୧୦ ଓଡିଆଙ୍କୁ “ପଦ୍ମଶ୍ରୀ’ ସମ୍ମାନ, ସାହିତ୍ୟିକ ମନୋଜ ଦାସଙ୍କୁ ‘ପଦ୍ମ ଭୂଷଣ’

ନୂଆଦିଲ୍ଲୀ:   ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ଦେଶର ଚତୁର୍ଥ ଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମଶ୍ରୀ ଉପାଧି  ଲାଗି ବିଶିଷ୍ଠ ବ୍ୟକ୍ତି ମାନଙ୍କ ତାଲିକା ଘୋଷଣା କରିଛନ୍ତି। ଏହି ସମ୍ମାନ ପାଇଁ ଘୋଷଣା ହୋଇଥିବା ତାଲିକାରେ ସମୁଦାୟ ୧୧୮ ଜଣଙ୍କୁ ଚୟନ କରା ଯାଇଥିବା ବେଳେ ଓଡ଼ିଶାରୁ ୮ ଜଣଙ୍କୁ ମନୋନୀତ କରାଯାଇଛି। ଏଥିସହ ଓଡ଼ିଶା ବାହାରେ ଥିବା ଦୁଇ ଜଣ ଓଡ଼ିଆ ଏହି ସମ୍ମାନ ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି।

ବିଶିଷ୍ଠ ସମାଜସେବୀ ରାଧାମୋହନ ଓ ତାଙ୍କ ଝିଅ ସାବରମତୀ, ଜଣାଶୁଣା ସାନ୍ତାଳୀ ଲେଖିକା ଡକ୍ଟର ଦମୟନ୍ତୀ ବେଶ୍ରା, କଳା କ୍ଷେତ୍ରରୁ ଉତ୍ସବ ଚରଣ ଦାସ, ‘ରଂଗବତୀ’ ଗୀତର ଗୀତିକାର ମିତ୍ରଭାନୁ ଗଉନ୍ତିଆ, ବିଶିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ର, ବିଶିଷ୍ଠ ଗାଳ୍ପିକା ବୀଣାପାଣି ମହାନ୍ତି ଓ ପଶୁପାଳନ କ୍ଷେତ୍ରରୁ ବଟକୃଷ୍ଣ ସାହୁ ଓଡ଼ିଶାରୁ  ପଦ୍ମଶ୍ରୀ ସମ୍ମାନ ପାଇବା ଲାଗି ମନୋନୀତ କରାଯାଇଛି।

ଏହା ବ୍ୟତୀତ ଓଡ଼ିଶା ବାହାରେ ରହୁଥିବା ଦୁଇ ଓଡ଼ିଆ ବ୍ୟକ୍ତିତ୍ବ ମଧ୍ୟ ଏହି ସମ୍ମାନ ପାଇବେ। ସେମାନେ ହେଲେ ଚିକିତ୍ସା ବିଜ୍ଞାନ ପାଇଁ ଡ. ଦିଗମ୍ବର ବେହେରା ଏବଂ ଶିକ୍ଷା ଓ ସାହିତ୍ୟ ଲାଗି ଡକ୍ଟର ପ୍ରଶାନ୍ତ କୁମାର ପଟ୍ଟନାୟକ।

ସାହିତ୍ୟିକ ମନୋଜ ଦାସଙ୍କୁ ‘ପଦ୍ମ ଭୂଷଣ’

ଜାତୀୟ-ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ସାହିତ୍ୟିକ ତଥା ଆଧ୍ୟାତ୍ମବାଦୀ ପ୍ରଫେସର ମନୋଜ ଦାସଙ୍କୁ ଭାରତ ସରକାର ‘ପଦ୍ମ ଭୂଷଣ’ ସମ୍ମାନ ପ୍ରଦାନ କରିବା ଲାଗି ମନୋନୀତ କରିଛନ୍ତି । ଆଜି ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ଲାଗି ପ୍ରଫେସର ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି। ଉଲ୍ଲେଖଯୋଗ୍ୟ, ୨୦୦୧ ମସିହାରେ ପ୍ରଫେସର ଦାସଙ୍କୁ ଭାରତ ସରକାର ‘ପଦ୍ମଶ୍ରୀ’ ଉପାଧିରେ ଭୂଷିତ କରିଥିଲେ।

Leave A Reply

Your email address will not be published.