ତେଲଗୁ ଭୋଟରଙ୍କୁ ଆଖି, ୧୩ରେ ନବୀନଙ୍କ ଦକ୍ଷିଣି ବିଜେ, ଗଡ ଜଗିବେ ଭାସ୍କର

ଭୁବନେଶ୍ୱର : ପୂର୍ବ- ପଶ୍ଚିମ ଆଉ ଉତ୍ତର ତିନିଗଡ ଜଗିବା ପରେ ଏବେ ନବୀନଙ୍କ ନଜରେ ଦକ୍ଷିଣ ଦ୍ୱାର ଉପରେ । ଖାସ କରି ଦକ୍ଷିଣରେ ଭାରି ପଡୁଥିବା ତେଲଗୁ ଭୋଟରଙ୍କୁ ମନେଇବାକୁ ଆରମ୍ଭ ହୋଇଛି ପ୍ରୟାସ । ଏମିତିବି ଆନ୍ଧ୍ର ସୀମାନ୍ତ ବର୍ତ୍ତୀ ଜିଲ୍ଲାରେ ଟିଡିପି ପ୍ରାର୍ଥୀ ଦେବ ବୋଲି ପୂର୍ବରୁ ଘୋଷଣା କରି ସାରିଛି । ଏହା ହିଁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତା ବଢାଇଛି । ଲଗାତାର ୪ ଟର୍ମ ଶାସନ ଗାଦିରେ ବସିଥିବା ନବୀନ ବାବୁ ବି ବୁଝି ସାରିଛନ୍ତି ଏଥର ଶାସନକୁ ଫେରିବାକୁ ହେଲେ ସବୁ ଦ୍ୱାର ଜଗିବାକୁ ହେବ । ଗୋଟିଏ ବି ତୃଟ ିଯେମିତି ନହୁଏ ସେଥିଲାଗି ରଣନୀତି କରିଛନ୍ତି । ନବୀନ ଏକଥା ବି ବୁଝି ସାରିଛନ୍ତି ଯେ ଦକ୍ଷିଣ ଜିଲ୍ଲାର ଭୋଟ ଇନଟାକ୍ଟ ରଖିବାକୁ ହେଲେ ତେଲଗୁ ଭୋଟରଙ୍କୁ ହାତରେ ରଖିବାକୁ ପଡିବ । ଖାସ କରି ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଆଦି ଜିଲ୍ଲାରେ ଟିଡିପିର ପ୍ରଭାବ ରହୁଥିବାରୁ ସେଠାରେ ତେଲଗୁ ଭୋଟରଙ୍କୁ ଏକାଠି କରିବାକୁ ଯାଜନା କରିଛନ୍ତି ନବୀନ ।

ଏସବୁ ଜିଲ୍ଲାର ଅଣ କଂଗ୍ରେସ ଭୋଟର ଯଦି ବିଜେଡି ପାଖରୁ ମୁହଁ ଫେରାଇ ଟିଡିପି ଆଡକୁ ଢଳନ୍ତି ତେବେ ପାଖା ପାଖି ୧୫ରୁ ଅଧିକ ବିଧାନସଭା ସିଟ ଭୋଟ ଗଡ ବଡ ହେବାର ଆଶଙ୍କା ରହିଛି । ସେଥିଲାଗି ତେଲଗୁ ଭୋଟରଙ୍କୁ ନିଜ ପଟକୁ ଆମିବାକୁ ୧୩ରେ ନବୀନ ଦକ୍ଷିଣି ବିଜେ କରିବେ । ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡା ଗସ୍ତ କରିବେ । ଅଭିଭକ୍ତ କୋରାପୁଟ ଜିଲ୍ଲାର ତେଲଗୁ ଭୋଟରଙ୍କୁ ଏକାଠି କରି ସମାବେଶ କରିବେ ନବୀନ । ଭୋଟ ଆଗରୁ ସେମାନଙ୍କ ମନରେ ଧାରଣା ଦେବେ ଯେ ବିଜେଡି ସେମାନଙ୍କ ସହ ଅଛି ।

ତେଲଗୁ ଭୋଟରଙ୍କୁ ଏକାଠି କରିବାର ଦାୟୀତ୍ୱ ନବୀନ ଦଳର ଉପସଭାପତି ତଥା ବିଜୁ ଅନୁଗତ ରାଜ୍ୟ ସଭା ସାଂସଦ ଏନ. ଭାସ୍କର ରାଓଙ୍କୁ ଦେଇଛନ୍ତି । ଏମିତି ବି ଅଭିଭକ୍ତ କୋରାପୁଟ ଜିଲ୍ଲାରେ ତାଙ୍କ ତବଦବା ରହିଛି । ଖାସ କରି ତେଲଗୁ ଭୋଟରଙ୍କ ପାଖରେ ତାଙ୍କ ଏକ ଭିନ୍ନ ଇମେଜ ଅଛି । ତେଣୁ ତେଲଗୁ ଭୋଟରଙ୍କୁ ଏକାଠି କରିବାର ଭାର ନବୀନ ଏନ.ଭାସ୍କର ରାଓଙ୍କୁ ଦେଇଛନ୍ତି । ଦକ୍ଷିଣ ଜିଲ୍ଲା ଗୁଡିକରେ ସଙ୍ଗଠନ କରିବାରେ ଭାସ୍କରଙ୍କର ମଧ୍ୟ ଦକ୍ଷତା ରହିଛି ।
ସେପଟେ ତେଲଗୁ ଭୋଟରଙ୍କ ଲାଗି ଦଳ ଏକ ରଣନୀତି ବି ପ୍ରସ୍ତୁ କରିବାକୁ ଯାଉଥିବା ସୂଚନା ମିଳିଛି । ଏଥି ଲାଗି ବିଜେଡି ଏକ ତେଲଗୁ ସେଲ ଖୋଲିବ ବୋଲି ଜଣା ପଡିଛି । ଏହି ସେଲ ତେଲଗୁ ଭୋଟରଙ୍କୁ ଯୋଡିବା ଲାଗି କାମ କରିବ । ଶୁଣାଯାଉଛି ଦଳର ଉପସଭାପତି ତଥା ରାଜ୍ୟ ସଭା ସଂସଦ ଏନ ଭାସ୍କର ରାଓଙ୍କୁ ଏହି ସେଲର ଦାୟୀତ୍ୱ ଦିଆଯିବ । ରାୟଗଡା ଗସ୍ତ ସମୟରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.