ଅମାନତ ହରାଇଥିବା ନେତାଙ୍କୁ ନା ,ସବୁ ବିଧାୟକଙ୍କୁ ମିଳିବ ଟିକେଟ

ଭୁବନେଶ୍ୱର : କଂଗ୍ରେସର ୫୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଛି । ଯେଉଁମାନେ ବର୍ତ୍ତମାନ ବିଧାୟକ ଅଛନ୍ତି ସେମାନଙ୍କୁ ନିଶ୍ଚିତ ଟିକେଟ୍ ମିଳିବ ବୋଲି ଦଳର ଆଭ୍ୟନ୍ତରୀଣ ନିର୍ବାଚନୀ କମିଟି ସଦସ୍ୟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ଯେଉଁମାନେ ଗତ ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱୀତା କରି ଅମାନତ ହରାଇଥିଲେ ସେମାନଙ୍କୁ ଟିକେଟ୍ ମିଳିବାର କୌଣସି ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ ହୋଇଛି । ସାଧାରଣ ନିର୍ବାଚନକୁ ଆହୁରି ୬ ମାସରୁ ଊଦ୍ଧ୍ୱର୍ ସମୟ ବାକି ଅଛି । କିନ୍ତୁ ଏହା ପୂର୍ବରୁ ରାଜ୍ୟ କଂଗ୍ରେସ ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତିକୁ ଜୋରଦାର କରାଯାଇଛି ।

କଂଗ୍ରେସ ଭବନରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଦଳର ଏହି ଆଭ୍ୟନ୍ତରୀଣ ନିର୍ବାଚନୀ କମିଟି ସଦସ୍ୟଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପ୍ରଥମ ପର୍ଯ୍ୟାୟରେ ୫୦ଟି ବିଧାନସଭା ଆସନ ପାଇଁ କେଉଁମାନଙ୍କୁ ପ୍ରାର୍ଥୀ କରାଯିବ ସେ ନେଇ ଦଳ ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରାର୍ଥୀ ତାଲିକାକୁ ଅନୁମୋଦନ ନିମନ୍ତେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ଖୁବ୍ଶୀଘ୍ର ପଠାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ଯେଉଁମାନେ ବିଧାୟକ ଅଛନ୍ତି ସେମାନଙ୍କୁ ପୁଣିଥରେ ଟିକେଟ୍ ଦିଆଯିବ । ଆସନ୍ତା ୧୫ ଦିନ ମଧ୍ୟରେ କେଉଁ ୫୦ ଜଣ କଂଗ୍ରେସ ଦଳରୁ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବେ ତାହାର ତାଲିକା ଗଣମାଧ୍ୟମକୁ ଦିଆଯିବ ବୋଲି ମଧ୍ୟ ନିରଞ୍ଜନ ସ୍ପଷ୍ଟ କରିଛନ୍ତି । ପିସିସି ସଭାପତି ଆହୁରି କହିଥିଲେ ଯେ, ପୂର୍ବ ନିର୍ବାଚନରେ ଅମାନତ ହରାଇଥିବା କିମ୍ବା ବହୁ ଭୋଟ ବ୍ୟବଧାନରେ ହାରିଥିବା ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯିବ ନାହିଁ । ସେହି ସ୍ଥାନରେ ଯୁବ ବର୍ଗର ନେତା କିମ୍ବା ନୂଆ ଆଶାୟୀ ପ୍ରାର୍ଥୀଙ୍କ ଲୋକ ସମ୍ପର୍କକୁ ଦେଖି ଟିକେଟ୍ ପ୍ରଦାନ କରାଯିବ ।

ତେବେ ବର୍ତ୍ତମାନ ଥିବା ୧୫ ଜଣ ବିଧାୟକଙ୍କୁ ବାଦ୍ ଦେଇ ଅନ୍ୟ ଯେଉଁ ୩୫ଟି ଆସନ ନିମନ୍ତେ ବୈଠକରେ ଆଲୋଚନା ହୋଇଛି ସେଥିରେ ପ୍ରତି ନିର୍ବାଚନୀ ମଣ୍ଡଳୀରୁ ୨ରୁ ୩ ଜଣ ଆଶାୟୀଙ୍କ ନାମ ଏଆଇସିସିକୁ ପଠାଯାଇଛି । ତେବେ ଆସନ୍ତା ୩ ମାସ ମଧ୍ୟରେ କଂଗ୍ରେସ ଦଳ ଅଧିକାଂଶ ବିଧାନସଭା ନିର୍ବାଚନ ଆସନ ଘୋଷଣା କରାଯିବ ବୋଲି ପିସିସି ସଭାପତି ସ୍ପଷ୍ଟ କରିଛନ୍ତି । ଆଗୁଆ ଟିକେଟ୍ ଘୋଷଣା ହେବା ଦ୍ୱାରା ପ୍ରାର୍ଥୀମାନେ ନିଜ ନିର୍ବାଚନୀମଣ୍ଡଳୀକୁ ଯାଇ ଲୋକଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସକ୍ଷମ ହେବେ । ଏଥିସହ ଗତକାଲି ବୈଠକରେ ନିଷ୍ପତ୍ତି ହୋଇଥିବା ‘ମୋ ବୁଥ୍, ମୋ ଗୌରବ’ ଅଭିଯାନକୁ ଜୋରଦାର କରାଯିବ ବୋଲି ନିରଞ୍ଜନ କହିଛନ୍ତି । ଏହା ମଧ୍ୟରେ ଆଜି କଂଗ୍ରେସ ଭବନରେ ନିର୍ବାଚନୀ କମିଟି ବୈଠକ ପରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଗଣମାଧ୍ୟମ ସମ୍ମୁଖରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଗତଥର ନିର୍ବାଚନରେ କଂଗ୍ରେସ ଦଳରେ ଟିକେଟ୍ ବିକ୍ରି ହୋଇଥିଲା । କିନ୍ତୁ ଚଳିତ ନିର୍ବାଚନରେ ସେପରି କିଛି ହେବ ନାହିଁ ବୋଲି ତାରା ମତପ୍ରକାଶ କରିଥିଲେ

Leave A Reply

Your email address will not be published.