ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ବିବାଦ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । କୋର୍ଟଙ୍କ ଫଇସଲା ପରେ ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଜାରି କରାଯିବା ସମ୍ପର୍କରେ ବିଚାର କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ନୂଆବର୍ଷ ପରିପ୍ରେକ୍ଷୀରେ ନ୍ୟୁଜ୍ ଏଜେନ୍ସି ଏଏନ୍ଆଇକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ମୋଦୀ ଏହା କହିଛନ୍ତି । ସାକ୍ଷାତକାରରେ ଆଗାମୀ ଲୋକସଭା ନିର୍ବାଚନ, କଂଗ୍ରେସ, ସର୍ଜିକାଲ୍ ଷ୍ଟ୍ରାଇକ୍ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ତାଙ୍କର ମତ ରଖିଛନ୍ତି । ଏଏନ୍ଆଇ ଏଡିଟର୍ ସ୍ମିତା ପ୍ରକାଶଙ୍କୁ ୯୫ ମିନିଟ୍ ଧରି ସାକ୍ଷାତକାର ଦେଇ ମୋଦୀ ୭ଟି ପ୍ରମୁଖ ବିଷୟ ଉପରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।
ନିକଟରେ ୩ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ବିଜେପି ହାରିବା ଓ କଂଗ୍ରେସ ବିଜୟୀ ହେବା ସମ୍ପର୍କରେ ମୋଦୀ କହିଛନ୍ତି, କଂଗ୍ରେସ ଅନେକ ସମୟରେ ଚାଷୀଙ୍କ ଋଣ ଛାଡ଼ କରାଯିବା ନେଇ କେନ୍ଦ୍ରକୁ ଦୋଷାରୋପ କରୁଛି । ଋଣ ଛାଡ଼ ନାଁରେ ବିରୋଧୀ ଦଳ ଜନସାଧାରଣଙ୍କୁ ଧୋକା ଦେଉଛି । ଚାଷୀଙ୍କୁ କଂଗ୍ରେସ ଅଯଥା ବିଭ୍ରାନ୍ତ କରୁଛି । ଏଭଳି କାର୍ଯ୍ୟରୁ କଂଗ୍ରେସ ନିବୃତ୍ତ ହେବାକୁ ମୋଦୀ ଦୃଢ଼ତାର ସହ କହିଛନ୍ତି । କଂଗ୍ରେସ ଶାସିତ ରାଜ୍ୟରେ ଚାଷୀଙ୍କ ଋଣଛାଡ଼ ହେବ ବୋଲି ଯେଉଁ ଘୋଷଣା କରାଯାଉଛି, ତାହା ଲଲିପପ୍ ସଦୃଶ । ବିମୁଦ୍ରାକରଣକୁ କଂଗ୍ରେସ ସମାଲୋଚନା କରୁଥିବାରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାକୁ ଯେଭଳି ସମାଲୋଚନା କରାଯାଉଛି, ବାସ୍ତବ ସ୍ଥିତି ତାହା ନୁହେଁ । ବର୍ଷକ ତଳେ ଜନସାଧାରଣଙ୍କୁ କୁହାଯାଇଥିଲା ଯାହା ପାଖରେ ଯେତେ କଳାଧନ ରହିଛି, ସେସବୁ ସେମାନେ ଜମା ଦିଅନ୍ତୁ । କିନ୍ତୁ କିଛି ଲୋକ ତାହା କଲେ ନାହିଁ । ସେମାନେ ଧରିନେଲେ ଯେ, ମୋଦୀ ସରକାର ଏହାକୁ ହାଲ୍କା ଭାବରେ ଗ୍ରହଣ କରିବ । ଏହା ଭୁଲ ପ୍ରମାଣିତ ହୋଇଛି । ବିରୋଧୀ ଦଳ କଂଗ୍ରେସକୁ ସିଧାସଳଖ ସମାଲୋଚନା କରି ମୋଦୀ କହିଛନ୍ତି, ଯେଉଁ ପରିବାର ୪ ଦଶନ୍ଧି ଧରି ଦେଶରେ କ୍ଷମତାରେ ରହିଆସିଲା, ତା’ ଉପରେ ଆର୍ଥିକ ହେରଫେର ନେଇ ବିଭିନ୍ନ ଅଭିଯୋଗ ରହିଛି । ସର୍ଜିକାଲ୍ ଷ୍ଟ୍ରାଇକ୍ ସମ୍ପର୍କରେ ମୋଦୀ କହିଛନ୍ତି, ଥରେ ଯୁଦ୍ଧରେ ପାକିସ୍ତାନ ସୁଧୁରିଯିବ ବୋଲି ବିଚାରିବା ଭୁଲ ।
ପାକିସ୍ତାନକୁ ସୁଧାରିବା ପାଇଁ ଆହୁରି ଅଧିକ ସମୟ ଲାଗିବ । ଜିଏସ୍ଟି ପ୍ରସଙ୍ଗରେ ସେ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦ୍ରବ୍ୟ ଓ ସେବା କର (ଜିଏସ୍ଟି)କୁ ଗବର୍ସିଙ୍ଗ୍ ଟ୍ୟାକ୍ସ ବୋଲି ଆକ୍ଷେପ କରିଛନ୍ତି । ରାହୁଲଙ୍କ ବିଚାର ଶକ୍ତି ଯାହା ସେ ସେଭଳି କଥା କହିବେ ।
