ନରମ ମନଭାବ ନୁହେଁ ବଦଳୁଛି ବିଜେପି ଷ୍ଟାଟେଜୀ

ବିଜେଡି ପ୍ରତି ନରମ, କଂଗ୍ରେସକୁ ଆକ୍ରମଣ


ଭୁବନେଶ୍ୱର : ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରିପଦା ସଭାରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ ନାୟକଙ୍କ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିଛନ୍ତି । ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ଆଗାମୀ ୨୦୧୯ ପାଇଁ ବିଜେପିର ଏହି ପରିବର୍ତ୍ତିତ ଆଭିମୁଖ୍ୟ ରାଜ୍ୟବାସୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଗତ ଡିସେମ୍ବର ୨୪ରେ ଖୋର୍ଦ୍ଧାରେ ଆୟୋଜିତ ବିଶାଳ ଜନସଭାରେ ବିଜେଡି ସରକାରଙ୍କୁ ବୁଲେଇ ବଙ୍କେଇ ଟାର୍ଗେଟ୍ କରିଥିଲେ ମୋଦୀ । ମାତ୍ର ବାରିପଦା ଛଉ ପଡ଼ିଆରେ ଆୟୋଜିତ ଜନସଭାରେ ବିଜେଡି ସରକାର ପ୍ରତି ସମ୍ପୂର୍ଣ୍ଣ ନରମ ଆଭିମୁଖ୍ୟ ପୋଷଣ କରିଥିବା ବେଳେ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି । ମୋଦୀଙ୍କ ଭାଷଣରୁ ଜଣାପଡୁଛି ଯେ ବିଜେଡି ଶାସିତ ସରକାରଙ୍କୁ ଆଉ ସମାଲୋଚନା କରାଯିବ ନାହିଁ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିଜେଡିର ସମର୍ଥନ ମଧ୍ୟ ଲୋଡ଼ିପାରେ । ମାତ୍ର କଂଗ୍ରେସ ପ୍ରତି ମୋଦୀଙ୍କ ଆକ୍ରମଣରୁ ସ୍ପଷ୍ଟ ଯେ ଅଣକଂଗ୍ରେସ ଶକ୍ତିମାନଙ୍କୁ ଜାତୀୟ ରାଜନୀତି ଦୃଷ୍ଟିକୋଣୁ ମୋଦୀ ଏକାଠି କରିବାକୁ ଚାହୁଁଛନ୍ତି । ଏଥିରୁ ବିଜେଡି ବିରୋଧରେ ବିଜେପିର ରଣନୀତି ବଦଳିଛି ବୋଲି ଆଲୋଚନା ହେଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ବିଜେଡି ସରକାରଙ୍କୁ ଟାର୍ଗେଟ ନକରି ପିପିଲି ପ୍ରସଙ୍ଗ ଉଠାଇଥିଲେ । ଏହି ପ୍ରସଙ୍ଗ ଆଳରେ କହିଥିଲେ ଯେ ଏଠାକାର ସରକାର ମହିଳାଙ୍କ ଯୋଜନା ପ୍ରତି ସମ୍ବେଦନଶୀଳ ନୁହନ୍ତି । ନାରୀ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଆଦି କ୍ଷେତ୍ରରେ ଓଡ଼ିଶା ବହୁ ପଛରେ ରହିଥିବା ମୋଦୀ କହିଛନ୍ତି । ତଦନ୍ତରେ ଢ଼ିଲା ଯୋଗୁଁ ପିପିଲି ନାବାଳିକାଙ୍କୁ ନ୍ୟାୟ ଦିଆଯାଇପାରିଲା ନାହିଁ । ତେଣୁ ପୁନଶ୍ଚ ତଦନ୍ତ କରି ପୀଡ଼ିତାଙ୍କୁ ନ୍ୟାୟ ଦେବା ବ୍ୟବସ୍ଥା କରନ୍ତୁ ବୋଲି ମୋଦୀ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଓଡ଼ିଶା ସରକାର ଆୟୁଷ୍ମାନ ଯୋଜନାରେ ସାମିଲ୍ ନହୋଇ ରାଜ୍ୟର ଗରିବଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ବୋଲି ମୋଦୀ କହିଥିଲେ । ଅନ୍ୟପକ୍ଷରେ କଂଗ୍ରେସକୁ ଆକ୍ରମଣ କରି ମୋଦୀ କହିଥିଲେ, ଦେଶର ସୁରକ୍ଷା ସହ କଂଗ୍ରେସ ଖେଳୁଛି । ଦେଶର ଚୌକିଦାରଙ୍କୁ ସେମାନେ ହଟାଇବାକୁ ଚାହୁଛନ୍ତି । ମୋଦୀ ବିଜେଡି ପ୍ରତି ନରମ ଆଭିମୁଖ୍ୟ ପୋଷଣ କରୁଥିବା ବେଳେ ରାଜ୍ୟ ବିଜେପି କିନ୍ତୁ ବିଜେଡି ବିରୋଧରେ ଆକ୍ରମଣାତ୍ମକ ମନୋଭାବ ଦେଖାଇଛି । ବାରିପଦା ସଭାରେ ରାଜ୍ୟ ବିଜେପିର ତୁଙ୍ଗ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ ନାୟକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ହିଁ ୨୦୧୯ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ । ସେମାନଙ୍କ ନିର୍ଦ୍ଦେଶରେ ରାଜ୍ୟ ନେତୃତ୍ୱ ପରିଚାଳିତ ହେବାକୁ ବାଧ୍ୟ ହେଉଥିବା ବେଳେ ରାଜ୍ୟ ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟର କୌଣସି ସ୍ପଷ୍ଟତା ନାହିଁ ବୋଲି ଚର୍ଚ୍ଚା ଚାଲିଛି ।

Leave A Reply

Your email address will not be published.