ଶିବରାତ୍ରି ପାଇଁ ପୁରୀ ଲୋକନାଥଙ୍କ ପୀଠରେ କଡା ସୁରକ୍ଷା

ପୁରୀ: ଆଜି ପବିତ୍ର ମହାଶିବରାତ୍ରି । ଏନେଇ ପୁରୀ ଲୋକନାଥଙ୍କ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଏଠାରେ ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇ ଜାଗର ଜାଳୁଥିବାରୁ ଏଥିପାଇଁ ମନ୍ଦିର ପାଖ ପଡିଆ ସଫାସୁତୁରା କରାଯାଇଛି । ଭିଡ଼ ନିୟନ୍ତ୍ରଣ ସହ ଅପରାଧ ରୋକିବା ପାଇଁ ୫୦ରୁ ଅଧିକ ଅଫିସର ଓ ୨୨ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଛି। ଗାଡ଼ିମୋଟର ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଏହା ସହ ଭକ୍ତଙ୍କ ଦର୍ଶନ ପାଇଁ ‘ଏସ୍’ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଚୂଡ଼ାନ୍ତ ନୀତି ଅନୁଯାୟୀ, ଗତ ରାତି ସାଢ଼େ ୧୨ଟାରେ ପହୁଡ଼ ଦ୍ବାର ଖୋଲିବା ପରେ ରାତି ଗୋଟାଏରୁ ୨ଟା ଭିତରେ ମଙ୍ଗଳଆଳତି, ଅବକାଶ, ସୂର୍ଯ୍ୟପୂଜା ଆଦି ନୀତି ଅନୁଷ୍ଠିତ ହୋଇଛି। ଗତ ରାତି ୨ଟାରୁ ଆଜି ରାତି ୧୨ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯାଇଛି। ଆଜି ଶ୍ରୀମନ୍ଦିରରୁ ଲୋକନାଥଙ୍କ ଚଳନ୍ତି ପ୍ରତିମା ଲୋକନାଥ ମନ୍ଦିରରେ ବିଜେ କରିବା ପରେ ରାତି ୧୨ଟାରୁ ରାତି ୨ଟା ମଧ୍ୟରେ ବିଭିନ୍ନ ନୀତି ଅନୁଷ୍ଠିତ ହେବ। ରାତି ୨ଟାରୁ ୩ଟା ଭିତରେ ହରିହର ଭେଟ ସହ ପୂଜାଭୋଗ, ଚତୁର୍ଦ୍ଦଶୀ ଭୋଗ, ବଡ଼ସିଂହାର ଭୋଗ ଓ ମହାଦୀପ ପ୍ରଜ୍ବଳନ ନୀତି ଅନୁଷ୍ଠିତ ହେବ। ରାତି ୩ଟାରେ ମହାଦୀପ ଉଠିବା ନେଇ ସମୟ ଚୂଡ଼ାନ୍ତ ହୋଇଛି। ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ୨ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୨ ଜଣ ଡିଏସ୍‌ପି, ୧୧ ଜଣ ଆଇଆଇସି, ୪୬ ଜଣ ଏସ୍‌ଆଇ, ଏଏସ୍‌ଆଇ, ୧୪ଜଣ ଟ୍ରାଫିକ୍ ହାବିଲଦାର, ୯୨ଜଣ କନଷ୍ଟେବଳ, ୨୦୭ଜଣ ହୋମଗାର୍ଡ଼ଙ୍କୁ ନିୟୋଜିତ କରାଯାଇଛି। ଗାଡ଼ିମୋଟର ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭୋର ୪ଟାରୁ ଗାଣ୍ଡୁଆ ଚଉରା ଛକରୁ ବୃଷଭ ଛକ ପର୍ଯ୍ୟନ୍ତ ରିକ୍ସା, ସାଇକେଲ, ବାଇକ୍ ଯାଆସ କରିପାରିବେ। କିନ୍ତୁ ଅଟୋ ଓ ଅନ୍ୟ ବଡ଼ ଗାଡ଼ି ଗାଣ୍ଡୁଆ ଚଉରା ଛକରେ ପାର୍କିଂ କରିବେ। ସେହିପରି ବଳିଆପଣ୍ଡା ଦେଇ ଆସୁଥିବା ବଡ଼ଗାଡ଼ି ଲାଇଟ୍ ହାଉସ ନିକଟରେ ପାର୍କିଂ କରିବେ। ମଙ୍ଗଳାହାଟ ଦେଇ ଆସୁଥିବା ଗାଡ଼ିମୋଟର ଫ୍ଳୋରିସ୍ ଇଣ୍ଡିଆ ନିକଟରେ ପାର୍କିଂ କରିବେ।

Leave A Reply

Your email address will not be published.