ଝାରସୁଗୁଡା : ଯନ୍ତ୍ରଣାରେ ଛଟପଟ ହେଉଛି ହାତୀ । ଗତ ଦେଢ ମାସ ଧରି ଜଙ୍ଗଲରେ ବିକଳ ହୋଇ ବୁଲୁଛି । ଶୋଇବା ଜାଗାରୁ ଉଠିବା ତା ପାଇଁ ମୁସ୍କିଲ ହୋଇ ପଡିଛି । ହେଲେ ହାତୀର ଚିକିତ୍ସା ନେଇ ବନବିବାଗ ଚୁପ ବସିଛି । ଦିନେ ଥିଲା ଜଙ୍ଗଲର ମହାବଳୀ, ହେଲେ ଏବେ ଅସହାୟ । ମୁହଁରେ କହିପାରୁନି ସିନା କିନ୍ତୁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି । ଝାରସୁଗୁଡା କୋଲାବିରା ରେଞ୍ଜର ଜଟିଆଡିହି ଜଙ୍ଗଲ ଭିତରେ ଯେମିତି ମୃତ୍ୟୁକୁ ଅପେକ୍ଷା କରିଛି ଏହି ଗଜରାଜ । ପଛଗୋଡରେ ହୋଇଥିବା ଘାଆ ପଚିଯାଇଥିବାରୁ ଠିକ୍ ଭାବେ ଚାଲି ପାରୁନି । ନିଜ ପାଇଁ ଖାଦ୍ୟ ଯୋଗାଡିବାକୁ ଅସମର୍ଥ । ଫଳରେ ଦିନକୁ ଦିନ ଦୁର୍ବଳ ହୋଇ ପଡୁଛି । ଅସୁସ୍ଥ ହାତୀକୁ ଜଙ୍ଗଲ ପାଖ ଗାଁ ଲୋକେ ଖାଇବାକୁ ଦେଉଛନ୍ତି । କିନ୍ତୁ ତାହା ଯଥେଷ୍ଟ ନୁହେଁ । ଗତ ଦେଢମାସ ଧରି ହାତୀଟି ଛୋଟେଇ ଛୋଟେଇ ଚାଲୁଛି, ସମସ୍ତେ ଦେଖୁଛନ୍ତି । ହେଲେ ବନବିଭାଗ ଚୂପଚାପ ବସିଛି।
ଗତ ଏପ୍ରିଲ ୧୬ତାରିଖରେ ରେଳ ଧକ୍କାରେ ବାଗଡିହି ରେଞ୍ଜରେ ୪ଟି ହାତୀ ପ୍ରାଣ ହରାଇଥିଲେ । ଦୁଇ ମାସ ତଳେ ଏହି ରେଞ୍ଜରେ ଗୋଟିଏ ହାତୀ ଅସୁସ୍ଥ ହୋଇ ଆଖି ବୁଜିଥିଲା । ଆଉ ଏବେ ଆଉ ଗୋଟିଏ ହାତୀ ମୃତ୍ୟୁକୁ ଅପେକ୍ଷା କରିଛି । ବନ ବିଭାଗ ଅଧିକାରୀ ହାତୀପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ବନ ଅଧିକାରୀଙ୍କ କହିବା କଥା ଆମେ ଉଚ୍ଚ ଅଧିକାରୀଙ୍କୁ ଜମାଇ ଦେଇଛୁ । ଡାକ୍ତର ଆସିଲେ ଚିକିତ୍ସା ହେବ ।
(file photo )
