ଭୁବନେଶ୍ୱର: ଓୟୁଏଟିର ଭୁବନେଶ୍ୱରସ୍ଥିତ କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ଲାଗିଥିବା ସ୍ପଷ୍ଟ ହେଲାପରେ ରାଜ୍ୟ ସରକାର ଏହାର ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ରୋଗ ମୁଖ୍ୟତଃ ଏଚ୫ ଏନ୧ ପ୍ରକାର ଇନଫ୍ଲୁୟେଞ୍ଜା ଭୂତାଣୁ ଯୋଗୁଁ ହୋଇଥାଏ । ଏହାଦ୍ୱାରା କୁକୁଡା ଓ କୁକ୍କୁଟ ଜାତୀୟ ପକ୍ଷୀମାନେ ସାଧାରଣତଃ ଆକ୍ରାନ୍ତ ହୁଅନ୍ତି ।
କୁକୁଡା ମରା ଅଭିଯାନ ଓ ରୋଗ ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ବାର ଗୋଟି ତ୍ୱରିତ କାର୍ଯ୍ୟକାରୀ ଦଳ ନିଯୁକ୍ତ କରାଯାଇଛି । ଏହା ମଧ୍ୟରୁ ୭ ଗୋଟି ଦଳ କୁକୁଡା ମରା କାର୍ଯ୍ୟରେ ନିୟୋଜିତ ହୋଇଥିବାବେଳେ ଅନ୍ୟ ୫ଟି ଦଳ ନୀରିକ୍ଷଣ ଅଂଚଳରେ ରୋଗ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ନୀରିକ୍ଷଣ ଅଂଚଳରେ ନିୟୋଜିତ ଥିବା ତ୍ୱରିତ କାର୍ଯ୍ୟକାରୀ ଦଳ ନିୟମିତ ବ୍ୟବଧାନରେ କୁକୁଡାମାନଙ୍କ ରକ୍ତ, ଲାଳ ଓ ମଳ ଆଦି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାର ବ୍ୟବସ୍ଥା କରାଯାଇଛି ।
ବାର୍ଡ ଫ୍ଲୁ ନିୟନ୍ତ୍ରଣ ସମ୍ବନ୍ଧୀୟ ସୂଚନା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ନିୟନ୍ତ୍ରଣ କକ୍ଷମାନ କାର୍ଯ୍ୟ କରୁଛି । ରାଜ୍ୟସ୍ତରୀୟ କକ୍ଷ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ମଙ୍ଗଳବାଗ, କଟକ ଠାରେ କାର୍ଯ୍ୟ କରୁଛି ଓ ଏହାର ଟେଲିଫୋନ ନମ୍ବର ୦୬୭୧୨୪୧୪୩୧୦ ତଥା ଫାକ୍ସ ନମ୍ବର ୦୬୭୧୨୪୧୪୭୩୯ । ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ନିୟନ୍ତ୍ରଣ କକ୍ଷ ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ , ଭୁବନେଶ୍ୱରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛି ଓ ଏହାର ଟେଲିଫୋନ ନମ୍ବର ୦୬୭୪୨୫୪୦୪୨୫ ।
ବାର୍ଡ ଫ୍ଲୁ ନିୟନ୍ତ୍ରଣ ପଦକ୍ଷେପ ସ୍ୱରୂପ କୌଣସି କୁକୁଡା ଓ କକ୍କୁଟ ଜାତୀୟ ପଦାର୍ଥ, ସଂକ୍ରମିତ ସ୍ଥାନର ଏକ କିଲୋମିଟୀ ବ୍ୟାସାଦ୍ଧଅଂଚଳରୁ ବାହାରକୁ ଚାଲାଣ କରାଯାଇପାରିବ ନାହିଁ । ସଂକ୍ରମିତ ସ୍ଥାନର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଂଚଳ ଭିତରକୁ ପ୍ରବେଶ କରିପାରିବ ନାହିଁ । ସରକାରଙ୍କ ତରଫରୁ ଲୋକଙ୍କୁ ବାର୍ଡ ଫ୍ଲୁ ବାବଦରେ ସଚେତନ କରିବାକୁ ସଚେତନତା କାର୍ଯ୍ୟକ୍ରମ କରଯାଉଛି । ଏହି ଭାଇରସ୍ ମନୁଷ୍ୟଙ୍କୁ ଆକ୍ରାନ୍ତ କରିବା କ୍ୱଚିତ୍ ଦେଖାଯାଇଥାଏ, ତେଣୁ ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ ।
