୩ରେ ବିଜେପି ଆଦିବାସୀ ଅଧିକାର ରାଲି ଯୋଗଦେବେ ଅମିତ୍ ଶାହା

ପୁରୀରେ ବିଜେପିର ୨ ଦିନିଆ ଜନଜାତି ରାଷ୍ଟ୍ରୀୟ ମହାଧିବେଶନ

ଭୁୁବନେଶ୍ୱର : ଆସନ୍ତା ଫେବୃଆରୀ ୨ ଏବଂ ୩ ତାରିଖ ଦିନ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମି ଶ୍ରୀକ୍ଷେତ୍ର ପୁରୀଠାରେ ହେବ ଦୁଇ ଦିନିଆ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଧିବେଶନ । ଏହି ଅବସରରେ ପୂର୍ବଦିନ ଅର୍ଥାତ ଫେବୃଆରୀ ୧ ତାରିଖ ଦିନ ସଂଧ୍ୟା ୫ଟା ସମୟରେ ମୋର୍ଚ୍ଚାର ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ବିଭିନ୍ନ ସାଙ୍ଗଠନିକ ଋଣନୀତି ସଂର୍ପକରେ ଆଲୋଚନା ହେବ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ରାମ ବିଚାର ନେତମ ସୂଚନା ଦେଇଛନ୍ତି ।
ଆଦିବାସୀଙ୍କ ଅଧିକାର ପାଇଁ ଆୟୋଜିତ ଏହି ଅଧିବେଶନରେ ୫ ହଜାରରୁ ଉଦ୍ଧ୍ୱର୍ ପ୍ରତିନିଧି ସାମିଲ ହେବା ସହ ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଫେବୃଆରୀ ୨ ତାରିଖ ଉଦଘାଟନ ସମାରୋହରେ ଆସାମ ଓ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ତ୍ରିପୁରାର ଉପ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଫେବୃଆରୀ ୩ ତାରିଖ ଦିନ ଆଦିବାସୀଙ୍କ ହକ୍ ପାଇଁ “ଆଦିବାସୀ ଅଧିକାର ରାଲି” ଆୟୋଜିତ ହେବ । ଏହି ରାଲିକୁ ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ ଶାହା ଉଦ୍ବୋଧନ କରିବେ । ଏହି ଅବସରରେ ୧ ଲକ୍ଷରୁ ଉଦ୍ଧ୍ୱର୍ ଆଦିବାସୀ ଯୋଗ ଦେଇ ନିଜ ଅଧିକାର ସୁରକ୍ଷା ପାଇଁ ଦାବି ଓ ରାଜ୍ୟସରକାରଙ୍କ ଜନଜାତି ବିରୋଧୀ ନୀତିକୁ ବିରୋଧ କରିବେ ବୋଲି ଶ୍ରୀ ନେତମ କହିଛନ୍ତି ।


 ଫେବୃୟାରୀ ୨ ଓ ୩ରେ ହେବ ଦୁଇ ଦିନିଆ ମହାଅଧିବେଶନ
 ମହାଧିବେଶନରେ ସାମିଲ ହେବେ ଆସାମ, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ତ୍ରିପୁରାର ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ପ୍ରମୁଖ ନେତୃବୃନ୍ଦ
 ମହାଧିବେଶନରେ ସାମିଲ ହେବେ ଦେଶର ବିଭିନ୍ନ ପ୍ରାନ୍ତର ୫ ହଜାରରୁ ଉଦ୍ଧ୍ୱର୍ ପ୍ରତିନିିଧୀ
 ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ, ଜିଲ୍ଲାପରିଷଦ ପ୍ରତିନିଧିମାନେ ଯୋଗ ଦେବେ
 ମୋଦୀ ସରକାରଙ୍କ ଜନଜାତି କଲ୍ୟାଣ ଯୋଜନାକୁ କାଗଜ କଲମରେ ଚଲାଇଛନ୍ତି ରାଜ୍ୟସରକାର : ରାମ ବିଚାର ନେତମ
 ୯୨ ଟି ଏକଲବ୍ୟ ବିଦ୍ୟାଳୟ ଓଡିଶାକୁ ମିଳିଥିବାବେଳେ ରାଜ୍ୟସରକାରଙ୍କ ଆଗ୍ରହ ନଥିବା କାରଣରୁ ହଜାର ହଜାର ଜନଜାତି ଛାତ୍ରଛାତ୍ରୀ ଉନ୍ନତମାନର ଶିକ୍ଷାରୁ ବଂଚିତ ରହୁଛନ୍ତି : ବସନ୍ତ ପଣ୍ଡା


