମୋକ୍ଷ ମିଳିବ ଏବଂ ଭାଗବାନ ସେମାନଙ୍କୁ ବଞ୍ଚାଇବେ ବୋଲି ଲଳିତ ସେମାନଙ୍କୁ ପ୍ରବର୍ତ୍ତାଇଥିଲେ । ତେଣୁ ଲଳିତ ସବୁଠାରୁ ଶେଷରେ ହିଁ ଆତ୍ମହତ୍ୟା କରିଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି । ମିଳିଥିବା ଚିଠି ଅନୁଯାୟୀ ଶେଷ ମୁହୂର୍ତ୍ତରେ ତଥା ଶେଷ ଇଚ୍ଛା ପୂରଣ ବେଳେ ପୃଥିବୀ ଦୋହଲିବ ଆଉ ଆକାଶ ଗର୍ଜିବ କିନ୍ତୁ ତୁମେମାନେ ଡରିବ ନାହିଁ । ମନ୍ତ୍ର ଜପିବା ବନ୍ଦ କରିବ ନାହିଁ । ମୁଁ ଆସିବି ତମକୁ ରକ୍ଷା କରିବି ଓ ଅନ୍ୟମାନଙ୍କୁ ଝୁଲନ୍ତା ଅବସ୍ଥାରୁ ଉଦ୍ଧାର କରିବି ବୋଲି ତୃତୀୟ ବ୍ୟକ୍ତି ଲଳିତଙ୍କୁ କହିଥିବା ଚିଠିରେ ରହିଛି ।
