ପୂର୍ବତନ ବିଧାୟକ ଅନୁପ ସାଏ ଜେଲରେ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ଏକ ଡବଲ୍‌ ମର୍ଡର ମାମଲାରେ ଛତିଶଗଡ଼ର ରାୟଗଡ଼ ପୁଲିସ୍‌ ଦ୍ୱାରା ଗିରଫ ହୋଇ ଜେଲ୍‌ରେ ଥିବା ପୂର୍ବତନ ବିଧାୟକ ଅନୁପ ସାଏ ଅସୁସ୍ଥ ହୋଇ ପଡ଼ିଛନ୍ତି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ରାୟଗଡ଼ ଜେଲ୍ କର୍ତ୍ତୃପକ୍ଷ ଏହି ସୂଚନା ଦେଇଥିବା ନେଇ ଅନୁପଙ୍କ ବଡ଼ ଭାଇ କହିଛନ୍ତି।

ଅନୁପଙ୍କୁ ପ୍ରଥମେ ରାୟଗଡ଼ ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ସୂଚନାଯୋଗ୍ୟ, ଅନୁପ କୁମାର ସାଏ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ତିନି ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କଂଗ୍ରେସ ଟିକେଟ୍‌ରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରେ ସେ ବିଜେଡିରେ ଯୋଗ ଦେଇଥିଲେ।

୨୦୧୬ ଏପ୍ରିଲ ମାସରେ ଝାରସୁଗୁଡ଼ା ସୀମାନ୍ତ ଛତିଶଗଡ଼ରେ ୩୨ ବର୍ଷୀୟା କଳ୍ପନା ଦାସ ଓ ତାଙ୍କର ୧୪ ବର୍ଷୀୟା ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟା କରାଯାଇଥିଲା। ଉଭୟଙ୍କୁ ହତ୍ୟା କରାଯାଇ ଛତିଶଗଡ଼ ସୀମାରେ ଫିଙ୍ଗା ଯାଇଥିଲା। ଛତିଶଗଡ଼ ପୁଲିସ୍‌ ମୃତଦେହ ଜବତ କରି ତଦନ୍ତ କରିଥିଲା। ଏହାକୁ ନେଇ ବିଭିନ୍ନ ଥାନାରେ ତଦନ୍ତ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟି କିଛି ଗୋପନୀୟ ତଥ୍ୟ ସଂଗ୍ରହ କରିଥିଲା ପୁଲିସ୍‌। ତେବେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ସନ୍ଦେହ କରି ଛତିଶଗଡ଼ ପୁଲିସ୍‌ ଅନୁପ ସାଏଙ୍କୁ ଗିରଫ କରିବା ପରଠୁ ସେ ଜେଲ୍‌ରେ ଅଛନ୍ତି।

Leave A Reply

Your email address will not be published.