ଭୁବନେଶ୍ବଲ : ରାଜ୍ୟରେ ବିକ୍ରି ହେଉଥିବା ମାଛରେ କୌଣସି ପ୍ରକାର ଫର୍ମାଲିନ ମିଶିନାହିଁ । ମଧୁର ମାଛରେ ଫର୍ମାଲିନ ମିଶିବାର ସମ୍ଭାବନା ନାହିଁ । ପରୀକ୍ଷାଗାରରେ ମାଛର ନମୂନା ପରୀକ୍ଷା ପରେ ଏହା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପ୍ରଶାନ୍ତ ସେନାପତି ପ୍ରକାଶ କରିଛନ୍ତି । ତେଣୁ ଲୋକେ ଭୟଭୀତ ନ ହୋଇ ମାଛ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି। ପୂର୍ବରୁ ବିଭିନ୍ନ ସହରରୁ ଯେଉଁ ମାଛ ନମୁନା ସଂଗ୍ରହ ହୋଇଥିଲା ସେଥିରୁ ଫର୍ମାଲିନ ମିଳି ନଥିବା କହିଛନ୍ତି ମତ୍ସପଶୁ ସମ୍ପଦ ନିର୍ଦ୍ଦେଶକ । ବିଶେଷ କରି ଆନ୍ଧ୍ର ମାଛକୁ ନେଇ ଥିବା ସନ୍ଦେହ ଦୂର ହୋଇଛି । ତେଣୁ ଆନ୍ଧ୍ର ମାଛ ବନ୍ଦ ହେବାର ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ । ତେବେ ପୂର୍ବରୁ ପମ୍ଫ୍ରେଟ୍ ମାଛରୁ ବାହାରିଥିବା ପର୍ମାଲିନ୍ ନେଇ ତଦନ୍ତ ଚାଲିଛି । ଏପରିକି ଫର୍ମାଲିନ ବୋଳା ମାଛକୁ ସାଧାରଣ ଲୋକେ ଯେମିତି ଜାଣିପାରିବେ, ସେଥି ପାଇଁ ଦରକାର ପଡ଼ିଲେ ସଚେତନତା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ସେପଟେ ରାଜ୍ୟର ବିଭିନ୍ନ ସହରର ମାଛ ମାର୍କେଟରେ ଚଢ଼ାଉ ଜାରି । ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଏବଂ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶରେ ଆଜି ଜଗତସିଂହପୁର, ରାଉରକେଲା ଏବଂ ବାଲେଶ୍ବରରେ ହୋଇଛି ରେଡ୍ । ପୂର୍ବରୁ ଭୁବନେଶ୍ବରରୁ ନମୁନା ସଂଗ୍ରହ କରାଯାଇ ଥିବା ବେଳେ ଗତକାଲି ବଲାଙ୍ଗିର ଏବଂ ସମ୍ବଲପୁରରେ ହୋଇଥିଲା ଚଢ଼ାଉ । ବିଶେଷଜ୍ଞ ଟିମ୍ ବିଭିନ୍ନ ପ୍ରକାର ମାଛର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ବର ପଠାଇଛନ୍ତି ।
ମାଛକୁ ବହୁ ସମୟ ସତେଜ ରଖିବାକୁ ଫର୍ମାଲିନ୍ ବୋଳୁଛନ୍ତି । ଯାହା କର୍କଟ ରୋଗ ସୃଷ୍ଟି କରୁଛି । ଆସାମ ସରକାର ଏହା ଜାଣିବା ପରେ ଆନ୍ଧ୍ର ମାଛକୁ ବ୍ୟାନ କରିଛନ୍ତି । ଆଉ ଆମ ରାଜ୍ୟର ବିଭିନ୍ନ ସହରରେ ଚାଲିଛି ଚଢ଼ାଉ ।
