ରଙ୍ଗେଇଲୁଣ୍ଡା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଗସ୍ତରେ ଯାଇ ୧ହଜାର ୧୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହା ସହିତ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍ ରେ ଆୟୋଜିତ ବିଶାଳ କୃଷକ ସମାବେଶରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । ସମାବେଶରେ ପ୍ରାୟ ଏକ ଲକ୍ଷ ଚାଷୀଙ୍କ ସମାଗମ ହୋଇଥିଲା।

ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ନବୀନଙ୍କ ନିଆରା ଷ୍ଟାଇଲ । ଭଞ୍ଜବିହାର କ୍ୟାମ୍ପସ ପରିସରରେ ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପ୍ରେ ଓହ୍ଲାଇଥିଲା ନବୀନଙ୍କ ହେଲିକପ୍ଟର। ସେଠାରୁ ଏକ ବ୍ୟାଟେରି ଭେହିକ୍ଲରେ ମୁଖ୍ୟମନ୍ତ୍ରୀ ଆସିଥିଲେ ସଭାସ୍ଥଳକୁ। ଏୟାର ଷ୍ଟ୍ରିପର ଦୁଇ ପଟେ ଥିଲେ ହଜାର ହଜାର ଜନତା । ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ନଥିଲେ କୌଣସି ନେତା କି ମନ୍ତ୍ରୀ । 7 ଚାଷୀ ସହ ସମାବେଶରେ ମଞ୍ଚସୀନ ହୋଇଥିଲେ ନବୀନ।
କୃଷକ ମହାସମାବେଶରେ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକର ପ୍ରାୟ ଏକ ଲକ୍ଷ ଚାଷୀ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ କୃଷକଙ୍କ ସହ ସିଧାସଳଖ ସାକ୍ଷାତ କରି କାଳିଆ ଯୋଜନା ବିଷୟରେ ଅବଗତ କରାଇଥିଲେ। ଜିଲ୍ଲାରେ ପ୍ରାୟ 1 ହଜାର 11 କୋଟି ଟଙ୍କା ର ବିଭିନ୍ନ ଯୋଜନାର ଶିଳାନ୍ଯାସ ଓ ଉଦଘାଟନ କରିଥିଲେ। ୭୧୬ କୋଟି ଟଙ୍କାର ୨୩୧ଟି ପ୍ରକଳ୍ପର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ସେହିପରି ୨୯୬ କୋଟି ଟଙ୍କାର ୪୮ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।
ଆୟୋଜିତ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ଅନ୍ତର୍ଗତ ଭାଗଚାଷୀ ସହାୟତା ପ୍ରଦାନ ଅର୍ଥରାଶି ଆକାଉଣ୍ଟ୍କୁ ପଠାଇବାର ବ୍ୟବସ୍ଥାକୁ ସୁଇଚ୍ ଟିପି ଶୁଭାରମ୍ଭ କରିଥିଲେ। ଏହା ସହ ସେ କାଳିଆ ସହାୟତା ବଣ୍ଟନ ପତ୍ର ଓ କାଳିଆ ଯୋଜନା ସମ୍ବନ୍ଧୀୟ ଅଡିଓ ଭିଜୁଆଲ୍ ଉନ୍ମୋଚନ କରିଥିଲେ।
ସମାବେଶରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଚାଷୀମାନଙ୍କୁ ଖୁସି ଅଛକି ବୋଲି ପ୍ରଶ୍ନ କରିବା ସହ ଚାଷୀଙ୍କ ଖୁସିରେ ସେ ନିଜେ ଖୁସି ବୋଲି କହିଥିଲେ। କାଳିଆ ଯୋଜନା ପ୍ରତି ଚାଷୀଙ୍କ ସମର୍ଥନ ରହିଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚରେ ଜିଲ୍ଲାର କୌଣସି ନେତା ବା ମନ୍ତ୍ରୀ ଉପସ୍ଥିତ ନ ଥିବା ବେଳେ କାଳିଆ ଯୋଜନାରୁ ସହାୟତା ପାଇଥିବା ୧୦ ଚାଷୀ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଚାଷୀ ମଞ୍ଚରେ ନିଜ ନିଜ ଅଭିମତ ଦେଇଥିଲେ।
ସମାବେଶରେ ଚାଷୀଙ୍କ ଉପସ୍ଥିତିରେ ନେତା, ମନ୍ତ୍ରୀ, ବିଧାୟକ କିନ୍ତୁ ଖୁବ ଖୁସି । ରାଜ୍ୟରେ ଏଭଳି ଯୋଜନା କରି ଚାଷୀଙ୍କ ବିକାଶ ଓ ସମୃଦ୍ଧି ପ୍ରତି ସରକାର ସବୁବେଳେ ଚେଷ୍ଟା କରୁଥିବା କହିଛନ୍ତି ବରିଷ୍ଠ ମନ୍ତ୍ରୀ ଓ ନେତା। ଗୋଟିଏ ପଟେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ରୁ ବିମାନଚଳାଚଳ ପାଇଁ ବ୍ରହ୍ମପୁରବାସୀଙ୍କ ସ୍ବପ୍ନ ଅଧାରେ ରହିଯାଇଛି ଆଉ ଏବେ ଏୟାରଷ୍ଟ୍ରିପ ରେ ଲକ୍ଷାଧିକ ଲୋକଙ୍କ ସମାଗମ କରି ନବୀନ ଦେଖାଇଛନ୍ତି ତାଙ୍କର ଶକ୍ତି।
