୫ରୁ ୭ ପ୍ରବଳ ବର୍ଷା!

ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୫ରୁ ୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତା ୪୮ ଘଣଅଟା ମଧ୍ୟରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ମଧ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ଆର୍ ବିଶ୍ୱାସ ସୂଚନା ଦେଇଛନ୍ତି । ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁଙ୍କ ସୂଚନାନୁଯାୟୀ, ପୂର୍ବରୁ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଦୁର୍ବଳ ହେଉଛି । ତଥାପି ଓଡ଼ିଶାର ଏକାଧିକ ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା ରହିଛି ।

ତେବେ ଆସନ୍ତା ବୁଧବାର ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ମଧ୍ୟ ହୋଇପାରେ । ଏହାର ପ୍ରଭାବରେ ଆସନ୍ତା ୫ରୁ ୭ ତାରିଖ ପର୍ଯ୍ୟନ୍ତ ଉପକୂଳ, ଉତ୍ତର, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ବର୍ଷା ହେବ । ବିଶେଷ କରି ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ଡ. ସାହୁ କହିଛନ୍ତି । ୫ ଓ ୬ରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ଏକାଧିକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶା ସହିତ ପଡ଼ୋଶୀ ଛତିଶଗଡ଼ର କିଛି ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଫଳରେ ଛତିଶଗଡ଼ ପୁଣି ତା’ର ବ୍ୟାରେଜ୍ଗୁଡ଼ିକର ଗେଟ୍ ଖୋଲିବାର ଆଶଙ୍କା ରହିଛି । ତେବେ ୮ତାରିଖରୁ ବର୍ଷା କମିବା ସହ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ସୂତ୍ରରୁ ସୂଚନା ଦିଆଯାଇଛି । ଆଜି ପାରାଦୀପରେ ୨୩.୩ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ୨୩ ମିମି, ବାରିପଦାରେ ୮.୮ ମିମି ଓ ଫୁଲବାଣୀରେ ୫.୩ ମିମି ବର୍ଷା ହୋଇଛି ।

Leave A Reply

Your email address will not be published.