ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ତମାଣ୍ଡୋରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ । ସମାବେଶରେ ଯୋଗଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଉପସ୍ଥିତ ନେତା ନେତା ଓ କର୍ମୀଙ୍କୁ ସମ୍ବୋଧନ କଲେ ରାହୁଲ ଗାନ୍ଧି । ଜୟ ଜଗନ୍ନାଥ କହି ନିଜର ବକ୍ତବ୍ୟ ଆରମ୍ଭ କଲେ ରାହୁଲ । ଉପସ୍ଥିତ ନେତା ଓ କର୍ମୀଙ୍କୁ ସ୍ବାଗତ ଜଣାଇଲେ ରାହୁଲ । ମୋଦି ଏବଂ ନବୀନଙ୍କ ଉପରେ ବର୍ଷିଲେ ରାହୁଲ । ଦିଲ୍ଲୀରେ ନରେନ୍ଦ୍ର ମୋଦିଙ୍କ ସରକାର ଏବଂ ଓଡିଶାରେ ନବୀନ ପଟ୍ଟନାୟକଙ୍କ ସରକାର । ଉଭୟଙ୍କର ଚିନ୍ତାଧାରା ଏକ । ବ୍ୟୁରୋକ୍ରାଟଙ୍କ ଦ୍ବାରା ଦେଶ କିମ୍ବା ରାଜ୍ୟକୁ ଚଳାଇବା ସେମାନଙ୍କର ଲକ୍ଷ୍ୟ । ଶାସନକୁ ଆସିଲା ପରେ ଏମାନେ ଭୁଲିଯାଉଛନ୍ତି ପ୍ରତିଶ୍ରୁତି ।
କଂଗ୍ରେସର କୃଷକ କଲ୍ୟାଣ ଯୋଜନା ସମ୍ପର୍କରେ ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ରାହୁଲ। ଗତ ୧୫ ବର୍ଷ ଭିତରେ ନବୀନ କୌଣସି ଜଳସେଚନ ପ୍ରକଳ୍ପ ନିର୍ମାଣ କରିଛନ୍ତି କି ବୋଲି ପ୍ରଶ୍ନ କରିବା ସହ ସେ ଅଭିଯୋଗ କରିଥିଲେ ଯେ ଓଡ଼ିଶା ପ୍ରଦେଶ ଗରିବ ନୁହେଁ, କିନ୍ତୁ ଓଡ଼ିଶାର ଲୋକେ ଗରିବ। ଓଡ଼ିଶା ଲୋକଙ୍କର ଜଳ-ଜମି-ଜଙ୍ଗଲ ଓ ପ୍ରାକୃତିକ ସଂପଦ ରହିଛି ମାତ୍ର ଏସବୁ ତାଙ୍କଠାରୁ ୧୫-୨୦ଜଣ ଶିଳ୍ପପତି ଛଡାଇ ନେଇଛନ୍ତି। ଓଡ଼ିଶାବାସୀଙ୍କୁ ବାରମ୍ବାର ମିଛ କଥା କହି ବିଜେଡି ସରକାରକୁ ଆସୁଛି ବୋଲି ସେ ଅଭିଯୋଗ କରିଥିଲେ।
ନିଜର ଅଭିଭାଷଣର ଶେଷ ଆଡକୁ ରାହୁଲ ସ୍ପଷ୍ଟ ଭାବେ ଓଡ଼ିଶାରୁ ନବୀନଙ୍କୁ ଓ ଦିଲ୍ଲୀରୁ ମୋଦିଙ୍କୁ ହଟାଇବାକୁ ଆହ୍ଵାନ ଦେଇଥିଲେ। ଓଡ଼ିଶାରେ ପ୍ରଶାସନିକ ଅଧିକାରୀଙ୍କ ସରକାର ବଦଳରେ ଜନତାର ସରକାର ଗଢ଼ିବା ତାଙ୍କର ଲକ୍ଷ୍ୟ ଓ ଆସନ୍ତା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ସରକାର ଗଢ଼ିବ ବୋଲି ସେ ଘୋଷଣା କରିଥିଲେ।
ଆଜି ଦେଶରେ ଯେଉଁଠି ବି ଦେଖ ବିଜେପି, ଆରଏସଏସ ଲୋକ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଶାସନକୁ ଆସିଲା ପରେ ଯୁବକ ଏବଂ ଚାଷୀଙ୍କୁ ଭୁଲିଯାଉଛନ୍ତି ଏ ସରକାର । ଚାଷୀଙ୍କୁ କହୁଛନ୍ତି ତାଙ୍କ କିଛି ନାହିଁ । ଯୁବକଙ୍କୁ କହୁଛନ୍ତି ତାଙ୍କ ପାଇଁ ଚାକିରୀ ନାହିଁ ।
ଓଡିଶାରେ ଜଳ, ଜମି, ଜଙ୍ଗଲ, ଖଣିଜ ପଦାର୍ଥ, ଧନସମ୍ପତ୍ତି ସବୁ ଅଛି । ଓଡିଶା ଗରିବ ରାଜ୍ୟ ନୁହେଁ କିନ୍ତୁ ଓଡିଶାବାସୀ ଗରିବ । ଓଡିଶାବାସୀଙ୍କ ଜଳ, ଧନ ସମ୍ପତ୍ତି, ଖଣିଜ ପଦାର୍ଥ ଆଦି ଲୁଟ୍ ହେଉଛି । ଗତ ୧୫ବର୍ଷ ମଧ୍ୟରେ କେତେ ଜମିକୁ ଜଳ ସେଚନ ହୋଇଛି । ଜଳ ସେଚନ ବିନା ଚାଷ ସମ୍ଭବ କି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । କୃଷି ଓ କୃଷକଙ୍କ ଉନ୍ନତି ବିନା ଦେଶର ଉନ୍ନତି ଅସମ୍ଭବ । ଓଡିଶାରେ କଂଗ୍ରେସ ଶାସନକୁ ଆସିଲେ କୃଷି ଋଣ ଛାଡ ହେବ ।
କଂଗ୍ରେସ ମିଥ୍ୟା ଆଶ୍ରୟରେ ବିଶ୍ବାସ ରଖେନାହିଁ । ସେ ମୋଦି କି ନବୀନ ନୁହେଁ ବୋଲି କହିଛନ୍ତି ରାହୁଲ । ଯାହା କହେ ତାହା କାମରେ କରି ଦେଖାଏ । ମୋଦି ସରକାର କହିଥିଲେ ୨କୋଟି ଯୁବକଙ୍କୁ ନିଯୁକ୍ତି ଦେବେ । ନବୀନ କହିଥିଲେ ୨୦୨୦ ସୁଦ୍ଧା ୨ଲକ୍ଷ ନିଯୁକ୍ତି ସୃଷ୍ଟି ହେବ । କଂଗ୍ରେସ ଶାସନକୁ ଆସିଲେ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ମିଳିବ ବୋଲି ରାହୁଲ କହିଛନ୍ତି ।
ଏହି ପରିବର୍ତ୍ତନ ସଂକଳ୍ପ ସମାବେଶରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ବିରୋଧୀଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଜନସଭାକୁ ସମ୍ବୋଧିତ କରିଥିଲେ
