୪ ହଜାର ୫୦୦ କୋଟିର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ବାରିପଦା : ବିକାଶର ବାର୍ତ୍ତା ଦେଇ ପୂର୍ବ ଭାରତର ନୂତନ ସୂର୍ଯ୍ୟୋଦୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏଠାରେ ୪ ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ସମବେତ ଜନତାଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ ମୟୂରଭଞ୍ଜରୁ ପୂର୍ବଭାରତର ବିକାଶ ଆରମ୍ଭ ହୋଇଛି । ଅର୍ଥନୈତିକ ଓ ସାମାଜିକ ସ୍ତରରେ ଲୋକମାନଙ୍କର ବିକାଶ ଘଟିବ । ମୟୂରଭଞ୍ଜର ଐତିହ ହରିପୁରଗଡ଼ ଆଜି ବି ତା’ର ଇତିହାସ ଗାଥା ଗାଉଛି । ଏହାକୁ ପୁନରୁଦ୍ଧାର କରିବା ପାଇଁ ଯୋଜନା ଆରମ୍ଭ କରାଯାଇଛି । ଓଡ଼ିଶା ତଥା ମୟୂରଭଞ୍ଜ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାର ତତ୍ପର ରହିଛନ୍ତି । ମୟୂରଭଞ୍ଜ ଏକ ଆଦିବାସୀବହୁଳ ଜିଲ୍ଲା । ଏହି ସବୁ ପ୍ରକଳ୍ପମାନ ଦ୍ୱାରା ଏଠାକାର ଲୋକମାନେ ବେଶ ଉପକୃତ ହୋଇପାରିବେ ବୋଲି ଶ୍ରୀ ମୋଦୀ କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ବିଭାଗ ପକ୍ଷରୁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ପାରଦ୍ୱୀପ-ହଳଦିଆ-ଦୂର୍ଗାପୁର ଏଲପିଜି ପାଇପଲାଇନ ପ୍ରକଳ୍ପର ବାଲେଶ୍ୱର-ହଳଦିଆ- ଦୂର୍ଗାପୁର ଅଂଶକୁ ଲୋକାର୍ପିତ କରିଛନ୍ତି । ୧,୦୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ୫୧୩ କିମି ବିଶିଷ୍ଟ ଏହି ପାଇପ- ଲାଇନ ହେଉଛି ପୂର୍ବଭାରତରେ ଇଣ୍ଡିଆନ ଅଏଲ କର୍ପୋରେସନ ଦ୍ୱାରା ସ୍ଥାପିତ ପ୍ରଥମ ଏଲପିଜି ପାଇପଲାଇନ । ୬୭୦କିମି ବିଶିଷ୍ଟ ପାରାଦ୍ୱୀପ- ହଳଦିଆ-ଦୂର୍ଗାପୁର ଗ୍ୟାସ ପାଇପଲାଇନ ୧,୩୩୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହା ଓଡ଼ିଶା ଓ ଏହାର ପଡ଼ୋଶୀ ରାଜ୍ୟକୁ ନିରବଛିନ୍ନ ଭାବେ ଗ୍ୟାସ ଯୋଗାଇବ । ଏହି ପାଇପଲାଇନ ଓଡ଼ିଶାର ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ମଧ୍ୟ ଦେଇ ୨୪୦କିମି ଅତିକ୍ରମ କରିବ । ଏହି ଗ୍ୟାସ ପାଇପଲାଇନ ପଶ୍ଚିମବଙ୍ଗର ପୂର୍ବମେଦିନାପୁର, ବର୍ଦ୍ଧମାନ, ହୁଗଲି ଏବଂ ହାୱଡ଼ା ମଧ୍ୟରେ ୪୩୦ କିମି ଅତିକ୍ରମ କରିବ । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତିନୋଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ସେଗୁଡିକ ହେଲା ୮୨୮.