ମୋଦିଙ୍କର ମାଷ୍ଟର ଷ୍ଟ୍ରୋକ୍ : ସବର୍ଣ୍ଣ ଙ୍କ ପାଇଁ କୋଟା

କୋଟା ପ୍ରସଙ୍ଗ ଓଡିଶା ରାଜନୀତିର ଗୋଟି ପାଲଟିବାକୁ ଯାଉଛି

ଭୁବନେଶ୍ବର : ସବର୍ଣ୍ଣ ଙ୍କ ପାଇଁ କୋଟା ମୋଦିଙ୍କର ମାଷ୍ଟର ଷ୍ଟ୍ରୋକ୍ । ଜାତି ଆଧାରରେ ନୁହେଁ ବରଂ ଗରିବୀ ଆଧାରରେ କୋଟା ବ୍ୟବସ୍ଥା ଘୋଷଣା କରି  ବିରୋଧୀଙ୍କୁ ଅଡୁଆରେ ପକାଇ ଦେଇଛନ୍ତି। ଆଉ ଆଜି ଲୋକସଭାରେ ବିଲର ଉପସ୍ଥାପନ କରିଛନ୍ତି ସାମାଜିକ ନ୍ୟାୟ ମନ୍ତ୍ରୀ ଥାବର ଚନ୍ଦ ଗେହଲଟ।  ସେପଟେ ଓଡିଶାରେ କୋଟା ପ୍ରସଙ୍ଗ ପୁଣି ରାଜନୀତିର ଗୋଟି ପାଲଟିବାକୁ ଯାଉଛି ।

ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ କୋଟା । ସଂସଦରେ ଉପସ୍ଥାପିତ ହେଲା ସଂରକ୍ଷଣ ସଂଶୋଧନ ବିଲ୍‌ । ଲୋକସଭାରେ ଏହି ବିଲ୍‌ ଉପସ୍ଥାପନ କରିଥିଲେ ସାମାଜିକ ନ୍ୟାୟ ମନ୍ତ୍ରୀ ଥାବରଚନ୍ଦ ଗେହଲଟ। ଆଉ ତାପରେ ଆରମ୍ଭ ହୋଇଥିଲା ସରଗରମ ଆଲୋଚନା। ଗେହଲଟ ଏହାକୁ ଉପସ୍ଥାପନ କରି କହିଥିଲେ ପ୍ରଥମଥର ପାଇଁ ସାମାଜିକ ଏବଂ ଆର୍ଥିକ ସ୍ତରରେ ଅନଗ୍ରସର ଥିବା ଯେକୌଣସି ଧର୍ମର ନାଗିରକଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ ହୋଇଛି।

ଆଗରୁ ଅନୂସୂଚିତ ଜାତି ଓ ଜନଜାତି ସମେତ ଓବିସି ବର୍ଗଙ୍କ ପାଇଁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଉଦ୍ଦିଷ୍ଟ ଥିଲା । ଏହାକୁ କାଏମ ରଖି ସବର୍ଣ୍ଣଙ୍କ ପାଇଁ ୧୦ ପ୍ରତିଶତ କୋଟା ଘୋଷଣା କରି ମୋଦି ସରକାର ବଡ ବିରୋଧିଙ୍କୁ ଅଡୁଆର ପକାଇଦେଇଛନ୍ତି । ବିରୋଧୀ ଏହାକୁ ନିର୍ବାଚନୀ ଗିମିକ କହିଥିଲେ ମଧ୍ୟ ସଂସଦରେ କିନ୍ତୁ ବିରୋଧ କରିବାକୁ ସାହସ କରିନାହାନ୍ତି କାରଣ ଏଥିରେ ବି ସେମାନଙ୍କର ଭୋଟ କରିବାର ଆଶଙ୍କା କରିଛନ୍ତି। ଆସନ୍ତାକାଲି ରାଜ୍ୟସଭାରେ ଏହାକୁ ପାସ କରାଇବା ଯୋଜନାରେ ଅଛି ମୋଦି ସରକାର ।

ଓଡିଶାରେ ବି ଅନେକ ଦିନଧରି ଥମିଯାଇଥିବା କୋଟା ପ୍ରସଙ୍ଗ ପୁଣି ରାଜନୀତିର ସତରଞ୍ଜରେ ପ୍ରମୁଖ ଗୋଟି ପାଲଟିବାକୁ ଯାଉଛି ।  ଓଡିଶାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ୪୦ ପ୍ରତିଶତ । ସେଥିପାଇଁ ଓବିସି ମାନଙ୍କ ପାଇଁ ୨୭ ପ୍ରତିଶତ ବଦଳରେ ୧୧ ପ୍ରତିଶତ ସଂରକ୍ଷଣ ସୁଯୋଗ ମିଳୁଛି । ଏବେ ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁହେଲେ ଓବିସିରୁ ବାଦ ପଡିଥିବା ବର୍ଗ ବି ଉପକୃତ ହେବେ ।

ଯେହେତୁ ଯେଉଁ ପରିବାରର ବାର୍ଷିକ ଆୟ ୮ ଲକ୍ଷରୁ କମ ସେମାନଙ୍କୁ ଏହି ସଂରକ୍ଷଣ ବର୍ଗରେ ସାମିଲ କରାଯିବ ବୋଲି କେନ୍ଦ୍ର କ୍ୟାବିନେଟ ମୋହର ମାରିଛି, ସେଥିରେ ସାଧାରଣ ବର୍ଗର ଏକ ବଡ ଭାଗ ଏହାର ଲାଭ ଉଠାଇବେ । ଏହାକରି ସାଧାରଣ ବର୍ଗଙ୍କ ଭରସା ଜିତିବାକୁ ବିଜେପି ଏହି କାର୍ଡ ଖେଳିଥିବା ଚର୍ଚା ହେଉଛି ।   

Leave A Reply

Your email address will not be published.