ନଇଆଳି ମେଣ୍ଢା ମୃତ୍ୟ ଘଟଣା : ଧରା ପଡୁନି ଅଜଣା ଜନ୍ତୁ ଶିମିଳି ପାଳରୁ ଆସିଲେ ସ୍ୱତନ୍ତ୍ର ଟିମ, ବୁଲିଲା ଡ୍ରୋନ୍, ଲାଗିଲା ୫୦ କ୍ୟାମେରା

ଭୁବନେଶ୍ୱର: ନିଆଳି ମେଣ୍ଢା ମୃତ୍ୟୁ ଘଟଣା ଉପରୁ ପର୍ଦ୍ଦାହଟୁନି। ଅଜଣା ଜନ୍ତୁ ସମ୍ପର୍କରେ ଜାଣିବା ପାଇଁ ଶିମିଳିପାଳରୁ ଆସିଥିବା ୧୮ ଜଣିଆ ଟିମ୍ ନିଆଳିରେ ପହଞ୍ଚିଛି। ବାରିପଦା ଡିଏଫ୍ଓ ସଂଜୟ ସ୍ୱାଇଁଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଆଜି ବିଭିନ୍ନ ଗାଁକୁ ଯାଇ ଅଜଣା ଜନ୍ତୁଙ୍କ ପାଦଚିହ୍ନ ସଂଗ୍ରହ କରିଛି। ଏହାଛଡ଼ା ମେଣ୍ଢା ମୃତ୍ୟୁ କାରଣ ଖୋଜୁଛି।
ଗତ କିଛି ଦିନ ହେବା ନିଆଳି ଓ ଏହାର ଆଖପାଖ ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣ ମେଣ୍ଢାଙ୍କ ମୃତ୍ୟୁ ଘଟୁଛି। ଇତି ମଧ୍ୟରେ ୩୦୦ରୁ ଅଧିକ ମେଣ୍ଢାଙ୍କ ମୃତ୍ୟୁ ହେଲାଣି। ହେଲେ ମେଣ୍ଢା ମୃତ୍ୟୁର ପ୍ରକୃତ କାରଣ ଜାଣାପଡ଼ୁନି। ଏନେଇ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପ୍ରଭାବିତ ଗାଁରେ ସିସିଟିଭି ଓ ଜନ୍ତା ବସାଇଥିଲା। ଏହା ସତ୍ତ୍ୱେ ଅଜଣା ଜନ୍ତୁଟି ଅନ୍ଧାର ରାତିର ସୁଯୋଗ ନେଇ ମେଣ୍ଢା ଶିକାର କରୁଥିଲା। ପରେ ନନ୍ଦନକାନନରୁ ଆସିଥିବା ଏକ ଟିମ୍ ପ୍ରାଥମିକ ତଦନ୍ତ କରି ରାମଶିଆଳ ବୋଲି କହିଥିଲା। ଏପରିକି ଜନ୍ତା ବସାଇଥିଲା। ମାତ୍ର ଜନ୍ତାରେ ଅଜଣା ଜନ୍ତୁ ପଡ଼ୁନଥିବା ଦେଖିବାକୁ ମିଳିଛି।
ଏଭଳି ସ୍ଥିତିରେ ଶିମିଳିପାଳ ଅଭୟାରଣ୍ୟରୁ ଆସିଥିବା ଟିମ୍ ସ୍ଥାନୀୟ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଜନ୍ତୁଙ୍କୁ କିପରି କବ୍ଜା କରାଯିବ ସେ ସଂପର୍କରେ ବିଧିବଦ୍ଧ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ପରେ ଉକ୍ତ ଟିମ୍ ଓଳଁଶୋ, ଗୋବିନ୍ଦାପଦା, ଖୁଲିସ, ବରିମୁଣ୍ଡେଇ ଆଦି ଗ୍ରାମ ବୁଲି ଦେଖିବା ପରେ ବରିମୁଣ୍ଡେଇ ତଅଁଳା ନଦୀ ପଠାରେ ଏକ ଡ୍ରୋନ୍ କ୍ୟାମେରା ସହାୟତାରେ ଜନ୍ତୁଙ୍କ ସ୍ଥିତି ଅନୁଧ୍ୟାନ କରିଥିଲେ। ସେହି ସ୍ଥାନରେ ୮ଟି ଟ୍ରାପ୍ କ୍ୟାମେରା ଲାଗା ଯାଇଥିଲା। ସେହିପରି ବରିମୁଣ୍ଡେଇ- ବାହାରଣା ଗହିର ମଝିରେ ଥିବା ବରୁଣ ହୁଡ଼ାରେ ମଧ୍ୟ କ୍ୟାମେରା ଲାଗା ଯାଇଥିଲା। ନିଆଳି ଓ ବାଲିପଟଣା ବ୍ଲକର ବିଭିନ୍ନ ଅଞ୍ଚଳରେ ୫୦ଟି କ୍ୟାମେରା ଲଗାଯିବ ବୋଲି ଏସିସିଏଫ୍ ମହମ୍ମଦ ଜମିର୍ ସୂଚନା ଦେଇଛନ୍ତି। ବନବିଭାଗର ବିଭିନ୍ନ ଯୋଜନା ଫେଲ୍ ମାରୁଥିବା ବେଳେ ଆଜିର ଏହି ଯୋଜନା କେତେଦୂର ଫଳପ୍ରଦ ହେବ ତାହାକୁ ନେଇ ସାଧାରଣରେ ଉତ୍ସୁକତା ସୃଷ୍ଟି ହୋଇଛି। ଶିମିଳିପାଳରୁ ଆସିଥିବା ଏହି ଟିମ୍ରେ ଅନ୍ୟମାନଙ୍କ ମଧ୍ୟରେ କପ୍ତିପଦା ରେଞ୍ଜର୍ ସଂଗ୍ରାମ ମହାନ୍ତି, ଡ଼ୁକୁରା ରେଞ୍ଜର ବଟକୃଷ୍ଣ ପାଢ଼ୀ, ଅବସରପ୍ରାପ୍ତ ରେଞ୍ଜ୍ ଅଫିସର ବସନ୍ତ ମହାନ୍ତିଙ୍କ ସମେତ ପ୍ରାଣୀବିଭାଗର ସ୍ୱତନ୍ତ୍ର ଡାକ୍ତର, ଟ୍ରାଙ୍କୁଲାଇଜ୍ କରିବା ପାଇଁଁ ସ୍ୱତନ୍ତ୍ର ବିଶେଷଜ୍ଞମାନେ ଆସିଛନ୍ତି। ସେହିପରି ଫୁଲନଖରା ରେଞ୍ଜର୍ ହିମାଂଶୁ ଶେଖର ମହାନ୍ତି, ନିଆଳି ବନପାଳ ଶ୍ରୀକାନ୍ତ ବେହେରା, ନିଆଳି ପ୍ରାଣୀ ବିଭାଗର ମୁଖ୍ୟ ଚିକିତ୍ସା ଅଧିକାରୀ ଶଶାଙ୍କ ଶେଖର ନାୟକ ପ୍ରମୁଖ ଜନ୍ତୁ ଧରା ଅଭିଯାନରେ ସହଯୋଗ କରୁଛନ୍ତି।

