ଭୁବନେଶ୍ବର : କେନ୍ଦ୍ର ସ୍ତରରେ ବିଜେଡି ବିଜେପି ଭିତରେ କଣ ଡିଲ ହୋଇଛି । ଉଭୟେ ଉଭୟଙ୍କ ସ୍ବାର୍ଥରକ୍ଷା ପାଇଁ କଣ ସଲାସୁତୁରା ହୋଇଛନ୍ତି। ଏହି ଦୁଇ ଦଳଙ୍କ କିଛି ନିଷ୍ପତ୍ତି ଏଭଳି କିଛି ରାଜନୈତି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ବାଙ୍ଗଲାଦେଶୀ ପ୍ରସଙ୍ଗ ଠାରୁ ଆରମ୍ଭ କରି ଏକକ ନିର୍ବାଚନ, ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଉଭୟଙ୍କ ମନୋଭାବକୁ ଦେଖିଲେ ଦୁଇଦଳଙ୍କ ଭିତରେ ଭିତିରିଆ ବୁଝାମଣା ହେଲାଭଳି ଚର୍ଚ୍ଚା ହେଉଛି । ଯାହାକୁ ନେଇ ଏବେ ବିରୋଧୀ କଂଗ୍ରେସ କହିଛି ବିଜେଡି ବିଜେପି ଉପରେ କଳି ଭିତରେ କୋଳାକୋଳି…
ବିଜେଡି ବିଜେପି ଭିତରେ ଭିତରେ କିଛି ଚାଲିଛି କି । ଏବେ ବିଭିନ୍ନ ମହଲରେ ସେହି ଚର୍ଚ୍ଚା। ରାଜ୍ୟରେ ତୁତୁ ମେମେ ହେଊଥିବା ଏହି ଦୁଇ ଦଳ କେନ୍ଦ୍ରରେ ଲୁଚିଲୁଚି କୋଳାକୋଳି ହେଉଛନ୍ତି କି ? ବାଙ୍ଗଲାଦେଶୀ ଅନୁପ୍ରବେଶ ପ୍ରସଙ୍ଗରେ ସଂସଦରେ କେନ୍ଦ୍ରର ଆଭିମୁଖ୍ୟକୁ ବିଜେଡିର ସିଧା ସମର୍ଥନ ଆଉ ପରେପରେ ଅମିତ ଶାହା ବି ବିଜେଡି ପ୍ରଶଂସାରେ ଶତମୁଖ ହେବାକୁ ନେଇ ଏହି ଚର୍ଚ୍ଚା ଉଡ଼ିଲାଣି। ପୂର୍ବରୁ ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ବିଜେଡି ଭାଗ ନ ନେଇ ଓ୍ବାକ୍ ଆଉଟ କରିଥିଲା, ଯାହାକି ବିଜେପିକୁ ସୁହାଇଥିଲା । ସେହିପରି ସାରା ଦେଶରେ ଏକକ ନିର୍ବାଚନକୁ ସମର୍ଥନ ଦେଇ ନବୀନ କେନ୍ଦ୍ରର ଆଭିମୁଖ୍ୟକୁ ସଶକ୍ତ କରିଥିଲେ । ଏମେ ରାଜ୍ୟରେ କିନ୍ତୁ ବିଜେଡି ଓ ବିଜେପି ଉପରେ ଉପରେ କଳି କରୁଛନ୍ତି ଆଉ ଭିତରେ କୋଳାକୋଳି ହେଉଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ଦୁଇ ଦଳଙ୍କ ଭିତରେ ଚାଲିଥିବା ଲୁଚୁକାଳି ରାଜ୍ୟ ରାଜନୀତିକୁ ନୂଆ ଦିଗ ଦେବ ବୋଲି ବିତର୍କ ଆରମ୍ଭ ହୋଇଛି । ଶୁଣନ୍ତୁ ଏବେ ଏଠି କେମିତି ପ୍ରତିକ୍ରିୟା।
ପ୍ରତି କଥାରେ ରାଜ୍ୟ ରାଜନୀତିରେ ବିଜେଡି ବିଜେପି ଛକାପଞ୍ଚା ହେବା ସାଧରଣ କଥା । ବିଜେପି ନବୀନଙ୍କୁ ଟାର୍ଗେଟ କରିବା ଏବଂ ବିଜେଡି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିବା ନୂଆ କଥା ହୋଇ ରହିନି । ଗୋଟିଏ ପଟେ ଚିଟଫଣ୍ଡ ସଂପର୍କିତ ସିବିଆଇ ତଦନ୍ତର ଦିଗକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଛି ସେପଟେ କେନ୍ଦ୍ରର ସମସ୍ତ କଥାରେ ନବୀନ ହଁ ମାରିବା ପଛରେ ବିଜେଡି ଓ ବିଜେପି ଉପର ସ୍ତରରେ କିଛି ବୁଝାମଣା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।
ସାଧରଣ ନିର୍ବାଚନ ପାଇଁ ଆଉ ବେଶୀ ଦିନ ନାହି। ବିଜେଡି ବିଜେପି ଭିତରେ ମେଣ୍ଟ ହେବାର ସମ୍ଭାବନା ବି ନାହିଁ । କିନ୍ତୁ ଭିତରେ ଭିତରେ ବୁଝାମଣା ନିର୍ବାଚନ ଫଳାଫଳକୁ ଭିନ୍ନ କରିଦେଇପାରେ। ( ଫାଇଲ ଫଟୋ)
