ଅନୁଗୋଳ : ଅପରେସନ ସୁନ୍ଦରୀ ପାଇଁ ସାତକୋଶିଆ ଯାଇଥିବା ଯଶୋଦା ହାତୀର ଉନ୍ମତ୍ତ କାଣ୍ଡ । ଅନୁଗୋଳ ପୁରୁଣାକୋଟ ରେଞ୍ଜରେ ଜଣଙ୍କୁ ଦଳି ମାରିଦେଲା ଯଶୋଦା । ମୃତକ ସୁଦୂର ପଧାନ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଯଶୋଦା 2012 ରେ ତାର ମାହନ୍ତୁକୁ ବି ଆକ୍ରମଣ କରିଥିଲା ।
ମଣିଷ ଖିଆକୁ ଧରିବାକୁ ଯାଇ ମଣିଷ ମାରିଲା ଯଶୋଦା । ସୁନ୍ଦରୀକୁ ଧରିବାକୁ ସାତକୋଶିଆ ଅଭୟାରଣ୍ୟ ଯାଇଥିବା ହାତୀ ଯଶୋଦାର ଆକ୍ରମଣରେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସାତକୋଶିଆ ପୁରୁଣାକୋଟ ମୁଣ୍ଡା ସାହିର ସୁଦୂର ପଧାନ । ଯଶୋଦା ନାଳରେ ଗୋଧାଇବା ପରେ ନାଳ ନିକଟ ବାଉଁଶ ବୁଦା ପାଖରେ ବନ୍ଧା ଯାଇଥିଲା । ନାଳରୁ ମାଛମାରି ସେହିବାଟେ ଫେରୁଥିବା ସୁଦୂର ଯଶୋଦା ହାବୁଡ଼ରେ ପଡ଼ିଯାଇଥିଲେ। ସେପଟେ ଆଉକିଛି ଲୋକଙ୍କ କହିବା ଅନୁଯାୟୀ ସୁଦୂର ହାତୀକୁ ଏକ କଦଳୀଗଛ ଖାଇବାକୁ ଦେବା ବେଳେ ଯଶୋଦା ରାଗିଯାଇ ତାଙ୍କୁ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ସୁଦୂରଙ୍କର ମୃତ୍ୟୁ ହୋଇଯାଇଥିଲା ।
ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦାବିରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ବନ ବିଭାଗ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବାପରେ ଉତ୍ତେଜନା କମିଥିଲା । ପୁରୁଣାକୋଟ୍ ପୋଲିସ ମୃତଦେହ ଜବତକରି ତଦନ୍ତ କରୁଛି ।
ସାତକୋଶିଆରେ ଦୁଇ ଜଣଙ୍କୁ ମାରିବା ପରେ ବେଶ୍ କିଛି ଦିନ ଧରି ସୁନ୍ଦରୀ ଆତଙ୍କ ମଚାଇଥିଲା । ସୁନ୍ଦରୀକୁ ଠାବ କରି, ଟ୍ରାଙ୍କୁଲାଇଜ୍ କରିବା କାର୍ଯ୍ୟରେ ସାମିଲ ହୋଇଥିଲା ଚନ୍ଦକା କୁମକି ଯଶୋଦା। ତେବେ ସୁନ୍ଦରୀ ସିନା ଧରାପଡ଼ିଲା କିନ୍ତୁ ଯଶୋଦାର ରାଗର ଶିକାର ହୋଇଛନ୍ତି ଆଉଜଣେ ସାତକୋଶିଆ ବାସିନ୍ଦା।.
