ପୁରୀ : ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ । ଶନିବାର ଦିନ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ସ୍ନାନପୂର୍ଣ୍ଣିମାଠାରୁ ଅନବସରରେ ଥିବା ଦାରୁ ବିଗ୍ରହମାନେ ଆଷାଢ଼ ଅମାବାସ୍ୟା ତିଥିରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ନବଯୌବନ ଦର୍ଶନ ଓ ରଥଯାତ୍ରା ଉପଲକ୍ଷେ ପୁରୀ ଏବେ ବେଶ ଚଳଚଞ୍ଚଳ ଓ ଉତ୍ସବ ମୁଖର । ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ପହଞ୍ଚିଛି ଚୂଡ଼ାନ୍ତ ପର୍ଯ୍ୟାୟରେ । ଏଥିପାଇଁ ଲୋକାରଣ୍ୟ ହୋଇଉଠୁଛି ଶ୍ରୀକ୍ଷେତ୍ର । ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ଟ୍ରେନ୍, ବସ୍ ଓ ଅନ୍ୟାନ୍ୟ ଯାନଯୋଗେ ପୁରୀରେ ପହଞ୍ଚିବାରେ ଲାଗିଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ବେଢ଼ାରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବହୁ ସଂଖ୍ୟକ ପୁଲିସ ମୁତୟନ ହୋଇଛନ୍ତି । ଶ୍ରୀମନ୍ଦିର ଭିତରେ ୩୩ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଏସ୍ପି ଡା. ସାର୍ଥକ ଷଡ଼ଙ୍ଗୀ ଶାନ୍ତିଶୃଙ୍ଖଳାର ସ୍ୱତନ୍ତ୍ର ତତ୍ତ୍ୱାବଧାନ କରୁଛନ୍ତି । ନବଯୌବନ ଦର୍ଶନ ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ନୀତି ନିର୍ଘଣ୍ଟ ଅନୁଯାୟୀ ଆସନ୍ତାକାଲି ସକାଳ ୬ଟାରେ ଚକାଅପସର, ୬ଟା୧୦ମିନିଟରେ ମଙ୍ଗଳଆଳତି, ୬ଟା୨୫ମିନିଟରେ ମଇଲମ, ୭ଟାରେ ଅବକାଶ ନୀତି ସମ୍ପନ୍ନ ହେବ । ୭ଟା୩୦ମିନିଟରେ ଦଶାବତାର ଦିଅଁ ବାହୁଡ଼ା ବିଜେ କରିବେ । ସକାଳ ୮ଟାରେ ତାଟି ଫିଟିବ । ୮ଟାରୁ ୯ଟା ପର୍ଯ୍ୟନ୍ତ ଯାତ୍ରୀମାନେ ଦକ୍ଷିଣଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ଭିତରକାଠ ପାଖରୁ ପରିମାଣିକ ଟିକେଟରେ ଦର୍ଶନ କରିପାରିବେ । ଏହାପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ସକାଳ ୯ଟାରୁ ୧୦ଟା୩୦ମିନିଟ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବା ପରେ ଧୁଆଧୋଇ ହୋଇ ମଧ୍ୟହ୍ନ ୧୨ଟାରେ ଦଇତାପତି ସର୍ବାଙ୍ଗ ବନ୍ଦାପନା କରିବେ । ୧୨ଟା ୩୦ମି.ରେ ନେତ୍ରୋତ୍ସବ ବନ୍ଦାପନା ହୋଇ ରୋଷହୋମ, ରାଜନୀତି, ଯାତ୍ରାଙ୍ଗି ମହାସ୍ନାନ, ମଇଲମ, ଘଣ୍ଟ ଛତା ସର୍ବାଙ୍ଗ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ହୋଇ ୨ଟା୪୫ମିନିଟରେ ମହାପ୍ରଭୁଙ୍କ ବେଶ ଶେଷ ହେବ । ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଗୋପାଳବଲ୍ଲଭ, ଘଣ୍ଟ ଘଣ୍ଟା ସକାଳଧୂପ ଶେଷ ହେବ । ଭୋଗମଣ୍ଡପ ଉଠିବା ପରେ ତିନିରଥ ରଥଖଳାରୁ ସିଂହଦ୍ୱାରକୁ ଆସିବା ପାଇଁ ଆଜ୍ଞାମାଳ ବିଜେ କରାଯିବ ଅପରାହ୍ନ ୪ଟା ୧୦ମିନିଟରେ । ରଥଖଳାରେ ମହାପ୍ରଭୁଙ୍କ ଆଜ୍ଞାମାଳ ପହଞ୍ଚିବା ପରେ ତିନିରଥ ଟଣାଯିବ । ୪ଟା୨୦ମିନିଟ ସୁଦ୍ଧା ମହାପ୍ରଭୁଙ୍କ ଭୋଗମଣ୍ଡପ ଶେଷ ହେବ । ଏହା ପରେ ପରେ ମଇଲମ, ବେଶ, ମଧ୍ୟାହ୍ନ ଧୂପ, ଦ୍ୱିତୀୟ ଭୋଗମଣ୍ଡପ, ଦକ୍ଷିଣୀଘର ଭୋଗ, ମଇଲମ ଆଦି କରାଯାଇ ରାତ୍ର ୭ଟା ୩୦ମିନିଟରେ ସନ୍ଧ୍ୟା ଆଳତି କରାଯିବ । ଏହା ପରେ ଅଙ୍କୁରା ରୋପଣ, ତୃତୀୟ ଭୋଗମଣ୍ଡପ, ମଇଲମ, ଚନ୍ଦନଲାଗି, ବଡସିଂହାର ବେଶ, ବଡସିଂହାର ଭୋଗ ହୋଇ ରାତ୍ର ୧୧ଟା୩୦ମି.ରେ ପହୁଡ଼ ଆଳତି ହେବ । ୧୧ଟା ୪୫ମିନିଟରେ ଶ୍ରୀମୁଖ ଖଣ୍ଡୁଆ ପଡ଼ିବ । ଭୋର ୫ଟା ୩୦ମି. ମଧ୍ୟରେ ମହାପ୍ରଭୁଙ୍କ ସେନାପଟ୍ଟା ଲାଗି ଶେଷ ହେବବୋଲି ନୀତି ନିର୍ଘଣ୍ଟ ଉଲ୍ଲେଖ କରାଯାଇଛି । ସର୍ବସାଧାରଣ ଦର୍ଶନ ସମୟରେ ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିରକୁ ଯିବେ ଓ ଦର୍ଶନ ସାରି ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି ।
Next Post
