କେନାଲରେ ଭାସିଯାଉଥିଲେ ଜଣେ ବ୍ୟକ୍ତି; ଉଦ୍ଧାର କଲେ ୨ଜଣ ବାଳକ

ଜୟପୁର: ଏକ କେନାଲରେ ଜଣେ ବ୍ୟକ୍ତି ଭାସିଯାଉଥିବା ସମୟରେ ୨ଜଣ ଯୁବକ ତାଙ୍କୁ ଉଦ୍ଧାର କରିଛନ୍ତି । ତେବେ ଏଭଳି ଘଟଣା ଘଟିଛି ଜୟପୁରର ସ୍ଥାନୀୟ ବାଇପାସ୍ କେନାଲ ରୋଡ ଅଂଚଳରେ ।

ଭାସି ଯାଉଥିବା ବ୍ୟକ୍ତିଜଣକ ହେଉଛନ୍ତି ଜୟପୁର ସହର ଅନ୍ତର୍ଗତ ଗାନ୍ଧୀଛକ ବାସିନ୍ଦା ବାଲାଜୀ ସାହୁ। ସକାଳ ବୁଲାରେ ଯାଇଥିବା ବାଲାଜୀ ହଠାତ୍‌ ଅଶ୍ୱସ୍ତି ଅନୁଭବ କରିବାରୁ କେନାଲ ବନ୍ଧରେ ବସିପଡ଼ିଲେ। ବସିଥିବା ଅବସ୍ଥାରେ ଖୁବ୍‌ ଜୋର୍‌ରେ ତାଙ୍କ ମୁଣ୍ଡ ବୁଲାଇ ଦେବାରୁ ସେ କେନାଲ ବନ୍ଧରୁ ଗଡ଼ି ଗଡ଼ି ପାଣିରେ ପଡ଼ି ସୁଅରେ ଭାସି ଯାଉଥିଲେ। ଏତିକିବେଳେ ସେ ବାଟ ଦେଇ ସକାଳ ବୁଲାରେ ଯାଉଥିବା ଦୁଇ କିଶୋର ସାଙ୍ଗ ସଞ୍ଜୟ ପୂଜାରୀ ଓ କିଷାନ ମାଝୀଙ୍କ ନଜର ଭାସି ଯାଉଥିବା ବାଲାଜୀଙ୍କ ଉପରେ ପଡ଼ିଥିଲା। ସେମାନେ ତୁରନ୍ତ କେନାଲ୍‌କୁ ଲମ୍ଫ ଦେଇ ବାଲାଜୀଙ୍କୁ ଉଦ୍ଧାର କରି କେନାଲ ବନ୍ଧ ଉପରକୁ ନେଇ ଆସିଥିଲେ।

ଖବର ପାଇ ଜୟପୁର ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ବାଲାଜୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡିଛି । ଦୁଇ ବାଳକଙ୍କର ସାହସିକ ଓ ମହତ୍‌ କାର୍ଯ୍ୟକୁ ସ୍ଥାନୀୟ ଲୋକେ ଉଚ୍ଚ ପ୍ରଶଂସା କରୁଛନ୍ତି।

Leave A Reply

Your email address will not be published.