ଭୁବନେଶ୍ୱର: କରୋନା ଭୟ । ଏହା ଭିତରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ। ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୭ଟି ସରକାରୀ ଓ ଗୋଟିଏ ବେସରକାରୀ କାର୍ଯ୍ୟଦିବସ ରହିଛି।
ମୌସୁମୀ ଅଧିବେଶନ ସମୟରେ ଗୁରୁତ୍ୱପୂର୍ଣ୍ଣ୯ ଟି ଅଧ୍ୟାଦେଶ ସମେତ ୧୬ ଟି ବିଲ୍ ଆଗତ ଓ ପାରିତ କରିବାକୁ ସରକାର ସ୍ଥିର କରିଛନ୍ତି। ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଗୃହ କାର୍ଯ୍ୟରେ ଯୋଗ ଦେବେ।
ତେବେ ଗୃହ ଆରମ୍ଭ ହେବା ପୂର୍ବରୁ ସମସ୍ତ ମନ୍ତ୍ରୀ ବିଧାୟକ, ସାମ୍ବାଦିକ ଓ ଅନ୍ୟ କର୍ମଚାରୀଙ୍କ କୋରୋନା ପରୀକ୍ଷା କରାଯାଇଥିଲା। ସୋମବାର ପରୀକ୍ଷା ହୋଇଥିବା ୨ ଶହ କୋଭିଡ୍ ନମୁନା ମଧ୍ୟରୁ ୩ ମନ୍ତ୍ରୀ ଓ ବିଧାୟକଙ୍କୁ ମିଶାଇ ୧୨ ଜଣ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେହିପରି ୩୬ ଜଣ କର୍ମଚାରୀ, ସାମ୍ବାଦିକ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଲଗାତର ୨ ଦିନ ଧରି ପରୀକ୍ଷା କରାଯାଇଥିବା ୯୫୦ ନମୁନାରୁ ୧୮୪ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ବିଧାନସଭା କାର୍ଯ୍ୟ କିପରି ଚାଲିବ ସେନେଇ ଆଶଙ୍କା ଉପୁଜିଲାଣି। ସୂଚନା ଥାଉକି, ଗୃହ ଆରମ୍ଭ ହେବା ପୂର୍ବରୁ ସମସ୍ତ ବିଧାୟକଙ୍କ କୋଭିଡ୍ ପରୀକ୍ଷା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଥିଲେ।
