ବିବାଦରେ ରାଜ୍ୟପାଳଙ୍କ ବିମାନ ଉଡା : ଗସ୍ତ ଖର୍ଚକୁ ନେଇ ରାଜଭବନକୁ ଚିଠି ଲେଖିଲେ ରାଜ୍ୟ ସରକାର,ରାଜନୈତିକ ବିତର୍କ ଆରମ୍ଭ

ଭୁବନେଶ୍ବର :   ରାଜ୍ୟପାଳଙ୍କ ବିମାନରେ ଗସ୍ତକୁ ନେଇ ବିବାଦ ଆରମ୍ଭ ହୋଇଛି । ଗସ୍ତ ଖର୍ଚ୍ଚକୁ ନେଇ ରାଜ୍ୟପାଳଙ୍କ ସ୍ବତନ୍ତ୍ର ସଚିବଙ୍କୁ କଡା ଚିଠି  ଲେଖିଛି ରାଜ୍ୟ ସରକାରଙ୍କ  ସାଧାରଣ ପ୍ରଶାସନ ବିଭାଗ । ବିମାନ ଓ ଚପର ଭଡା ବାବଦକୁ ମୋଟ ୪୬ ଲକ୍ଷ ୧୮ ହଜାର ଟଙ୍କା କିପରି ହେଲା ଓ କେଉଁ ପରିସ୍ଥିତିରେ କେଉଁ କାରଣ ପାଇଁ ଗସ୍ତ ଥିଲା ତାହା ଜବାବ ମାଗିଛି ଜିଏ ବିଭାଗ । ସେପଟେ ଏହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଗଲାଣି । ରାଜ୍ୟର ସାମ୍ବିଧାନିକ ମୁଖ୍ୟଙ୍କ ଗସ୍ତ ଖର୍ଚ୍ଚକୁ ନେଇ ରାଜ୍ୟ ସରକାର ଜବାବ ମାଗିବା ରାଜନୀତି ଓ ଏହା ଅରୁଚିକର ବୋଲି କହିଛି ବିଜେପି । ସେପଟେ ବିଜେଡିର ଯୁକ୍ତି ରାଜ୍ୟ ସରକାର ଯାହା କରିଥିବେ ସବୁ ବ୍ୟବସ୍ଥା ଭିତରେ । ସବୁଥିରୁ ରାଜନୀତିର ଗନ୍ଧ ବାରିବା ବିଜେପିର ପୁରୁଣା ଅଭ୍ୟାସ ।

ବିବାଦରେ  ରାଜ୍ୟପାଳ ବିମାନ ଉଡ଼ା । ରାଜ୍ୟପାଳ ଗଣେଶୀଲାଲ କାର୍ଯ୍ୟରେ ଯୋଗଦେବା ମାସେ ୫ ଦିନ ହୋଇନି କିନ୍ତୁ ତାଙ୍କୁ ନେଇ ଗୁନ୍ଥିହେଲାଣି ବିବାଦ। ଏହି ବିବାଦର ଖିଅ ଆସିଛି ତାଙ୍କ ବିମାନ ଗସ୍ତକୁ ନେଇ । ବିମାନ ଗସ୍ତ ଖର୍ଚ୍ଚକୁ ନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଚିଠି ଲେଖିଛି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ। ଗସ୍ତର ୟୁଜର୍ସ ସାଟିଫିକେଟ ଦାଖଲ ଲାଗି ରାଜ୍ୟପାଳଙ୍କ ସ୍ବତନ୍ତ୍ର ସଚିବଙ୍କୁ କୁହାଯାଇଛି। ଜୁନ୍ ୧୦ ତାରିଖରେ ରାଜ୍ୟପାଳ ଗଣେଶୀଲାଲ ଭୁବନେଶ୍ବରରୁ ଦିଲ୍ଲୀ ଏକ ସ୍ବତନ୍ତ୍ର ଜେଟ୍ ଯୋଗେ ଯାଇଥିଲେ । ଏବଂ ୧୩ ଜୁନରେ ନୂଆ ଦିଲ୍ଲୀରୁ ଭୁବନେଶ୍ବର ଆସିଥିଲେ । ଏଥିପାଇଁ ମୋଟ ୪୧ ଲକ୍ଷ ୧୮ ହଜାର ଟଙ୍କା ବିଲ୍ ହୋଇଛି । ସେହି ଜୁନ ୧୦ରେ ନୂଆଦିଲ୍ଲୀରୁ ସିର୍ସା  ଗସ୍ତ ଲାଗି ଚପର ବ୍ୟବହାର କରିଥିଲେ । ଏ ବାବଦରେ ଖର୍ଚ୍ଚ ୫ ଲକ୍ଷ ଟଙ୍କା ହୋଇଛି ।  ଏହି ବିମାନ ଗସ୍ତର କେଉଁ ଉଦ୍ଦେଶ୍ୟରେ ଥିଲା ସେନେଇ ମଧ୍ୟ ଉତ୍ତର ମାଗିଛି ।  ଚିଠିକୁ ନେଇ ଆରମ୍ଭ ହୋଇଛି ବିତର୍କ । ବିଜେପି କହିଛି ରାଜ୍ୟପାଳଙ୍କ ଗସ୍ତ ରାଷ୍ଟ୍ରପତିଙ୍କ କାର୍ଯ୍ୟଳୟ ଅନୁମୋଦନ ପରେ ହୋଇଥାଏ । ରାଜ୍ୟରେ ନିର୍ବାଚିତ ପ୍ରତିନିଧି ନିଜ ବିମାନ ଖର୍ଚ୍ଚ ନେଇ ସାଧାରଣଙ୍କୁ ଜଣାଉ ନଥିବା ବେଳେ ସାମ୍ବିଧାନିକ ମୁଖ୍ୟଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇବା ପଛରେ ରାଜନୀତି ବାସ୍ନା ରହିଛି ବୋଲି ବିଜେପି ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ସେପଟେ ବିଜେପିର ଏପରି ଆକ୍ଷେପର ଜବାବରେ ବିଜେଡି କହିଛି  ରାଜ୍ୟ ସରକାର ମଧ୍ୟ ସାମ୍ବିଧାନିକ ବ୍ୟବସ୍ଥାରେ ଚାଲିଛି । ସରକାରୀ ଅଧିକାରୀ ତାଙ୍କ କର୍ତ୍ତବ୍ୟରେ ସଚେତନ ଥିବେ । ସବୁକଥାରେ ରାଜନୀତି କରିବା ବିଜେପିର ଅଭ୍ୟାସ ବୋଲି ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ସମୀର ଦାସ ।

ଓଡିଶାର ପୂର୍ବତନ ରାଜ୍ୟପାଳ ଏସସି ଜମିରଙ୍କୁ ନେଇ ଏକାଧିକବାର ବିବାଦ ଉପୁଜିଥିଲା । ଏବେ ନୂଆ ରାଜ୍ୟପାଳ ଗଣେଶୀ ଲାଲଙ୍କ ଗସ୍ତକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଛି ।

 

 

 

 

Leave A Reply

Your email address will not be published.