ବିନା ସଂଶୋଧନରେ ଚାଲିଛି ଇ-ଧରଣୀ : ଇ-ରେଜିଷ୍ଟ୍ରେସନ୍ ସ୍ଥଗିତ ଲାଗି ହାଇକୋର୍ଟଙ୍କ ମଧ୍ୟବର୍ତ୍ତୀ କାଳିନ ନିର୍ଦେଶ,ମନ୍ତ୍ରୀ କହିଲେ ଚାଲିଛି ତର୍ଜମା
ଭୁବନେଶ୍ବର:ବିନା ଆଇନ୍ ସଂଶୋଧନରେ ରାଜ୍ୟରେ ଚାଲିଛି ଜମିଜମା ଇ-ରେଜିଷ୍ଟ୍ରେସନ୍ । ୨୦୧୦ରୁ ଇ-ଧରଣୀ ନାଁରେ ଆରମ୍ଭ ହୋଇଥିବା ଇ-ରେଜିଷ୍ଟ୍ରେସନ୍ ବ୍ୟବସ୍ଥାର ବିଜ୍ଞପ୍ତି, ପଦ୍ଧତି ଏବଂ ଗାଇଡଲାଇନକୁ ନେଇ ହାଇକୋର୍ଟରେ କେଶ ରୁଜୁ ହୋଇଥିଲା । ଦୁଇଟି କେସର ଶୁଣାଣି କରି ହାଇକୋର୍ଟ, ଇ-ରେଜିଷ୍ଟ୍ରେସନ୍ ସ୍ଥଗିତ ରଖିବାକୁ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଦେଇଛନ୍ତି । ତଥାପି ତାହାର ଉଲ୍ଲଂଘନ କରି ଇ-ରେଜିଷ୍ଟ୍ରେସନ୍ ଚାଲିଛି ।
ରାଜ୍ୟରେ ଜମିଜମା ଇ-ରେଜିଷ୍ଟ୍ରେସନର ବୈଧତାକୁ ନେଇ ପ୍ରଶ୍ନ । ଅନ ଲାଇନରେ ଜମିଜମା ଖର୍ଦ୍ଦି-ବିକ୍ରି ଲାଗି ୨୦୧୦ରେ ରାଜ୍ୟ ସରକାର ଇ-ଧରଣୀ ଯୋଜନା ଆରମ୍ଭ କରିଥିଲେ । ଆଇଟି ଆକ୍ଟ, ରେଜିଷ୍ଟ୍ରେସନ୍ ଆକ୍ଟ ଏବଂ ଏଭିଡିଏନ୍ସ ଆକ୍ଟର ସଂଶୋଧନ ନକରି ସରକାର ଇ-ରେଜିଷ୍ଟେସନ ଆରମ୍ଭ କରିଛନ୍ତି । ଆଇଟି ଆକ୍ଟ ଅନୁସାରେ ଜମିଜମା ସଂକ୍ରାନ୍ତ ସମସ୍ତ ତଥ୍ୟ କେବଳ ସରକାରଙ୍କ ପାଖରେ ରହିବା କଥା । ହେଲେ ରାଜ୍ୟ ସରକାର ଆଇନରେ ସଂଶୋଧନ ନକରି ଏକ ଘରୋଇ କମ୍ପାନୀ ସହ ଇ-ରେଜିଷ୍ଟ୍ରେସନ୍ ପାଇଁ ଚୁକ୍ତି କରିଛନ୍ତି । ଯୋଜନାର ନୋଟିଫିକେସନ,ଗାଇଡାଇନ ଏବଂ ପ୍ରୋସିଜିଓରକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ଇ-ରେଜିଷ୍ଟ୍ରେସନ୍ ଉପରେ ଲାଗିଛି ମଧ୍ୟବର୍ତ୍ତିକାଳୀନ ରହିତାଦେଶ । ଦୁଇଟି କେସର ଶୁଣାଣି କରି ହାଇକୋର୍ଟ ରୋକ୍ ଲଗାଇଛନ୍ତି । ହେଲେ ରାଜ୍ୟ ସରକାର, ନିର୍ଦ୍ଦେଶକୁ ଅଣଦେଖା କରି ଚାଲିଛନ୍ତି । କେବଳ ସେତିକି ନୁହେଁ ଇ-ରେଜିଷ୍ଟ୍ରେସନ୍ ପାଇଁ ସରକାର ପୁଣି ଥରେ ଘରୋଇ କମ୍ପାନୀ ସହ ନୂଆ ଚୁକ୍ତି କରିଛନ୍ତି । ରାଜସ୍ବ ମନ୍ତ୍ରୀ କିନ୍ତୁ କହୁଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶର ତର୍ଜମା ଚାଲିଛି । ୨୦୧୦ରୁ ରାଜ୍ୟରେ ଚାଲିଛି ଜମିଜମା ଇ-ରେଜିଷ୍ଟ୍ରେସନ । ଏବେ ପ୍ରଶ୍ନ ଉଠୁଛି, ହାଇକୋର୍ଟ ଯଦି ଯୋଜନାକୁ ବେଆଇନ୍ କହନ୍ତି, ତେବେ ୩୦ ଲକ୍ଷ ଡକ୍ୟୁମେଣ୍ଟର ବୈଧତା କଣ ହେବ
