ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃୟାରୀରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ତେବେ ସେ ଫେବୃୟାରୀ ୨୪ ରୁ ୨୬ ମଧ୍ୟରେ ଭାରତ ଆସିବେ ବୋଲି ସମ୍ଭାବନା ରହିଛି । ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ । ଯଦି ଖବର ଠିକ୍ ରହେ ତେବେ ପ୍ରଥମ କରି ଟ୍ରମ୍ପ ଭାରତ ଗସ୍ତରେ ଆସିବେ ।
ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଚାଲିଥିବା ବେଳେ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପ୍ରଚାର ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ବେଳେ ଟ୍ରମ୍ପ୍ଙ୍କର ଭାରତ ଗସ୍ତ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହାଦ୍ୱାରା ଗତ କିଛି ବର୍ଷ ହେବ ଦୁଇ ଦେଶ ମଧ୍ୟରେ ସାମରିକ ଏବଂ ବ୍ୟାବସାୟିକ କ୍ଷେତ୍ରରେ ଦେଖା ଦେଇଥିବା ତିକ୍ତତା ହ୍ରାସ ପାଇବାର ସମ୍ଭାବନା ରହିଛି। ଇତିମଧ୍ୟରେ ଦୁଇ ଦେଶ ମଧ୍ୟରେ ଥିବା ବ୍ୟାବସାୟିକ ତିକ୍ତତା ବୁଝାମଣା ମାଧ୍ୟମରେ ସମାଧାନ ହୋଇଥିବା କଥା ବରିଷ୍ଠ ସରକାରୀ ଅଧିକାରୀମାନେ କହିଛନ୍ତି।
ଏହାଛଡ଼ା ଫେବୃୟାରୀ ମାସର ପ୍ରାରମ୍ଭରୁ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଭାରତୀୟ ଦୂତାବାସକୁ ନୂତନ ରାଷ୍ଟ୍ରଦୂତ ହୋଇ ଯାଉଛନ୍ତି ତରନଜିତ ସିଂହ। ତାଙ୍କ ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିବା ହର୍ଷ ଶ୍ରିଙ୍ଗ୍ଲା ଜାନୁଆରି ୨୯ ତାରିଖରୁ ଭାରତର ବୈଦେଶିକ ସଚିବ ଭାବେ ଯୋଗ ଦେଉଛନ୍ତି।