ଏପ୍ରିଲ୍ ୨୧ତାରିଖରୁ ବିଳାସୁଣୀ ପଞ୍ଚାୟତର ଦହିଜଙ୍ଗ ଓ କୂଳଦହିଜଙ୍ଗ ଗ୍ରାମର ବିଭିନ୍ନ ଗୁହଳରେ ପଶି ଅଜଣା ଜନ୍ତୁ ମେଣ୍ଢା ମାରିବା ଆରମ୍ଭ କରିଥିଲା। ଅଢେଇ ମାସରୁ ଅଧିକ ହେଲାଣି ସମାନ ଢଙ୍ଗରେ ମେଣ୍ଢାଙ୍କ ତଣ୍ଟି କଣା କରିବା ସହିତ ପେଟ ଚିରି କଲିଜା ଗାଏବ କରି ଦେଉଛି। ମେଣ୍ଢାଙ୍କୁ ରାମଶିଆଳ ଅଥବା ଗଧିଆ ଏଭଳି ଆକ୍ରମଣ କରୁଛି ବୋଲି ବନ ବିଭାଗ ପକ୍ଷରୁ କୁହାଯିବା ସହିତ ଗତ ୨୭ ତାରିଖରୁ ବାଣଫୁଟାଇ ସେମାନଙ୍କୁ ଘଉଡାଇବାକୁ ଉଦ୍ୟମ କରିଥିଲା। ୨୮ତାରିଖରେ ନନ୍ଦନକାନନର ବିଶେଷଜ୍ଞ ଦଳ ନିଆଳିରେ ପହଞ୍ଚି ଗୁହାଳ ସମ୍ମୁଖରେ ପଡିଥିବା ଜନ୍ତୁର ପାଦଚିହ୍ନ ନମୂନା ସଂଗ୍ରହ କରି ‘ରାମଶିଆଳ’ ଏଭଳି ମେଣ୍ଢା ମାରୁଥିବା ସ୍ପଷ୍ଟ କରିଥିଲେ। ନନ୍ଦନକାନନ ବିଶେଷଜ୍ଞ କମଳଲୋଚନ ପୁରୋହିତଙ୍କ ନେତୃତ୍ୱରେ ଗଲା ୧ ତାରିଖରେ ଖୁଲିସ ଓ ୩ ତାରିଖରେ ଧଉଳିଆଠାରେ ସ୍ୱତନ୍ତ୍ର ଏନ୍କ୍ଲୋଜର ବସାଯାଇଥିଲା। ତାସହିତ ଟ୍ରାପ୍ କ୍ୟାମେରା, ସିସିଟିଭି ଲଗାଯାଇଥିଲେ ମଧ୍ୟ ଜନ୍ତୁ ଧରା ନ ପଡି ଅନ୍ୟ ଅଞ୍ଚଳରେ ମେଣ୍ଢା ମାରିଥିଲା।

Leave A Reply

Your email address will not be published.