୩୬ କୋଟି ଟଙ୍କାର ୪୩.୨ କିମି ବିଶିଷ୍ଟ ଏନଏଚ୨୧୫ର ରିମୁଳି-କୋଇଡା ଅଂଶର ୪ଟି ଲେନ କାର୍ଯ୍ୟ, ୧୩୧୩ କୋଟି ଟଙ୍କାର ୧୦୪.୨ କିମି ବିଶିଷ୍ଟ ଏନ୍ଏଚ୍ ୬ର ିଙ୍ଗଡା-ବିଂଜବାହାଲ ଅଂଶର ୪ଲେନ କାର୍ଯ୍ୟ ଏବଂ ୧୧୭୬.୪କୋଟି ଟଙ୍କାର ୫୩.୨କିମି ବିଶିଷ୍ଟ ଏନଏଚ-୨୧୫ର କୋଇଡା-ରାଜମୁଣ୍ଡା ଅଂଶର ୪ ଲେନ କାର୍ଯ୍ୟ । ରେଳ ମନ୍ତ୍ରାଳୟ ପକ୍ଷରୁ ଟାଟାନଗରରୁ ବାଦାମପାହାଡ଼କୁ ଦ୍ୱିତୀୟ ଯାତ୍ରାବାହୀ ରେଳ ଚଳାଚଳ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଟାଟାନଗର-ବାଦାମପାହାଡ଼ ରେଳଧାରଣା ୧୯୧୧ମସିହାରେ ସ୍ଥାପନ କରାଯାଇଥିଲା । କେବଳ ଗୋଟିଏ ଟ୍ରେନ ଉକ୍ତ ରେଳଧାରଣା ମଧ୍ୟ ଦେଇ ଚଳାଚଳ କରୁଥିଲା । ଅନ୍ୟଏକ ଯାତ୍ରୀବାହୀ ଟ୍ରେନକୁ ଏହି ଐତିହାସିକ ଲାଇନରେ ଚଳାଚଳ କରାଯିବ ଏବଂ ଏହାଦ୍ୱାରା ବାଦାମପାହାଡ ଲୋକମାନେ ଅଧିକ ଲାଭବାନ ହୋଇପାରିବେ । ଏବେ ଲୋକମାନେ ସପ୍ତାହକୁ ୬ ଦିନ ପାଇଁ ଟାଟାନଗର ମଧ୍ୟ ଦେଇ ହାୱାଡା ଓ ମୁମ୍ବାଇ ସହରକୁ ଯାତାୟତ କରିପାରିବେ । ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ରେଳ ଲାଇନର ବିଦ୍ୟୁତ କରଣ ପାଇଁ ମଧ୍ୟ ମଞ୍ଜୁରୀ ମିଳିଛି । ଏହାଛଡ଼ା ନାରଣପୁର-ବସନ୍ତପୁର ଏବଂ ଚିଲିକାଦରା-ସରଡପଟା ଲାଇନର ଦୋହରୀକରଣର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ୧୩୧.୩୪ କୋଟି ଟଙ୍କା ବ୍ୟୟରେ ୧୧.୩ କିମି ବିଶିଷ୍ଟ ଚିଲିକାଦରା-ସଗଡପଟା ଲାଇନ ଏବଂ ୯ କିମି ବିଶିଷ୍ଟ ନାରଣପୁରବସନ୍ତପୁର ରେଳଲାଇନ ଦୋହରୀକରଣ କାର୍ଯ୍ୟ ଶେଷ ହୋଇଛି । ଯାହାକି କେନ୍ଦୁଝର ଭଳି ଖଣିଜସମ୍ପଦ ପୂର୍ଣ୍ଣ ଜିଲ୍ଲାକୁ ସଂଯୋଗ କରିବ । ଏହି ଦୁଇଟି ଅଂଶ ବାଂଶପାଣି-ଯଖପୁରା ୧୮୦କିମି ବିଶିଷ୍ଟ ଦୋହରୀକରଣ ରାସ୍ତାର ଏକ ଅଂଶ ଭାବେ ୯୪୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବା ପାଇଁ ୨୦୧୦-୧୧ବର୍ଷରେ ମଞ୍ଜୁରୀ ମିଳିଥିଲା । ଏହି ଦୋହରୀକରଣ ବର୍ତ୍ତମାନ ରେଳଲାଇନର କ୍ଷମତାକୁ ବୃଦ୍ଧି କରିବ ଏବଂ ଆଗାମୀ ଦିନରେ ପାରାଦ୍ୱୀପ ବନ୍ଦରକୁ ଖଣିଜ ପରିବହନ ସମେତ ଅବହେଳିତ ଅଞ୍ଚଳ ଗୁଡ଼ିକୁ ପାସେଞ୍ଜର ଟ୍ରେନ ସୁବିଧା ହୋଇପାରିବ । ପ୍ରଧାନମନ୍ତ୍ରୀ ବାଲେଶ୍ୱରଠାରେ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ଲୋକାର୍ପଣ କରିଛନ୍ତି । ୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ(ଏମଏମଏଲପି)ରେ ୩୮୩୨୫ବର୍ଗ ମିଟର ବିଶିଷ୍ଟ ଆମଦାନୀ ଏବଂ ରପ୍ତାନୀ ପାଇଁ କଷ୍ଟମ ସୁବିଧା କେନ୍ଦ୍ର । ଏକ ସୁଦୀର୍ଘ ତଥା ସମ୍ପୂର୍ଣ୍ଣ ରେଳପଥକୁ ୨ଟି ପଣ୍ୟାଗାର, ରୋଡ ୱେବ୍ରିଜ ଆଦି ଭଳି ବିଭିନ୍ନ ସୁବିଧା ଉପଲବ୍ଧ ରହିଛି । ଏହାଦ୍ୱାରା ବାଲେଶ୍ୱରକୁ ଏକ ପ୍ରମୁଖ ଲଜିଷ୍ଟିକ ହବ ଭାବେ ସ୍ଥାପିତ କରିବା ସହ ଓଡ଼ିଶା ବ୍ୟବସାୟିକ କ୍ଷେତ୍ରକୁ ସୁଦୃଢ଼ କରାଯାଇ ପାରିବ । ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ହରିପୁରଗଡ଼ ପ୍ରାଚୀନ ଦୂର୍ଗଠାରେ ସ୍ଥାପିତ ଖନନ ଏବଂ ରସିକରାୟ ମନ୍ଦିରର ସଂରକ୍ଷଣ ଓ ବିକାଶ କାର୍ଯ୍ୟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାକୁ ଜାତୀୟ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପ୍ରଦାନ କରାଯାଇଛି । ଓଡ଼ିଶାର ପ୍ରାଚୀନ ଏøତିହ୍ୟର ସୁରକ୍ଷା ଦିଗରେ ଭାରତ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଗୁଡ଼ିକୁ ଦୃଷ୍ଟିରେ ରଖି ଏଏସଆଇ ପ୍ରାଚୀନ ହରିପୁରଗଡ଼ ଦୁର୍ଗଠାରେ ରସିକରାୟ ମନ୍ଦିରର ସଂରକ୍ଷଣ ଏବଂ ସ୍ଥପତି ଖନନ କାର୍ଯ୍ୟ ହାତକୁ ନେଇଛି ଏବଂ ଏଥି ପାଇଁ ୪୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଭଦ୍ରକ, କଟକ, ଯାଜପୁର, ଆସ୍କା, କେନ୍ଦୁଝର ଓ ଢ଼େଙ୍କନାଳ ଠାରେ ଫାସପୋର୍ଟ ସମ୍ବନ୍ଧୀୟ ସେବା କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସହରର ପୋଷ୍ଟ ଅଫିସ ଗୁଡ଼ିକରେ ପାସପୋର୍ଟ ସେବାକେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ଶନିବାର ଅପରହାଣ ୨ଟା୫୫ମିନିଟରେ ବାରିପଦା ଷ୍ଟାଡିୟମ ପରିସରରେ ବାୟୂସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଓହ୍ଲାଇଥିଲେ । ସେଠାରୁ ବାରିପଦା ପୁଲିସ ଲାଇନ ପଡ଼ିଆକୁ ଯାଇ ଅନୁଷ୍ଠିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେଠାରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଲୋକାର୍ପଣ କରିଥିଲେ । ସେଠାରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜନଜାତି ବ୍ୟାପର ମନ୍ତ୍ରୀ ଜୁଏଲ ଓରାମ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୟୂରଭଞ୍ଜ ଲୋକସଭା ସାଂସଦ ରାମଚନ୍ଦ୍ର ହାସଁଦା, ରାଜ୍ୟ ସରକାରଙ୍କ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ।
