୭ ଜଣ ପ୍ରସିଦ୍ଧ ଶିଳ୍ପୀଙ୍କୁ ଧର୍ମପଦ ପୁରସ୍କାର

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଚିତ୍ରକଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଇତ୍ୟାଦି କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଇଛି । ‘ଧର୍ମପଦ’ ପୁରସ୍କାର ଭାବରେ ନାମିତ ଏହି ସମ୍ମାନ ଲାଭ କରିଛନ୍ତି ରାଜ୍ୟର ୭ ଜଣ ବରିଷ୍ଠ ଶିଳ୍ପୀ । ଏହି ଶିଳ୍ପୀମାନଙ୍କ ଜୀବନବ୍ୟାପୀ ସାଧନା ଓ ରାଜ୍ୟର କଳାକ୍ଷେତ୍ରକୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପୁରସ୍କୃତ ଶିଳ୍ପୀମାନଙ୍କ ବାସଭବନକୁ ଯାଇ ବ୍ୟକ୍ତିଗତ ଭାବରେ ସମ୍ମାନିତ କରିଥିଲେ । ପ୍ରତି ଶିଳ୍ପୀଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ତାମ୍ର ଫଳକ ଓ ଉପଢୌକନ ପ୍ରଦାନ କରାଯାଇଥିଲା ।

୨୦୦୯ ମସିହା ପାଇଁ ଗୋକୁଳୀ ବିହାରୀ ପଟ୍ଟନାୟକ, ୨୦୧୦ ପାଇଁ ଅସୀମ ବସୁ, ୨୦୧୧ ପାଇଁ ଡ. ଦୁର୍ଗାପ୍ରସାଦ ଦାସ, ୨୦୧୨ ପାଇଁ ପଦ୍ମଶ୍ରୀ ସୁଦର୍ଶନ ସାହୁ, ୨୦୧୩ ପାଇଁ ପଦ୍ମଭୂଷଣ ଯତୀନ ଦାସ, ୨୦୧୪ ପାଇଁ ଦିନନାଥ ପାଠୀ, ୨୦୧୫ ପାଇଁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି ।

ଗୋକୁଳୀ ବିହାରୀ ପଟ୍ଟନାୟକ, ଅସୀମ ବସୁ ଓ ଦିନନାଥ ପାଠୀଙ୍କୁ ଏହା ମରଣୋତ୍ତର ଭାବେ ପ୍ରଦାନ କରାଯାଇଛି । ସ୍ୱର୍ଗତ ପଟ୍ଟନାୟକଙ୍କ ପତ୍ନୀ ଅନସୂୟା ପଟ୍ଟନାୟକ, ସ୍ୱର୍ଗତ ବସୁଙ୍କ ପତ୍ନୀ ଗୀତା ବସୁ ଓ ସ୍ୱର୍ଗତ ପାଠୀଙ୍କ ପୁତ୍ର ସୌଭାଗ୍ୟ କୁମାର ପାଠୀ ମନ୍ତ୍ରୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଅନ୍ୟପକ୍ଷରେ, ଡ. ଯତୀନ ଦାସ ଦିଲ୍ଲୀରେ ଅବସ୍ଥାନ କରୁଥିବା ଦୃଷ୍ଟିରୁ ଏବଂ କୋଭିଡ୍‌ କଟକଣା ଯୋଗୁଁ ଭୁବନେଶ୍ୱରରେ ଉପସ୍ଥିତ ହୋଇପାରିନଥିଲେ । ତେଣୁ ଲଳିତକଳା ଏକାଡେମୀର ପ୍ରତିନିଧି ନୂଆଦିଲ୍ଲୀ ଯାଇ ତାଙ୍କୁ ସମ୍ମାନିତ କରିବେ । ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ଏକାଡେମୀ ସଚିବ ଶିଳ୍ପୀ ଶ୍ରୀ ଗଜେନ୍ଦ୍ର ସାହୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.