ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣା ଜମି ସହ ୫୭% ଅର୍ଥ ବହନ: ମୁଖ୍ୟମନ୍ତ୍ରୀଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲା ପକ୍ଷରୁ ଶୁଭେଚ୍ଛା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ନବରଙ୍ଗପୁର-ଜୟପୁର ରେଳ ସଂଯୋଗୀକରଣ ପ୍ରକଳ୍ପ ଦାବିକୁ କେନ୍ଦ୍ର ସରକାର ମଞ୍ଜୁର ପ୍ରଦାନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଜମି ସହ ୫୭ ପ୍ରତିଶତ ଅର୍ଥ ବହନ କରୁଛନ୍ତି । ଏହା କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ତଥା ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଉପଲବ୍ଧି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରି ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ ବୁଦ୍ଧିଜୀବୀ, ଶୁଭେଚ୍ଛୁଙ୍କ ସହ ୧୦୦ରୁ ଊଦ୍ଧ୍ୱର୍ ବ୍ୟକ୍ତିମାନେ ଆଜି ନବୀନ ନିବାସ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଓ ଶୁଭେଚ୍ଛା ଜଣାଇଛନ୍ତି ।
ସେପ୍ଟେମ୍ବର ୨୦୧୪ରେ ରାଜ୍ୟ ସରକାରଙ୍କ ତରଫରୁ ଏହି ପ୍ରକଳ୍ପର ତ୍ୱରାନ୍ୱିତ ପାଇଁ ପ୍ରଥମେ ପଦକ୍ଷେପ ନିଆଯାଇଥିଲା । ରାଜ୍ୟ ସରକାରଙ୍କ ଦାବିକୁ ସମ୍ମାନ ଜଣାଇ ବିସ୍ତୃତ ପ୍ରକଳ୍ପ ବିବରଣୀକୁ ରେଳ ମନ୍ତ୍ରଣାଳୟ ଚିଠି ସଂଖ୍ୟା ଡ-ଓଓ/ଋଉକ୍ଟଜ/ଘଖ (ଊଚଜ)/୩୪ ତା.୩.୭.୨୦୧୭ରେ ପୂର୍ଣ୍ଣ ମଞ୍ଜୁରୀ ପ୍ରଦାନ କରିଛି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ସହ ୫୦ ପ୍ରତିଶତ ଅର୍ଥ ବହନ କରିବାର ପ୍ରତିଶ୍ରୁତି ଦିଆଯାଇଥିଲା । ଯାହାଫଳରେ ରାଜ୍ୟ ସରକାର ଜମି ଓ ନିର୍ମାଣ ବାବଦରେ ପ୍ରାୟ ୫୭ ପ୍ରତିଶତରୁ ଅଧିକ ଅର୍ଥ ବହନ କରୁଛନ୍ତି । ଆଗାମୀ ଦିନରେ ପଶ୍ଚିମ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାର ଯୋଗାଯୋଗ ପାଇଁ ଏହି ୩୮କିମି ରେଳ ସଂଯୋଗୀକରଣ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରମେଶ ମାଝୀ, ସାଂସଦ ଝିନ୍ନ ହିକ୍କା, ବଳଭଦ୍ର ମାଝୀ, ଏ.ଭି. ସ୍ୱାମୀ, ବିଧାୟକ ମନୋହର ରନ୍ଧାରୀ, ସୁବାଷ ଗଣ୍ଡ, ଡମ୍ବରୁ ସିସା, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ମୁନ୍ନା ଖାଁ, ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.