ଜନଜାତିମାନଙ୍କର ଅଧିକାରକୁ ଛଡାଇ ନେବା, କେନ୍ଦ୍ର ସରକାର ପ୍ରଣୟନ କରିଥିବା ଯୋଜନାକୁ ସଠିକ୍ ଭାବରେ ଲାଗୁ କରାଇ ନଦେବା ଏବଂ ଜନଜାତି ଆଦିବାସୀମାନଙ୍କର ବିଭିନ୍ନ ଜ୍ୱଳନ୍ତ ପ୍ରସଙ୍ଗକୁ ନେଇ ଏହି ଅଧିବେଶନ ଆୟୋଜିତ ହେବ । ଏହି ପରିପ୍ରେକ୍ଷୀରେ ଆଜି ଆଦିବାସୀ ଅଧିକାର ରାଲିର ପୋଷ୍ଟର ରିଲିଜ ହୋଇଛି ।
ରାଜ୍ୟରେ ପୂରା ଲୋକସଂଖ୍ୟାରୁ ଏକ ଚତୃର୍ଥାଂଶ ଜନଜାତି ଲୋକ ବାସ କରୁଛନ୍ତି । କିନ୍ତୁ ପରିତାପର ବିଷୟ ହେଉଛି କି, ରାଜ୍ୟରେ ଜନଜାତିଙ୍କ ଅବସ୍ଥା ପୂରା ବେହାଲ । ଜନଜାତିଙ୍କ ପାଇଁ ସରକାର ବହୁତ କିଛି କରିଛନ୍ତି ବୋଲି କେବଳ ପ୍ରଚାର କରିଚାଲିଛନ୍ତି । କିନ୍ତୁ ବାସ୍ତବରେ ଦୀର୍ଘ ୧୯ ବର୍ଷ ଶାସନରେ ରହି ରାଜ୍ୟସରକାର ଜନଜାତି ମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରିନାହାଁନ୍ତି । ରାଜ୍ୟରେ ଅନେକ ଗାଁ ଜଙ୍ଗଲ ଭିତରେ ରହିଛି । ସେହି ଗାଁ କୁ ଆଜି ପର୍ଯ୍ୟନ୍ତ ମାନ୍ୟତା ମିଳିନାହିଁ । ଅଧିକାଂଶ ଜନଜାତି ଅଂଚଳରେ ରାସ୍ତା, ପାଣି,
ବିଜୁଳୀ ପହଂଚି ନାହିଁ । ଆଦିବାସୀ ଛାତ୍ରାବାସରେ ରହିବା ଖାଇବା ବ୍ୟବସ୍ଥା ପୂରା ଦୟନୀୟ ଅବସ୍ଥାରେ ରହିଛି । ଛାତ୍ରାବାସରେ ନାବାଳିକା ଝିଅମାନେ ମଧ୍ୟ ସୁରକ୍ଷିତ ନାହାଁନ୍ତି ବୋଲି ଶ୍ରୀ ନେତମ କହିଛନ୍ତି ।

ମୋଦି ସରକାର ଗରୀବ ଜନଜାତି ଲୋକଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କରିଛନ୍ତି । ଏଠି ରାଜ୍ୟସରକାର ସେହି ଯୋଜନାକୁ କାଗଜ କଲମରେ ଚଲାଇଛନ୍ତି । ରାଜ୍ୟସରକାରଙ୍କ ଅପାରଗତା ପାଇଁ ତୃଣମୂଳସ୍ତରରେ କେନ୍ଦ୍ର ସରକାରଙ୍କ ଯୋଜନା ପହଂଚୁ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟସରକାର ସମସ୍ତଙ୍କୁ ପକ୍କା ଘର ଯୋଗାଇନାହାଁନ୍ତି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ରାଜ୍ୟ ସରକାର ଜଣାଶୁଣି ଲାଗୁ କରୁନାହାଁନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାର ବୃଦ୍ଧି କରିବା ସତ୍ୱେ ରାଜ୍ୟସରକାର ସେହି ଦରରେ ଧାନ କିଣୁନାହଁନ୍ତି । କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜନଜାତି ମନ୍ତ୍ରାଳୟ ପକ୍ଷରୁ ଦେଶରେ ୬୦୦ ଏକଲବ୍ୟ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତି ହୋଇଛି । ଏଥି ମଧ୍ୟରୁ ୯୨ ଟି ଏକଲବ୍ୟ ବିଦ୍ୟାଳୟ ଓଡିଶାକୁ ମିଳିଥିବାବେଳେ ରାଜ୍ୟସରକାରଙ୍କ ଆଗ୍ରହ ନଥିବା କାରଣରୁ ହଜାର ହଜାର ଜନଜାତି ଛାତ୍ରଛାତ୍ରୀ ଉନ୍ନତମାନର ଶିକ୍ଷାରୁ ବଂଚିତ ରହୁଛନ୍ତି । ଜନଜାତିମାନଙ୍କୁ ଜମି ନଦେଇ କେବଳ ମିଛ ପଟ୍ଟା ଦେଇ ରାଜ୍ୟସରକାର ବାହା ବାହା ନେଉଛନ୍ତି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଚାର ରାଜ୍ୟ ସଭାପତି ବିଧାୟକ ରବି ନାଏକ, ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସାଧାରଣ ସଂପାଦକ ଓ ପୂର୍ବତନ ସାଂସଦ ଅନନ୍ତ ନାୟକ, ପୂର୍ବତନ ବିଧାୟକ ମୋହନ ମାଝୀ, କାଳିରାମ ମାଝୀ ଏବଂ ଡ. ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

(ବିଜେପି ମିଡିଆ ସେଲ୍)

Leave A Reply

Your email address will not be published.