ଦିନିକିଆ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ। ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ରହିଛନ୍ତି। ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ମଧ୍ୟ ଉପସ୍ଥିତ ରହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଭେଟି ଦେଇଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡିଶାର ୩ଟି ନୂଆ ଟ୍ରେନ୍ର ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି। କେନ୍ଦୁଝରଗଡ ଷ୍ଟେସନରୁ ପୁରୀ-ଆନନ୍ଦବିହାର ଟର୍ମିନାଲ ମଧ୍ୟରେ ନୂଆ ଟ୍ରେନ, ପାରାଦୀପ ଷ୍ଟେସନରୁ ପାରାଦୀପ-କେନ୍ଦୁଝର, ଏମ୍ଏମ୍ଏଲ୍ପି ଯାଜପୁର, ଓଡିଶାରୁ ଆଇସିଡି ଦାଦରୀ, ଉତ୍ତରପ୍ରଦେଶରୁ କଣ୍ଟେନର୍ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି।
ଚଣ୍ଡିଖୋଲରେ ଉପସ୍ଥିତ ବିଶାଳ ଜନସଭାକୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ । ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ବିରଜାଙ୍କ ଆଶୀର୍ବାଦରେ ଆଜି ଓଡ଼ିଶାରେ ବିକାଶର ନୂଆ ଧାରା ପ୍ରବାହିତ ହେବାକୁ ଯାଉଛି । ଆଜି ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ । ଓଡ଼ିଶା ଓ ଦେଶର ବିକାଶ ପାଇଁ ବିଜୁ ବାବୁଙ୍କ ଯୋଗଦାନ ଅତୁଳନୀୟ । ଓଡ଼ିଶାରେ ଆଜି ବିକାଶର ନୂଆ ଧାରା ଆରମ୍ଭ ହୋଇଛି । ଆଜି ଦେଶରେ ଏମିତି ସରକାର ଅଛି ଯିଏ ବର୍ତ୍ତମାନ ପାଇଁ ଚିନ୍ତା କରୁଛି ଏବଂ ବିକଶିତ ଭାରତର ସଂକଳ୍ପର ନେଇ ଭବିଷ୍ୟତ ପାଇଁ ବି କାମ କରୁଛି । ପୂର୍ବ ଭାରତର ବିଭିନ୍ନ ରାଜ୍ୟକୁ ଅଧିକରୁ ଅଧିକ ଫୋକସ କରାଯାଉଛି ।
ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୁସିର କଥା, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଆଜି ଆମ ସହିତ ଅଛନ୍ତି। ମୁଁ ତାଙ୍କୁ ଓଡ଼ିଶାକୁ ସ୍ଵାଗତ କରୁଛି। ଭାରତୀୟ ଅର୍ଥନୀତିକୁ ପ୍ରଧାନମନ୍ତ୍ରୀ ନୂଆ ଗତି ଦେଇଛନ୍ତି । ଏବେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି । ଖୁବ୍ ଶୀଘ୍ର ଏହା ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି ବୋଲି କହିଛନ୍ତି । ଓଡ଼ିଶାକୁ ଅନେକ ପ୍ରକଳ୍ପ ଭେଟି ଦେଇଥିବାରୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ବିକାଶ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
