ଐତିହ୍ୟ କ୍ୟାବିନେଟର ମଞ୍ଜୁରୀ ସତ୍ୟବାଦୀରେ ପ୍ରତିଷ୍ଠା ହେବ ‘ଓଡ଼ିଆ ବିଶ୍ୱବିଦ୍ୟାଳୟ’

ଭୁବନେଶ୍ୱର : ପୁରୀର ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ ଓ ଏଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେବେ । ଆଜି ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଆଜି ଐତିହ୍ୟ କ୍ୟାବିନେଟର ପ୍ରଥମ ବୈଠକ ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।   ଓଡ଼ିଆ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ଲାଗି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ସାର୍ବଜନୀନ ପାଠାଗାର ନିର୍ଦ୍ଦେଶାଳୟ ପ୍ରତିଷ୍ଠା ହେବା ପାଇଁ ମଧ୍ୟ ନିଷ୍ପତି ନେଇଛନ୍ତି ସରକାର । ଏହାଦ୍ଵାରା ସଂସ୍କୃତି ବିଭାଗ ଓ ବିଭିନ୍ନ ପୌର ପରିଷଦ ଅଧୀନରେ ଥିବା ଲାଇବ୍ରେରୀକୁ ସୁଚାରୂ ରୂପେ ପରିଚାଳନା ସମ୍ଭବପର ହେବ। ସେହିପରି ବିଜୁ ପଟ୍ଟନାୟକଙ୍କ ବାସଘର କଟକର ଆନନ୍ଦଭବନର ଉନ୍ନତି ପାଇଁ ରାଜ୍ୟ ସରକାର ଏକ କର୍ପସ ପାଣ୍ଠି ଗଠନ କରିବେ। ଆନନ୍ଦଭବନ ସଂଗ୍ରହାଳୟକୁ ରାଷ୍ଟ୍ରପତି ଉଦଘାଟନ କରିଥିଲେ। ଏବେ ଉକ୍ତ ଆନନ୍ଦ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରର ସୁପରିଚାଳନା ପାଇଁ ଆନନ୍ଦଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ଟ୍ରଷ୍ଟ/ ନ୍ୟାସ ଗଠନ କରିବାକୁ ନିଷ୍ପତ୍ତି ହୋଇଛି।

ବୈଠକରେ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏବଂ ଏହି ସମସ୍ତ ବିଭାଗର ସଚିବ ପ୍ରଭୁତି ଉପସ୍ଥିତ ରହିଥିଲେ।  ଐତିହ୍ୟ କ୍ୟାବିନେଟର ସଦସ୍ୟ ଥିବା ୭ଟି ବିଭାଗର ମନ୍ତ୍ରୀ ଓ ବିଭାଗର ସଚିବ ଏହି ବୈଠକରେ ଉପସ୍ଥିତ ରହିଥିଲେ।

ରାଜ୍ୟ ସରକାର ୨୦୧୭ ଡିସେମ୍ବର ୨୬ତାରିଖରେ ରାଜ୍ୟରେ ଐତିହ୍ୟ କ୍ୟାବିନେଟ୍ ଗଠନ ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ୭ଜଣ ମନ୍ତ୍ରୀ ସଦସ୍ୟ ଅଛନ୍ତି। ଆଜି ପ୍ରଥମ ଐତିହ୍ୟ କ୍ୟାବିନେଟ୍ ବୈଠକ ବସିଥିଲା।

 

Leave A Reply

Your email address will not be published.