ଭୁବନେଶ୍ବର : ରାଜ୍ୟରେ ପୈର ନିର୍ବାଚନ ନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ସରକାରଙ୍କୁ ନିର୍ବାଚନ ପ୍ରସ୍ତୁତି ଲାଗି ନିର୍ଦେଶ ଦେଇଥିବା କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ଆଳ ଦେଖାଇଛନ୍ତି ରାଜ୍ୟ ସରକାର । ପୈର ନିର୍ବାଚନ ଲାଗି ରାଜ୍ୟ ସରକାରଙ୍କ ରିଜର୍ଭରେସନକୁ ହାଇକୋର୍ଟ ନା କରିବା ପରେ ସରକାର ସୁପ୍ରିମକୋର୍ଟ ଯିବେ ବୋଲି କମିଶନଙ୍କୁ ଜଣାଇଛନ୍ତି । ଏଭଳି ସ୍ଥିତିରେ ଅସହାୟ ହୋଇପଡିଥିବା କମିଶନ ସୁପ୍ରିମକୋର୍ଟଙ୍କ ଆସିବାକୁ ଅପେକ୍ଷା କରିବେ ବୋଲି କହିଛନ୍ତି ।
ଅନିଶ୍ଚିତତାରେ ପୈରନିର୍ବାଚନ । ଅସହାୟ ରାଜ୍ୟ ନିର୍ବାଚନ କମିଶନ । ରାଜ୍ୟ ପୈର ନିର୍ବାଚନ ଭାଗ୍ୟ ଏବେ ସୁପ୍ରମକୋର୍ଟଙ୍କ ରାୟ ଉପରେ ନିର୍ଭର କରିବ । ରାଜ୍ୟ ନିର୍ବାଚନ କମିଶନ ଆଜି ଏପରି ଆଭାସ ଦେଇଛନ୍ତି । ସେପ୍ଟେମ୍ବର ୩୦ରେ ପୁରୁଛି ରାଜ୍ୟର ୬୫ ପୈରପାଳିକାର ଅବଧି । ଏହା ପୂର୍ବରୁ ନିର୍ବାଚନ ପ୍ରସ୍ତୁତି ସାରିବାକୁ ରାଜ୍ୟ ସରକାରଙ୍କୁ ଜଣାଇ ସାରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଜୁନ ୧୦ରେ ନଗର ଉନ୍ନୟନ ବିଭାଗର ଅଧିକାରୀଙ୍କ ସହ ପ୍ରସ୍ତୁତି ନେଇ ବୈଠକ କରିଛି । ହେଲେ ପୈର ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ରିଜର୍ଭେସନ ରହି ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦେଶ ଦେବା ପରେ ସରକାର ସୁପ୍ରିମକୋର୍ଟକୁ ଯିବେ ବୋଲି କମିଶନଙ୍କୁ ଶୁଣାଇଛନ୍ତି । ଆଉ ଏଭଳି ହେଲେ ସର୍ବୋଚ୍ଚ ନାୟାଳୟଙ୍କ ରାୟ ଆସିବା ପରେ ହିଁ ଆଇନଗତ ତର୍ଜମା କରି ନିର୍ବାଚନ ଲାଗି କମିଶନ ପଦକ୍ଷେପ ନେବେ ବୋଲି କହିଛନ୍ତି କମିଶନଙ୍କ ସଚିବ ଉଦୟ ନାରାୟଣ ଦାସ ।
ପୈର ନିର୍ବାଚନ ଅନିଶ୍ଚିତତା ଦେଖାଦେବା ପରେ ଏହାକୁ ନେଇ ସରକାରଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି ବିରୋଧୀ । ବିଜେପି କହିଛି ପଞ୍ଚାୟତ ନିର୍ବାଚନରେ ବିଜେଡିର ଭୋଟ ସଂଖ୍ୟା କମିଛି । ଦଳଠାରୁ ଲୋକ ମୁହଁ ଫେରାଉଛନ୍ତି । ସହରଗୁଡିକରେ ବିକାଶ ହୋଇନି । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବାକୁ ବିଜେଡି ଡରୁଛି । ଆଉ ସେଥିପାଇଁ କୋର୍ଟଙ୍କ କଥା କହି ସରକାର ନାଟକ କରୁଛନ୍ତି ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆରୋପ ଆଣିଛନ୍ତି । ସେପଟେ ବିଜେଡିର ଯୁକ୍ତି ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । କିନ୍ତୁ ସଂରକ୍ଷଣକୁ ନେଇ ହାଇକୋର୍ଟଙ୍କ ରାୟ ସମସ୍ୟା ହୋଇଛି । ତେଣୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସରକାର ସୁପ୍ରିମକୋର୍ଟ ଯିବେ ବୋଲି ନୀତିଗତ ନିଷ୍ପତ୍ତି ହୋଇଛି । କୋର୍ଟଙ୍କ ରାୟ ପରେ ସରକାର ଯାହା ନିଷ୍ପତ୍ତି ନେବେ ବୋଲି ଯୁକ୍ତି ବାଢିଛନ୍ତି ବିଜେଡି ମୁଖପାତ୍ର ବିଧାୟକ ସମୀର ଦାସ ।
ସେପ୍ଟେମ୍ବର ୩୦ରେ ସରୁଛି ପୈର ପରିଷଦ ଗୁଡିକର କାର୍ଯ୍ୟକାଳ । ସେପଟେ ନିର୍ବାଚନ କରିବାକୁ କମିଶନଙ୍କୁ ଅତିକମରେ ୪ ମାସ ଦରକାର । ଆଉ କକୋର୍ଟକୁ ମାମଲା ଯିବା ପରେ ପୈରପରିଷଦ ଗୁଡିକ ଭାଙ୍ଗିବ ନା ରହିବ ତାହା କୋର୍ଟଙ୍କ ରାୟ ଉପରେ ନିର୍ବର କରିବେ ।
