ତାଜମହଲକୁ ସୁରକ୍ଷା ଦିଅ,ନହଲେ ବନ୍ଦକର-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବିଶ୍ୱର ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ତାଜମହଲର ରକ୍ଷଣାବେକ୍ଷଣରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ସୁପ୍ରିମକୋର୍ଟ ଭୀଷଣ କ୍ଷୁବ୍ଧ ହୋଇଛନ୍ତି । ତାଜମହଲ ସୁରକ୍ଷା ଏବେ ହୋପଲେସ୍ କଜ୍ ବା ନିରାଶାର କାରଣ ହୋଇଛି । ଜୁଲାଇ ୩୧ଠାରୁ ପ୍ରତିଦିନ ତାଜମହଲକୁ କେମିତି ପ୍ରଦୂଷଣରୁ ସୁରକ୍ଷିତ ରଖାଯାଇ ପାରିବ, ସେ ସମ୍ପର୍କରେ ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ ରୁଲିଂ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଆପଣ ଏହାକୁ ବନ୍ଦ କରି ଦିଅନ୍ତୁ, ନହେଲେ ଭାଙ୍ଗି ଦିଅନ୍ତୁ ନଚେତ୍ ଏହାର ସୁରକ୍ଷା ଦାୟିତ୍ୱ ନିର୍ବାହ କରନ୍ତୁ । ତାଜ ହେଉଛି ଇଫେଲ ଟାୱାରଠାରୁ ମଧ୍ୟ ଅଧିକ ସୁନ୍ଦର । ତେଣୁ ଏହାର ସୁରକ୍ଷା କରାଯିବା ଉଚିତ ବୋଲି କୋର୍ଟ ରୁଲିଂ ଦେଇଛନ୍ତି । ତାଜମହଲ ସୁରକ୍ଷା ସମ୍ପର୍କରେ ଆଗତ ହୋଇଥିବା ଏକ ପିଟିସନ୍ର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ମଦନ ବି ଲୋକୁର ଓ ଜଷ୍ଟିସ୍ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାର ଓ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଖଣ୍ଡପୀଠ କହିଛନ୍ତି ୮୦ ମିଲିୟନ ଲୋକ ଇଫେଲ ଟାୱାର ଦେଖିବାକୁ ଯାଉଛନ୍ତି, ଯାହା ଏକ ଟିଭି ଟାୱାର ଭଳି ଦୃଶ୍ୟମାନ ହେଉଛି । ଆମ ତାଜମହଲ ଉକ୍ତ ଟାୱାରଠାରୁ ଅଧିକ ସୁନ୍ଦର । ଯଦି ଆପଣମାନେ ତାଜମହଲର ଦାୟିତ୍ୱ ନିର୍ବାହ କରିବେ, ତା’ହେଲେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ । ନିଜର ଅନାଗ୍ରହ ପାଇଁ କ’ଣ ଆପଣମାନେ ଦେଶର କ୍ଷତି କରିବାକୁ ଚାହୁଁଛନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ଖଣ୍ଡପୀଠ ତାଜମହଲ ଚତୁଃପାଶ୍ୱର୍ର ପରିବେଶ କାହିଁକି ପ୍ରଦୂଷଣ ହେଉଛି, ତା’ ଉପରେ ନଜର ରଖିବାକୁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟି ପ୍ରଦୂଷଣର କାରଣ ଖୋଜିବା ସହ ଏହାକୁ କେମିତି ରୋକାଯାଇ ପାରିବ, ତା’ର ବ୍ୟବସ୍ଥା କରିବ । ଉତ୍ତର ପ୍ରଦେଶ ସରକାର ତାଜମହଲର ସୁରକ୍ଷା ପାଇଁ କୌଣସି ନିର୍ଦ୍ଦେଶାବଳୀ ପ୍ରଣୟନ କରି ନଥିବାରୁ ଖଣ୍ଡପୀଠ ଯୋଗୀ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । କେନ୍ଦ୍ର ସରକାରଙ୍କୁ ଖଣ୍ଡପୀଠ ତାଜମହଲ ସୁରକ୍ଷା ସମ୍ପର୍କିତ ବିସ୍ତୃତ ରିପୋର୍ଟ ପ୍ରକାଶ କରିବାକୁ କହିଛନ୍ତି । କେନ୍ଦ୍ର ସରକାର ତାଜମହଲ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରୁନାହାନ୍ତି ବୋଲି ଖଣ୍ଡପୀଠ ହୃଦୟଙ୍ଗମ କରିଛନ୍ତି ।

Leave A Reply

Your email address will not be published.