ଆଜିଠାରୁ ଶହୀଦ ସପ୍ତାହ ଆରମ୍ଭ; ସୀମା ସିଲ କଲା ପୋଲିସ

ମାଲକାନଗିରି : ଆଜିଠାରୁ ନକ୍ସଲଙ୍କ ଶହୀଦ ସପ୍ତାହ ଆରମ୍ଭ ହେଉଛି। ଜୁଲାଇ ୨୮ ରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ନକ୍ସଲମାନେ ଗାଁ ଗାଁରେ ଏହି ସପ୍ତାହକୁ ପାଳନ କରିବେ ବୋଲି ସୂଚନା ମିଳିଛି। ଯାହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୀମା ସିଲ କରାଯିବା ସହ ଯାଞ୍ଚ କଡାକଡି କରାଯାଉଛି ।

ଅଜଣା ବ୍ୟକ୍ତିଙ୍କୁ ଦେଖିଲେ ତାଙ୍କର ପରିଚୟ ପଚରାଯିବା ସହ ତାଙ୍କ ସମ୍ପର୍କରେ ସବିଶେଷ ବିବରଣୀ ପୋଲିସ ନେଉଛି। ଆନ୍ଧ୍ର, ତେଲେଙ୍ଗାନା ଏବଂ ଛତିଶଗଡ ସୀମାକୁ ସିଲ କରିବା ସହ ନକ୍ସଲ ଗତିବିଧି ଉପରେ ନଜର ରଖିଛି ପୋଲିସ। ସେହିପରି ଗୁଇନ୍ଦା ବିଭାଗକୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଥାଉକି, ଶହୀଦ ସପ୍ତାହର କିଛି ଦିନ ପୂର୍ବରୁ ନକ୍ସଲଙ୍କୁ ଲାଗିଥିଲା ବଡ ଝଟକା। ଗତ ଦୁଇ ଦିନ ତଳେ ନକ୍ସଲ ଏବଂ ପୋଲିସ ଗୁଳିବିନିମୟରେ ଜଣେ ହାର୍ଡକୋର ନକ୍ସଲର ମୃତ୍ୟୁ ହୋଇଥିବାବେଳେ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ବିଏସଏଫ ଯବାନ ମଧ୍ୟ ଦିନ ରାତି ପଇଁତରା ମାରୁଛନ୍ତି। ଜିଲ୍ଲାସାରା ବିଏସଏଫ ଛାଉଣି ହୋଇଥିବାରୁ ନକ୍ସଲ ହିଂସାକାଣ୍ଡ ଘଟାଇବା ସହଜ ନୁହେଁ ବୋଲି କୁହାଯାଇଛି।

ସେପଟେ ଡିଭିଏଫ, ଏସଓଜି ଯବାନ ମଧ୍ୟ ଜଙ୍ଗଲରେ କୁମ୍ବିଂକୁ ଜୋରଦାର କରିଥିବା ଜଣାପଡିଛି। ସୁରକ୍ଷାବାହିନୀ ମାଓବାଦୀ ବିରୋଧରେ ଗୋଟିଏ ପରେ ଗୋଟିଏ ଅପରେସନ ଜାରି ରଖିଛି। ଗାଁ ଗାଁରେ ଲୋକେ କୌଣସି ଭୟ ନକରି ସାଧାରଣ ଜୀବନଯାପନ କରନ୍ତୁ ବୋଲି ପୋଲିସ କହିଛି। ପୂର୍ବରୁ ଶହୀଦ ସପ୍ତାହ ବେଳେ ନକ୍ସଲ ବହୁ ହିଂସା ଘଟାଇଥିବା ଯୋଗୁଁ ପୋଲିସ ମଧ୍ୟ ହାତେ ମାପି ଚାଖଣ୍ଡେ ଚାଲୁଛି। ଶହୀଦ ସପ୍ତାହରେ କୌଣସି ଅଧିକାରୀଙ୍କୁ ଆଭନ୍ତରୀଣ ଅଞ୍ଚଳକୁ ନଯିବାକୁ କୁହାଯାଇଛି।

Leave A Reply

Your email address will not be published.